୧୧ କେଭି ବିଦ୍ୟୁତ ତାରରେ ଲାଗି ଶ୍ରମିକ ମୃତ

ଜାଳେଣି କାଠ ଭାଙ୍ଗୁଥିବା ବେଳେ ଅଘଟଣ

ଗୁଡ଼ଭେଲା/ତୁଷରା : ଏକ ଲୁହା ଛଡ଼ରେ ଜାଳେଣି କାଠ ଭାଙ୍ଗୁଥିବା ବେଳେ ୧୧ କେଭି ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୟୁସୁଫ ଶେଖ (୨୧) ନାମକ ଜଣେ ବଙ୍ଗାଳି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ପଶ୍ଚିମ ବଙ୍ଗର ମୁର୍ସିଦାବାଦ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ତୁଷରା ସହରର ପେଟ୍ରୋଲ ପମ୍ପ ମାଳିକ ଅଶୋକ ଜୈନ ତାଙ୍କ ଘର ନିର୍ମାଣ ପାଇଁ ପଶ୍ଚିମବଙ୍ଗ ମୁର୍ସିଦାବାଦର ୫ ଜଣ ଶ୍ରମିକଙ୍କୁ ଠିକାରେ ନିୟୋଜିତ କରିଥିଲେ। ଏମାନେ ସମସ୍ତେ ତୁଷରା ସମଲେଶ୍ୱରୀ ମନ୍ଦିର ରାସ୍ତାରେ ଥିବା ଶ୍ରୀ ଜୈନଙ୍କ ଫାର୍ମ ହାଉସରେ ରହି ମାସେ ହେଲା ଘର ତିଆରି କରୁଥିଲେ। ଗୁରୁୁବାର ସକାଳେ ସେମାନଙ୍କ ମଧ୍ୟରୁ ୟୁସୁଫ ରୋଷେଇ କରିବା ପାଇଁ ଉକ୍ତ ଫାର୍ମକୁ ଆସିଥିଲେ। ଜାଳେଣି ପାଇଁ ସେଠାରେ ଥିବା କେତୋଟି ଶୁଖିଲା ଗଛରୁ କାଠ ଯୋଗାଡ଼ କରୁଥିଲେ। ଲୁହା ଛଡ଼ ସାହାଯ୍ୟରେ କାଠ ଭାଙ୍ଗୁଥିବା ସମୟରେ ସେହି ସ୍ଥାନ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଛଡ଼ଟି ବାଜି ଯାଇଥିଲା। ବିଦ୍ୟୁତ ଆଘାତରେ ୟୁସୁଫ ଛଡ଼ ସହ ତଳେ ପଡ଼ି ଯାଇଥିଲେ।

ସେହି ବାଟ ଦେଇ କିଛି ଲୋକ ଯାଉଥିବା ବେଳେ ଉକ୍ତ ପେଟ୍ରୋଲ ମାଳିକଙ୍କ ପୁଅ ନିଶିଦ ଜୈନଙ୍କୁ ଖବର ଦେଇଥିଲେ। ପରେ ନିଶିଦ, ରିଗାନ ଶେଖ ଓ ଅଜିମ ଶେଖ ଘଟଣାସ୍ଥଳକୁ ଆସି ଏକ ବାଇକ ଯୋଗେ ୟୁସୁଫଙ୍କୁ ତୁଷରା ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ତୁଷରା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ବୋଲି ତଦନ୍ତକାରୀ ଅଧିକାରୀ ଜୟଦେବ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର