କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ସତ୍ୟପାଠ ଦେବାକୁ କୁନ୍ଥକୁନ୍ଥ

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ସାରା ଓଡ଼ିଶା ଥରହର ହେଲା। ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କମ୍ପିଲା। ବିଚାର ବିଭାଗୀୟ ତଦନ୍ତ ଦାବି କରି ଲୋକେ ରାସ୍ତାକୁ ଓହ୍ଲାଇଲେ। କିନ୍ତୁ ବିଚାର ବିଭାଗୀୟ ତଦନ୍ତ ହେଲା ବେଳକୁ କାହାର ଦେଖା ନାହିଁ। ତଦନ୍ତ କମିସନ ଦୁଇ ଦୁଇ ଥର ବିଜ୍ଞପ୍ତି ପ୍ରକାଶ କରି ଆପତ୍ତି, ଅଭିଯୋଗ ଜଣାଇବାକୁ ସତ୍ୟପାଠ ଲୋଡ଼ିଥିଲେ। ହେଲେ ଗତ ଦେଢ଼ମାସ ମଧ୍ୟରେ ଜଣେ ବି ସତ୍ୟପାଠ ଦେଇ ନାହାନ୍ତି। ଏହି କାରଣରୁ ବିଚାର ବିଭାଗୀୟ ତଦନ୍ତ ବିଲ୍‌କୁଲ୍‌ ଆଗେଇ ପାରୁନି। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଯବାନ ପୋଷାକ ପିନ୍ଧିଥିବା ୪ଜଣ ଦୁର୍ବୃତ୍ତ ଏହି ଦୁଷ୍କର୍ମ କରିଥିବା ନାବାଳିକା ଜଣଙ୍କ ଅଭିଯୋଗ କରିଥିଲେ। ମାମଲାର ପାଖାପାଖି ମାସେ ପରେ ନଭେମ୍ବର ୭ ତାରିଖରେ କୋରାପୁଟ ଏସ୍‌ପି ଡ. କନଓ୍ଵର ବିଶାଳ ସିଂହ କହିଥିଲେ ଯେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ ଅନୁସାରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଭଳି ପ୍ରମାଣ ମିଳିନାହିଁ। ତାଙ୍କର ମନ୍ତବ୍ୟ ଏହି ସମ୍ବେଦନଶୀଳ ମାମଲାକୁ ଅଧିକ ଜଟିଳ କରି ଦେଇଥିଲା। ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ସରକାର ବିଚାର ବିଭାଗୀୟ ତଦନ୍ତ ପାଇଁ କମିସନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋରାପୁଟ ଜିଲ୍ଲା ଦୌରାଜଜ୍‌ଙ୍କୁ ଏହି ମାମଲାର ତଦନ୍ତ କମିସନ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏଥିନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତଦନ୍ତ କମିସନ କାମ ଆରମ୍ଭ କରିଥିଲେ।

କମିସନ ମୁଖ୍ୟତଃ ୪ଟି ଦିଗ ଉପରେ ତଦନ୍ତ କରିବେ ବୋଲି କୁହାଯାଇଥିଲା। କେଉଁ ପରିସ୍ଥିତିରେ ଅପରାଧ ଘଟିଲା ତାହାର ଘଟଣାକ୍ରମ, ଏହି ଅପରାଧ ପାଇଁ କିଏ କିଏ ଦାୟୀ, କେଉଁ ପରିସ୍ଥିତିରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କଲେ ଏବଂ ମାମଲା ସହ ଜଡ଼ିତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯାହା କମିସନ ତଦନ୍ତ ସାପେକ୍ଷ ବୋଲି ମନେ କରିବେ ତାହାର ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏଥିନେଇ ଚଳିତ ବର୍ଷ ଫେବ୍ରୁଆରି ୧୬ ତାରିଖରେ କମିସନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇ ସତ୍ୟପାଠ ଲୋଡ଼ା ଯାଇଥିଲା। ଏଥିରେ କୁହାଯାଇଥିଲା ଯେ କୁନ୍ଦୁଲି ନାବାଳିକା ଅପହରଣ, ଦୁଷ୍କର୍ମ ଓ ଆତ୍ମହତ୍ୟା ନେଇ ଯଦି କାହାର କିଛି କହିବାର ଥାଏ ତେବେ ସେମାନେ ସତ୍ୟପାଠ ଜରିଆରେ କମିସନଙ୍କୁ ଜଣାଇ ପାରିବେ। ଉପଯୁକ୍ତ ପ୍ରମାଣ ସହ ଆପତ୍ତି, ଅଭିଯୋଗ ବି ସତ୍ୟପାଠ ଆକାରରେ ଦେଇ ପାରିବେ। କମିସନଙ୍କ ସଚିବଙ୍କ ପାଖରେ ଏହି ସତ୍ୟପାଠ ମାର୍ଚ୍ଚ ୧୬ ତାରିଖ ଭିତରେ ପହଞ୍ଚିବା ଦରକାର ବୋଲି ଉଲ୍ଲେଖ କରାଯାଇଥିଲା। ପରେ ଏହି ମାମଲାର ଶୁଣାଣି ମାର୍ଚ୍ଚ ୧୮ତାରିଖରେ କରିବାକୁ ଧାର୍ଯ୍ୟ କରିଥିଲେ କମିସନ। ଜୟପୁର ସ୍ଥିତ ଜିଲ୍ଲା ନ୍ୟାୟାଳୟରେ ପୂର୍ବାହ୍ନ ୧୧ଟାରେ ଏହି ଶୁଣାଣି କରାଯିବ ବୋଲି ବିଭିନ୍ନ ଖବର କାଗଜରେ କମିସନଙ୍କ ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଜଣେ ହେଲେ ବି ସତ୍ୟପାଠ ଦାଖଲ କରିଲେ ନାହିଁ। ଫଳରେ କମିସନଙ୍କ ଶୁଣାଣି ହୋଇପାରିଲା ନାହିଁ।

ଆଗେଇ ପାରୁନି ବିଚାର ବିଭାଗୀୟ ତଦନ୍ତ
ଦେଢ଼ ମାସ ପରେ ବି ଗୋଟିଏ ଅଭିଯୋଗ ନାହିଁ

କମିସନଙ୍କ ପ୍ରଥମ ପର୍ଯ୍ୟାୟ ବିଜ୍ଞାପନ ପରେ ଗୋଟିଏ ବି ଅଭିଯୋଗ କିମ୍ବା ଆପତ୍ତି ଦାଖଲ ନହେବାରୁ ଦ୍ୱିତୀୟ ଥର ବିଜ୍ଞପ୍ତି ଜାରି କରାଯାଇଥିଲା। ଗତମାସ ୨୧ତାରିଖରେ ଏଥିନେଇ ବିଜ୍ଞପ୍ତି ଜାରି କରାଯାଇ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହା ସହିତ କୁନ୍ଦୁଲି ଓ ଆଖପାଖ ଅଞ୍ଚଳର ଜନଗହଳି ସ୍ଥାନରେ ଏହି ବିଜ୍ଞାପନକୁ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବିଜ୍ଞାପନରେ କୁହାଯାଇଛି ଯେ କୁନ୍ଦୁଲି ମାମଲା ନେଇ ଯଦି କାହାର କିଛି ଆପତ୍ତି, ଅଭିଯୋଗ ଥାଏ ସେମାନେ ଏପ୍ରିଲ ୧୬ତାରିଖ ଭିତରେ ସତ୍ୟପାଠ ଆକାରରେ ଦେଇ ପାରିବେ। ପୂର୍ବ ବିଜ୍ଞାପନର ସର୍ତ୍ତାବଳିକୁ ଏଥିରେ ଦୋହରା ଯାଇଛି। କିନ୍ତୁ ଗୋଟିଏ ହେଲେ ବି ସତ୍ୟପାଠ ଆଜି ପର୍ଯ୍ୟନ୍ତ କମିସନଙ୍କ ପାଖରେ ପହଞ୍ଚିନି।

ଏହି ସ୍ପର୍ଶକାତର ଓ ସମ୍ବେଦନଶୀଳ ମାମଲାକୁ ନେଇ ସେତେବେଳେ ବହୁ ହୋ-ହଲ୍ଲା କରାଯାଇଥିଲେ ମଧ୍ୟ କେହି ସତ୍ୟପାଠ ଦେଉ ନାହାନ୍ତି। ଦୁଇ ଦୁଇ ଥର ଖବର କାଗଜରେ ବିଜ୍ଞାପନ ପ୍ରକାଶ ଓ ସର୍ବସାଧାରଣ ସ୍ଥାନରେ ନୋଟିସ ଜାରି କରାଯିବା ସତ୍ତ୍ୱେ ମାମଲାରେ ମୁଣ୍ଡ ପୂରାଇବାକୁ କେହି ଉଚିତ ମନେ କରୁନାହାନ୍ତି। ଖାସ୍‌ ଏହି କାରଣ ପାଇଁ ବିଚାର ବିଭାଗୀୟ ତଦନ୍ତ ଇଞ୍ଚେ ହେଲେ ବି ଆଗେଇ ପାରୁନି। ତେଣୁ ବିଚାର ବିଭାଗୀୟ ତଦନ୍ତର ଭାଗ୍ୟ କ’ଣ ହେବ ସେଥିନେଇ ଅନିଶ୍ଚିତତା ଦେଖା ଦେଇଛି। ଏପଟେ କୁନ୍ଦୁଲି ନାବାଳିକାଙ୍କ ପାଇଁ ଅନେକ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଚର୍ଚ୍ଚା ବି ଏବେ ଜୋର ଧରିଛି। ପୀଡ଼ିତାଙ୍କ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଉଥିବା, ଟାୟାର ଜାଳି ରାସ୍ତାରୋକ କରୁଥିବା, ଦିଲ୍ଲୀରେ ଗର୍ଜନ କରୁଥିବା ଲୋକଙ୍କ ଅସଲ ମୁଖା ବି ପଦାରେ ପଡିଛି। ଅପରପକ୍ଷରେ ଏହି ମାମଲା ପାଇଁ ସରକାରଙ୍କ ପକ୍ଷରୁ ଜଣେ ଆଇନଜୀବୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଭାକର ପଟ୍ଟନାୟକ ଏହି ମାମଲା ପରିଚାଳନା କରିବେ। ସେହିପରି ମାମଲାର ନୋଡାଲ ଅଫିସର ଭାବେ ଜଣେ ଅତିରିକ୍ତ ଏସପି ପାହ୍ୟା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଆପତ୍ତି, ଅଭିଯୋଗ ଆସୁ ନ ଥିବାରୁ ସମସ୍ତେ ହାତ ବାନ୍ଧି ବସିଛନ୍ତି। ଧାର୍ଯ୍ୟ ସମୟ ଭିତରେ ଏଥର ଯଦି ଆପତ୍ତି, ଅଭିଯୋଗ ନ ଆସେ ତେବେ କମିସନ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଘଟଣା ସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ ସହ ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବେ। ଏହି ଘଟଣା ସହ ସଂପୃକ୍ତ ଲୋକ ଓ ଅଧିକାରୀଙ୍କୁ ପଚରାଉଚୁରା କରିବାର ସମ୍ଭାବନା ରହିଛି। ଏ ସଂପର୍କରେ କମିସନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହି ମାମଲାରେ ଲୋକଙ୍କ ପାଖରୁ ସତ୍ୟପାଠ ଆହ୍ଵାନ କରି ଫେବ୍ରୁଆରି ୧୬ରେ ପ୍ରଥମ ଥର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ କେହି ସତ୍ୟପାଠ ଦାଖଲ କରି ନ ଥିଲେ। ତେଣୁ ପୁଣି ଥରେ ଗତ ମାର୍ଚ୍ଚ ୨୧ତାରିଖରେ ଆଉ ଥରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତଥାପି ଆଜି ପର୍ଯ୍ୟନ୍ତ ଜଣେ ହେଲେ ସତ୍ୟପାଠ ଦାଖଲ କରି ନାହାନ୍ତି। ଏଥର କେହି ସତ୍ୟପାଠ ଦାଖଲ ନ କରିଲେ କମିସନ ନିଜ ଆଡ଼ୁ ତଦନ୍ତ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର