ଖୋଲିଗଲା ମାଲବାହୀ ଟ୍ରେନ୍‌ର ବଗି ଫାଟକ, ଶ୍ରମିକ ଗୁରୁତର

ଭୁବନେଶ୍ୱର : ପ୍ଲାଟ୍‌ଫର୍ମରେ ଠିଆହୋଇଥିବା ଏକ ମାଲବାହୀ ଟେନ୍‌ର ବଗି ଫାଟକ ବନ୍ଦ ହୋଇ ନଥିବା କାରଣରୁ ଆଜି ଜଣେ ରେଳ ଶ୍ରମିକଙ୍କ ଜୀବନ ସଙ୍କଟରେ ପଡ଼ିଛି। ଭୁବନେଶ୍ୱରରୁ ଖୋର୍ଧା ଯାଉଥିବା ଏକ ମାଲବାହୀ ଟ୍ରେନ୍‌ର ଫାଟକ ଖୋଲା ଥିବାରୁ ରେଳଧାରଣା ଉପରେ କାର୍ଯ୍ୟ କରୁଥିବା ଧାରଣା ନିୟନ୍ତ୍ରକ ରାମଚନ୍ଦ୍ର ପ୍ରଧାନ ସେହି ଫାଟକରେ ପିଟି ହୋଇ ସିଗ୍‌ନଲ୍‌ ଖୁଣ୍ଟ ସହ ତଳକୁ ଗଳିପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତ ବାହାରିଥିଲା। ଘଟଣାସ୍ଥଳରେ ସେ ଅଚେତ ହୋଇଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ମଞ୍ଚେଶ୍ୱର ରେଳବାଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସୂଚନା ଥାଉକି ଆଜି ସାଢ଼େ ଏଗାରଟାବେଳେ ଭୁବନେଶ୍ୱରରୁ ବାହାରିଥିବା ମାଲବାହୀ ଟ୍ରେନ୍‌ ପ୍ଲାଟ୍‌ଫର୍ମରୁ ବାହାରି ୪ଟି ମାଇଲ୍‌ ଖୁଣ୍ଟ ପାର ହେବାପରେ ଗୋଟିଏ ବଗିର ଫାଟକ ଖୋଲି ଧାରଣା ନିକଟରେ ଥିବା ସିଗନାଲ୍‌ରେ ପିଟି ହୋଇଯାଇଥିଲା। ଫଳରେ ଫାଟକ ଓ ସିଗନାଲ୍‌ ଖୁଣ୍ଟ ଉଭୟ ଭାଙ୍ଗି ରାମଚନ୍ଦ୍ରଙ୍କ ଉପରେ ପଡ଼ିଥିଲା। ଏବେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୂଚନା ମିଳିଛି। ଯାତ୍ରା କରୁଥିବା ଅବସ୍ଥାରେ ମାଲବାହୀ ଟ୍ରେନ୍‌ ଗୁଡ଼ିକର ଫାଟକ ଖୋଲିଯିବା ଅବହେଳାର ବିଷୟ। ଏମିତି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କର୍ତୃପକ୍ଷଙ୍କ ଅବହେଳା ବିପଦକୁ ଡାକି ଆଣୁଥିବା ଅଭିଯୋଗ ହୋଇଛି। ନିକଟରେ ଏହିଭଳି ଅବହେଳା କାରଣରୁ ଅହମଦାବାଦ-ପୁରୀ ଏକ୍ସପ୍ରେସ୍‌ ବିନା ଇଂଜିନ୍‌ରେ ୧୩ କିମି ଗଡ଼ିଯିବା ଘଟଣାରୁ ରେଳ କର୍ତୃପକ୍ଷ କିଛି ଶିକ୍ଷାଲାଭ କରି ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର