ଚିନ୍ତା ବଢ଼ାଇଲାଣି ହାଣ୍ଡିଶାଳ : ଚାଉଳ ନାହିଁ, ପେଟରେ ଓଦାକନା ପକାଇଛନ୍ତି ଦିନମଜୁରିଆ

କେନ୍ଦୁଝର : କରୋନା ଭୂତାଣୁକୁ ମୁକାବିଲା କରୁ କରୁ ଏବେ କରୁଣ ଦିଶିଲାଣି ହାଣ୍ଡିଶାଳ ଚିତ୍ର। ନିୟମିତ ମୂଲମଜୁରି କରି ଚଳୁଥବା ଲୋକେ କରୋନା ପାଇଁ କାମ ବନ୍ଦ କରିଦେବା ପରେ ଏବେ ହାଣ୍ଡିଶାଳ ଚାଉଳଶୂନ୍ୟ। ତିନି ମାସର ରାସନ ଏକକାଳୀନ ମିଳିବ ବୋଲି ସରକାରୀ ଘୋଷଣା ସତ୍ତ୍ବେ ଆଜିଯାଏ ଏହି ସରକାରୀ ଚାଉଳ ମିଳି ନ ଥିବାରୁ ଶ୍ରମିକ ‌ଶ୍ରେଣୀର ଲୋକଙ୍କର ପେଟରେ ପାଣି କନା ଦେଇ ଶୋଇବା ଭଳି ସ୍ଥିତି ଉପୁଜିଛି।

କେନ୍ଦୁଝର ସହ ନିକଟ ନେଲୁଙ୍ଗ ଗ୍ରାମର ମୁଣ୍ଡା ସାହିରେ ପ୍ରାୟ ୧୦୦ ଆଦିବାସୀ ପରିବାର ରୁହନ୍ତି। ସାହିର ସମସ୍ତେ ଶ୍ରମିକ ଶ୍ରେଣୀର। ଏଥିସହିତ ୭୦ ପ୍ରତିଶତ ପରିବାରର ରାସନ କାର୍ଡ ରହିଛି। ପ୍ରାୟ ୩୦ ପ୍ରତିଶତ ପରିବାରଙ୍କ ପାଖରେ ନାହିଁ ରାସନ କାର୍ଡ। ସେମାନେ ବି ମୂଲମଜୁରି ଲାଗି ପେଟ ପୋଷିଥାନ୍ତି। କେହି କେହି ନିକଟସ୍ଥ ପାହାଡ଼ରେ କ୍ରସର ପାଇଁ ପଥର ଫଟାଇଥାନ୍ତି ତ କିଏ ପତ୍ର ବିକ୍ରି କରି ପରିବାର ଚଳାଇଥାନ୍ତି। ଏଥିମଧ୍ୟରୁ କେହି କେହି ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ଆଉ କେହି ଚାଷଜମିରେ ମୂଲ ଲାଗିଥାନ୍ତି। ସେହି ଟଙ୍କା ପାଇଲେ ଡାଲିଚାଉଳ କିଣି ଚଳିଥାନ୍ତି। କରୋନା କଟକଣା ସେମାନଙ୍କ ଜୀବନଜୀବିକାର ଚିତ୍ର ବଦଳାଇ ଦେଇଛି। ଗତ କିଛିଦିନ ଧରି ସେମାନଙ୍କୁ କାମ ମିଳୁନାହିଁ। ଯେଉଁମାନେ ଆଖପାଖ କ୍ରସରରେ କାମ କରୁଥିଲେ, ତାହା ମଧ୍ୟ ବନ୍ଦ ହୋଇଯାଇଛି। ଯେଉଁମାନେ କାଠ କିମ୍ବା ପତ୍ର ବିକ୍ରି କରି ଚଳୁଥିଲେ, ବଜାର ବନ୍ଦ ଦୃଷ୍ଟିରୁ ସେମାନେ ଆସିପାରୁ ନାହାନ୍ତି। ଗୋଟିଏପଟେ ନିଅଣ୍ଟିଆ ସଂସାର, ଅନ୍ୟପଟେ ଟଙ୍କାଟିଏ ସଞ୍ଚୟ ନ ଥିବାରୁ ଏବେ ଚାଉଳ କିଲେ କିଣିବାକୁ ବି ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ।

ମୁଣ୍ଡାସାହିର ଶ୍ରୀମତୀ ମୁଣ୍ଡା(୩୫) ଓ ସ୍ବାମୀ ଶଙ୍କରୁ ମୁଣ୍ଡା(୪୦)ଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଦୁହେଁ କେନ୍ଦୁଝର ସହରରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ପ୍ରତିଦିନ କେନ୍ଦୁଝର ସହରକୁ ଆସି କାମ କରି ସନ୍ଧ୍ୟାରେ ମଜୁରି ଧରି ଫେରିଥାନ୍ତି। ଫେରିବା ବେଳକୁ ଆବଶ୍ୟକ ଡାଲିଚାଉଳ, ପନିପରିବା କିମ୍ବା ଔଷଧ ପତ୍ର ନେଇ ଘରକୁ ଫେରିଥାନ୍ତି। ଗତ ୪/୫ ଦିନ ହେବ କରୋନା ପାଇଁ ସହର ବନ୍ଦ ହୋଇଯାଇଛି। ସେମାନଙ୍କୁ ଗାଁରେ ବି କିଛି କାମ ମିଳୁ ନାହିଁ। ଖାଦ୍ୟ ନିରାପତ୍ତା ଯୋଜାନରେ ରାସନ କାର୍ଡରେ ମାସେ ତଳେ ଫେବ୍ରୁଆରି ୨୦ରେ ୩୫ କିଲୋ ଚାଉଳ ମିଳିଥିଲା। ଏଯାଏ ଆଉ ଚାଉଳ ମିଳି ନାହିଁ। ଏହି ଦମ୍ପତିଙ୍କର ଚାରିଜଣିଆ ପରିବାର। ହାଣ୍ଡିଶାଳ ଏବେ ଚାଉଳଶୂନ୍ୟ।

ଅନ୍ୟ ଏକ ସୂଚନା ଅନୁସାରେ, ରାସନ କାର୍ଡଧାରୀଙ୍କୁ ଏକକାଳୀନ ତିନି ମାସର ଚାଉଳ ଯୋଗାଇ ଦିଆଯିବ ବୋଲି ସରକାରୀସ୍ତରରେ ଘୋଷଣା ହୋଇଥିବାରୁ ସେମାନେ ବଜାରରୁ ଚାଉଳ କିଣି ନଥିଲେ। ଏହି ଦମ୍ପତିଙ୍କ ଭଳି ଅଧିକାଂଶଙ୍କ ହାଣ୍ଡିଶାଳ ଏବେ ଚାଉଳଶୂନ୍ୟ। ସେହିପରି ସନାମଣି ମୁଣ୍ଡା(୩୫) ଓ ତାଙ୍କ ସ୍ବାମୀ ରାଜୁ ମୁଣ୍ଡା(୩୮) ଦିନ ମଜୁରିଆ। ଏମାନେ ଗାଁ ଗାଁ ବୁଲି ଇଟାଭାଟି‌ରେ କାମ କରିଥାନ୍ତି। ଏବେ କରୋନା କଟକଣାରେ ଇଟାଭାଟି କାମ ବନ୍ଦ ହୋଇଯାଇଛି। ସେମାନେ କାମ କରୁଥିବା ମାଲିକଙ୍କ ପାଖରୁ ଟଙ୍କା ମାଗି ଆଣି ପାରିଲେ ନାହିଁ। ଏବେ ଆଉଥରେ ଯାଇ ମାଲିକଙ୍କଠାରୁ ଟଙ୍କା ଆଣି ପାରୁ ନାହାନ୍ତି। ‌ଯେତେବେଳେ ଇଟାଭାଟିରୁ ଫେରିଲେ ଭାବିଥିଲେ, ଦୁଇ-ଚାରି ଦିନ ଭିତରେ ପରିସ୍ଥିତି ବଦଳିଯିବ। ସୁଧାର ଆସିବା ପରିବର୍ତ୍ତେ ପରିସ୍ଥିତି ଆହୁରି ସଂଗିନ ହେଲାଣି। ଯେଉଁ ଦିନେ/ଦୁଇଦିନର ରାସନ ଥିଲା ତାହା ଏବେ ଶେଷ ହୋଇଯାଇଛି। ଆସନ୍ତାକାଲି ସକାଳେ ‌ସେମାନଙ୍କର ଚାରିଜଣ ଛୋଟ ଛୋଟ ଛୁଆଙ୍କୁ କଣ ଖୁଆଇବେ ତାହା ସେମାନଙ୍କୁ ବ୍ୟସ୍ତ କରି ପକାଉଛି। ସେହିପରି ଦୁଃଖିନୀ ମୁଣ୍ଡା(୩୬) ଓ ସ୍ବାମୀ ଚାଣକ୍ୟ ମୁଣ୍ଡା ମୂଲମଜୁରି ଲାଗି ଚଳୁଥିଲେ। ଖାଦ୍ୟ ନିରାପତ୍ତା ଯୋଜନାରୁ ଏମାନେ ବାଦ ପଡ଼ିଛନ୍ତି। ଗୋଟିଏ ପଟେ ରାସନ କାର୍ଡ ନାହିଁ, ମୂଲମଜୁରି ବି ବନ୍ଦ। ପିଲାଙ୍କ ପାଟିରେ କଣ ଖାଇବାକୁ ଦେବେ ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଖାଲି ଏଇ ଦୁଇଟି ଉଦାହରଣ ନୁହେଁ, ମୁଣ୍ଡାସାହିର ଶହଶହ ଉଦାହରଣ ଭିତରେ ରଇବାରୀ ମୁଣ୍ଡା(୩୬), ସନା ମୁଣ୍ଡା(୩୮), ତୁଳସୀ ମୁଣ୍ଡା(୩୫), ରଇବାରୀ ମୁଣ୍ଡା(କ)(୪୦), ରଙ୍ଗ ମୁଣ୍ଡା(୩୪), ଜୟସିଂ ମୁଣ୍ଡା(୩୮), ସୁକାନ୍ତି ମୁଣ୍ଡା(୩୨), ବାବୁଲି ମୁଣ୍ଡା(୩୪), ଶନିବାରୀ ମୁଣ୍ଡା(୪୦)ଙ୍କ ଅବସ୍ଥା ସାଂଘାତିକ। ଏମାନେ ଏବେ ବାହାରକୁ କାମ କରିବାକୁ ଯାଇ ପାରୁ ନ ଥିବାରୁ ସେମାନଙ୍କ ଘରେ ଚାଉଳ ନାହିଁ। କରୋନା କଟକଣା ପରଠାରୁ ଧୀରେଧୀରେ କରୁଣ ଦିଶିଲାଣି ସେମାନଙ୍କ ହାଣ୍ଡିଶାଳର ଚିତ୍ର।

ସମ୍ବନ୍ଧିତ ଖବର