ମାଓବାଦୀଙ୍କ ଗୁଳିମାଡ଼ରେ ଶ୍ରମିକ ମୃତ

ସରଣ୍ଡାରେ ମାଓ ତାଣ୍ଡବ, ଠିକାସଂସ୍ଥା କ୍ୟାମ୍ପ ପୋଡ଼ିଲେ, ଗୁଳିମାଡ଼ରେ ୨ ଶ୍ରମିକ ବି ଗୁରୁତର

ରାଉରକେଲା : ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ସୋମରା ଗ୍ରାମରେ ଏକ ଠିକା ସଂସ୍ଥାର କ୍ୟାମ୍ପ ଉପରେ ଚଢଉ କରି ମାଓବାଦୀମାନେ ବ୍ୟାପକ ପୋଡ଼ାଜଳା ଓ ଗୁଳିମାଡ଼ କରିଛନ୍ତି। ମାଓବାଦୀଙ୍କ ଆକ୍ରମଣରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ରୁ ଅଧିକ ଗାଡ଼ି ପୋଡ଼ିଯାଇଛି। ଗୁଳି ମାଡ଼ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ଏବଂ ମାଓବାଦୀ ଅଧ୍ୟୁଷିତ ଏହି ସ୍ଥାନରେ ପୁଲିସ ପହଞ୍ଚି ପାରିନାହିଁ। ଗୁଳିକାଣ୍ଡସ୍ଥଳରେ ଆହତ ଦୁଇ ଶ୍ରମିକ ଚିକିତ୍ସା ସୁବିଧା ପାଇନପାରି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡ଼ିଛି।

ମନୋହରପୁରର ଠିକାଦାର ଦୁର୍ଯୋଧନ ମହନ୍ତିଙ୍କ ଠିକା କମ୍ପାନି ‘ମହନ୍ତି କନ୍‌ଷ୍ଟ୍ରକ୍ସନ’ ସୋମରା ନାଳ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ କରୁଛି। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ କେତେକ ସଶସ୍ତ୍ର ମାଓବାଦୀ ବାଇକ୍‌ରେ ଆସି ଠିକା ସଂସ୍ଥାର କ୍ୟାମ୍ପରେ ଥିବା ସବୁ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସେମାନେ ଶ୍ରମିକ ରହୁଥିବା ଘରେ ମଧ୍ୟ ନିଆଁ ଲଗାଇ ଦେବାରୁ ସେମାନେ ପ୍ରାଣବିକଳରେ ଏଣେ ତେଣେ ଦୌଡ଼ିଥିଲେ। ଏହି ସମୟରେ ମାଓବାଦୀମାନେ ଆଖିବୁଜା ଗୁଳି ମାଡ଼ କରିବାରୁ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଖବରପାଇ ଏଏସ୍‌ପି ମନୀଷ ରମଣ, ଡିଏସ୍‌ପି ସକଳ ଦେବ ରାମ ପ୍ରମୁଖ ଆମ୍ବୁଲାନ୍ସ ସହିତ ଘଟଣାସ୍ଥଳରେ ପହଁଚିଛନ୍ତି। କିନ୍ତୁ ମାଓ ଅଧ୍ୟୁଷିତ ଏହି ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜିବାର ସମ୍ଭାବନା ଥିବାରୁ ପୁଲିସ ରାସ୍ତା ସଫେଇ କରି ଆଗକୁ ବଢୁଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର