ହରିଆନା ଓ ତେଲେଙ୍ଗାନାରେ ଫସିଛନ୍ତି ବାଲେଶ୍ବର ଜିଲ୍ଲାର ୫ ଶହ ଶ୍ରମିକ

କେରଳରେ ଫସିଛନ୍ତି ଦଶରଥପୁରର ୭୦ ଯୁବକ, ଘରକୁ ଫେରାଇ ଆଣିବାକୁ ନିବେଦନ

ବାଲେଶ୍ବର/ବୋଳଂ : କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଇଥିବା ବାଲେଶ୍ବର ଜିଲ୍ଲା ବାଲିଆପାଳ, ବସ୍ତା, ଜଳେଶ୍ବର, ରାଜଘାଟ ଆଦି ଅଞ୍ଚଳର ୫ ଶହରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଖାଇବା ଓ ରହିବା ପାଇଁ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ନିଜ ଘରକୁ ଫେରିବା ବ୍ୟବସ୍ଥା କରିବାକୁ ସେମାନେ ସାମାଜିକ ଗଣମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି।

ତେଲେଙ୍ଗାନା ରାଜ୍ୟ ରାଙ୍ଗାରେଡ୍ଡି ଜିଲ୍ଲା ନରସିଂହ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାରେ କାମ କରିବା ପାଇଁ ବାଲିଆପାଳ ଓ ବସ୍ତା ଅଞ୍ଚଳର ୫୦ ଜଣ ଶ୍ରମିକ ଆଜିକୁ ୫ ମାସ ତଳେ ଯାଇଥିଲେ। ସେମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୫ ଜଣ ଛୋଟ ପିଲା ଅଛନ୍ତି। ତେବେ କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ହେବା ଦିନଠାରୁ ଶ୍ରମିକମାନେ ସେଠାରେ ଅଟକି ରହିଛନ୍ତି। ସମ୍ପୃକ୍ତ ସଂସ୍ଥା କିମ୍ବା ସ୍ଥାନୀୟ ପ୍ରଶାସନ ସେମାନଙ୍କ ସମସ୍ୟା ବୁଝୁନାହାନ୍ତି। ଏମିତିକି କାମ କରୁଥିବା ସଂସ୍ଥାର ମାଲିକ ମଧ୍ୟ କାରଖାନାରେ ତାଲା ପକାଇ ପଳାଇ ଯାଇଛନ୍ତି। ସେପଟେ ବାଲିଆପାଳ, ବସ୍ତା, ଜଳେଶ୍ବର, ରାଜଘାଟ ଅଞ୍ଚଳର ପ୍ରାୟ ୫ ଶହ ଶ୍ରମିକ ହରିଆନାର ଯମୁନାନଗର ଜିଲ୍ଲାସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି। ତାଲାବନ୍ଦ କଟକଣା ଯୋଗୁଁ ସେମାନେ ମଧ୍ୟ ଘରକୁ ଫେରି ପାରୁନାହାନ୍ତି। ପାଖରେ ଟଙ୍କା, ଖାଦ୍ୟ କିମ୍ବା ରହିବା ବ୍ୟବସ୍ଥା ନଥିବା ଯୋଗୁ ସମସ୍ତେ ହନ୍ତସନ୍ତ ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ ସେମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଘରକୁ ଫେରାଇ ଆଣିବାକୁ ଏହି ଶ୍ରମଜୀବୀମାନେ ନିବେଦନ କରିଛନ୍ତି।

କେରଳରେ ଫସିଛନ୍ତି ୭୦ ଯୁବକ, ଘରକୁ ଫେରାଇ ଆଣିବାକୁ ନିବେଦନ
ଦଶରଥପୁର : କରୋନା ମୁକାବିଲା ପାଇଁ ସମଗ୍ର ଦେଶ ଏବେ ଲକ୍‌ଡାଉନ୍‌ରେ। ଫଳରେ ଅନ୍ୟ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରି ପାରୁନାହାନ୍ତି। ଟଙ୍କାପଇସା ସରିଯିବାରୁ ସେଠାରେ ଚଳିବା କଷ୍ଟକର ହୋଇପଡ଼ିଲାଣି। ଏଭଳି ଭାବେ ଦଶରଥପୁର ବ୍ଲକ୍‌ ଅଞ୍ଚଳର ୭୦ ଜଣ ଯୁବକ କେରଳରେ ଫସି ରହିଛନ୍ତି। ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

କେରଳର ଅଲ୍ଲାପୁଜା ଜିଲ୍ଲା ପଲ୍ଲିପୁରମ ଏବଂ କୋତାୟମ ଜିଲ୍ଲା କୁରିୟାମ ଠାରେ ୨ଟି ପ୍ଲାଇଉଡ୍‌ କମ୍ପାନିରେ ଏହି ଯୁବକମାନେ କାର୍ଯ୍ୟ କରୁଥିଲେ। ଚଳିତ ମାସ କମ୍ପାନି ଦରମା ଦେଇନଥିବାରୁ ପାଖରେ ଥିବା ଟଙ୍କା ସରିଆସିଲାଣି। ଦିନକୁ ୨ ଓଳି ଖାଇବାକୁ ମିଳିବା କଷ୍ଟକର। ଅନ୍ୟପକ୍ଷରେ କେରଳରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୟରେ ସେମାନେ ରାତିରେ ଶୋଇ ପାରୁନାହାନ୍ତି। ତେଣୁ ସେମାନଙ୍କୁ ଶୀଘ୍ର ଘରକୁ ଫେରାଇ ଆଣିବାକୁ ଦଶରଥପୁର ବ୍ଲକ୍‌ ଥାଲକୁଡ଼ି ପଞ୍ଚାୟତର ସର୍ବେଶ୍ୱର ମଲ୍ଲିକ, ଉମେଶ ମଲ୍ଲିକ, ପ୍ରତାପ ମଲ୍ଲିକ, କାବିଲ ମଲ୍ଲିକଙ୍କ ସମେତ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ଶତାଧିକ ଲୋକ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର