ଶୋକପ୍ରସ୍ତାବ ଆଲୋଚନାରେ ବିବାଦ, କେଭିଙ୍କ ମନ୍ତବ୍ୟ ନେଇ ବିଜେଡି କ୍ଷୁବ୍ଧ

ଭୁବନେଶ୍ୱର: ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଧାନସଭାରେ ଶୋକପ୍ରସ୍ତାବ ଆଲୋଚନା ବେଳେ ଏକ ବିବାଦ ଦେଖାଦେଇଥିଲା। ବାଜପେୟୀଙ୍କ ସ୍ମୃତିଚାରଣ ବେଳେ ବିଜେପି ନେତା କେଭି ସିଂହଦେଓ କହିଥିଲେ, ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ବାଜପେୟୀ ହିଁ ରାଜନୀତିରେ ମଞ୍ଚ ଯୋଗାଇଥିଲେ। କିନ୍ତୁ ଆଜି ରାଜ୍ୟ ଯେଉଁ ପରି ଭାବେ ପରିଚାଳିତ ହେଉଛି, ତାହା ସେ ଜାଣିଥିଲେ ନିଶ୍ଚିତ ଅନୁଶୋଚନା କରିଥା’ନ୍ତେ। କେଭି ଏହି ଦୁଇ ଧାଡ଼ି କହିଲା ବେଳେ ବିଜେଡି ବିଧାୟକମାନେ ତାହାର ପ୍ରତିବାଦ କରିଥିଲେ। ତେବେ ଶୋକ ଆଲୋଚନା ଚାଲିଥିବାରୁ କେହି ବିଶୃଙ୍ଖଳା କରି ନ ଥିଲେ। ଗୃହ ମୁଲତବୀ ହେଲା ପରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଲେ, କେଭିଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ରାଜନୈତିକ। ଶୋକ ଆଲୋଚନାରେ ଏହା ଗ୍ରହଣୀୟ ନୁହେଁ। ବିରୋଧୀ ଦଳ ଭାବେ ସେ ଅନ୍ୟ ଫୋରମ୍‌ରେ ଏପରି କହିବାରେ ଅସୁବିଧା ନାହିଁ। କିନ୍ତୁ ଗୃହରେ କହିବା ଠିକ୍‌ ହେଲାନି। ତେବେ ଗଣମାଧ୍ୟମରେ କେଭି ନିଜ ମନ୍ତବ୍ୟକୁ ଯଥାର୍ଥ ଦର୍ଶାଇ କହିଲେ, ମୋ ମନରେ ଯାହା ଥିଲା ମୁଁ କହିଲି। ମୁଁ ଆଶା କରୁନି ଯେ ସେ ମୋ ଶୋକପ୍ରସ୍ତାବ ସହ ଏକମତ ହେବେ। ରାଜ୍ୟ ଯେତେବେଳେ ଆର୍ଥିକ ସମସ୍ୟା ଭିତରେ ଗତି କରୁଥିଲା, ସେହି ସମୟରେ ଅଟଳଜୀ ଯଦି ନବୀନଙ୍କ ହାତ ଧରି ଚାଲିବା ନ ଶିଖାଇଥା’ନ୍ତେ, ଆଜି ସେ ସରକାରରେ ନ ଥା’ନ୍ତେ। ଏହି କଥା କ’ଣ ଶାସକ ଦଳ ଅସ୍ୱୀକାର କରିବେ ? ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏସବୁକୁ ନାପସନ୍ଦ କରିଥିଲେ। ସେ କହିଥିଲେ, ଗୃହର ନେତା ଶୋକପ୍ରସ୍ତାବ ଆଗତ କଲେ। ଆମେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବା କଥା। ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଯାହା ଘଟିଲା ତାହା ଉଚିତ ନ ଥିଲା। ଏହି ପ୍ରସଙ୍ଗରେ ଆଉ ବିବାଦ ନ କରିବା ଭଲ। ଏପରି ବିବାଦ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଅପମାନ ହେବ।

ସମ୍ବନ୍ଧିତ ଖବର