ଜନଶୁଣାଣିରେ କୁନ୍ଦୁଲି ପୀଡ଼ିତାଙ୍କ ଦମ୍ଭୋକ୍ତି : ମିଛ କହୁଥିଲେ ଫାଶୀ ଦିଅ

ଭୁବନେଶ୍ୱର : ମୋତେ ଦୁଷ୍କର୍ମ କରାଯାଇଛି। କୁନ୍ଦୁଲି ବଜାରରୁ ଗାଁକୁ ଫେରୁଥିବା ବେଳେ ତିନି ଜଣ ପୁଲିସ ବାଟରୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏନେଇ ମୁହଁ ଖୋଲିବା ପରେ ଘଟଣାକୁ ଚାପିବା ଲାଗି ଉଦ୍ୟମ ହୋଇଥିଲା। ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଏଡିଜି ମୋ ପାଖରେ ପହଞ୍ଚି ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ପୁଲିସ ଦୁଷ୍କର୍ମ କରିନାହିଁ ବୋଲି କହିବାକୁ ଚାପ ପକାଇଥିଲେ। ଏଥିପାଇଁ ୯୦ ହଜାର ଟଙ୍କା ମଧ୍ୟ ଯାଚିଥିଲେ। ସେମାନଙ୍କ କଥାରେ ରାଜି ନ ହେବାରୁ ମୋ ପରିବାରକୁ ଧମକ ଦିଆଯାଉଛି। ମୋତେ ଦୁଷ୍କର୍ମ କରାଯାଇ ନ ଥିବା କୁହାଯାଉଛି। ବାହାର ରାଜ୍ୟକୁ ନେଇ ପୁଣିଥରେ ମୋର ଡାକ୍ତରୀ ମଇନା କରାଯାଉ। ଯଦି ମୁଁ ମିଛ କହୁଥିବି ତେବେ ଫାଶୀ ଦିଆଯାଉ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କୁନ୍ଦୁଲି ପୀଡ଼ିତା।

ସିଭିଲ୍‌ ସୋସାଇଟି ପକ୍ଷରୁ ଆଜି ଲୋହିଆ ଏକାଡେମିରେ ଆୟୋଜିତ ଜନଶୁଣାଣିରେ କୋରାପୁଟ ଜିଲ୍ଲାର ଏହି ପୀଡ଼ିତା ଛାତ୍ରୀ ଜଣକ ଉପସ୍ଥିତ ଥିଲେ। ସେ ଆହୁରି କହିଲେ ଯେ ମାମଲା ପ୍ରତ୍ୟାହାର କରିବା ଲାଗି ଏବେ ବି ପରିବାର ଉପରେ ଚାପ ପଡ଼ୁଛି।

ହଇରାଣ କରାଯାଉଛି। ଯେଉଁ ତିନି ଜଣ ପୁଲିସ ଦୁଷ୍କର୍ମ କରିଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନିପାରୁଛି। ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ପାଖରେ ବନ୍ଧୁକ, ଡ୍ରେସ୍‌, ବ୍ୟାଗ୍‌ ରହିଥିଲା। ଦୀର୍ଘ ଏକ ମାସରୁ ଅଧିକ ଦିନ ଧରି ପୁଲିସ ସୁରକ୍ଷା ବଳୟରେ ଚିକିତ୍ସା କରିବା ପରେ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ସେଠାରେ ବି ମାରିବାକୁ ଉଦ୍ୟମ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

କେବଳ କୁନ୍ଦୁଲି ପୀଡ଼ିତା ନୁହନ୍ତି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣେ ଯୁବତୀ ମଧ୍ୟ ଏଠାରେ ଦୁଷ୍କର୍ମ କଥା କହିଥିଲେ। ପୁରୀ ଜିଲ୍ଲା ଡେଲାଙ୍ଗ, ଯାଜପୁର ଜିଲ୍ଲା ସୁକିନ୍ଦା, କେନ୍ଦ୍ରାପଡ଼ା ଜିଲ୍ଲା ଅଡ଼ଗାଁ, କୋରାପୁଟ ଏବଂ ନୟାଗଡ଼ରୁ ଆସିଥିବା ମୋଟ ୭ ଜଣ ପୀଡ଼ିତା ସେମାନଙ୍କ ନିର୍ଯାତନାର କାହାଣୀ ବର୍ଣ୍ଣନା କରିଥିଲେ।
ଏହି ଶୁଣାଣିରେ ଅବସରପ୍ରାପ୍ତ ବିଚାରପତି ହୃଦୟ ବଲ୍ଲଭ ଦାଶ, ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ ମିଶ୍ର, ସ୍ୱେଚ୍ଛାସେବୀ ଅପର୍ଣ୍ଣା ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମାନବାଧିକାର କର୍ମୀ ପ୍ରଦୀପ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସଫେଇ ଦେଲେ ପୁଲିସ ଡିିଜି : ମୁଁ କୁନ୍ଦୁଲି ପୀଡ଼ିତାଙ୍କୁ ଭେଟିନାହିଁ

କଟକ : କୁନ୍ଦୁଲି ପୀଡିତାଙ୍କ ଅଭିଯୋଗ ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ପୁଲିସ ମୁଖ୍ୟାଳୟର ଲୋକ ସଂପର୍କ ଅଧିକାରୀ ଏକ ପ୍ରେସ୍‌ ବିବୃତି ଜାରି କରିଛନ୍ତି। ଏହି ବିବୃତିରେ କୁହାଯାଇଛି ଯେ କେତେକ ବୈଦ୍ୟୁତିକ ଗଣମାଧ୍ୟମରେ କୁନ୍ଦୁଲି ପୀଡିତାଙ୍କ ଅଭିଯୋଗ ସଂପର୍କିତ ଖବର ପ୍ରକାଶ ପାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ତାଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ ବୋଲି ଏଥିରେ କୁହାଯାଉଛି। ଏଭଳି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟମୂଳକ ତଥା ବିଦ୍ୱେଷ ପ୍ରଣୋଦିତ। କୌଣସି ସମୟରେ ପୁଲିସ ମହାନିର୍ଦ୍ଦେଶକ ପୀଡିତାଙ୍କୁ ଭେଟି ନାହାନ୍ତି ଅଥବା ତାଙ୍କ ସହ ଯୋଗାଯୋଗ କରି ନାହାନ୍ତି ବୋଲି ବିବୃତିରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର