ନୂଆଁଖାଇ ମହାଲଗ୍ନ ନିର୍ଧାରିତ

ସମ୍ବଲପୁର : ଆସନ୍ତା ୩ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତ୍‌ଜନନୀ ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବ। ଏହାପରେ ଲୋକେ ଅନ୍ୟ ଦେବାଦେବୀ, ଗ୍ରାମ ଦେବାଦେବୀ, କୁଳ ଦେବତାଙ୍କୁ ନୂଆ ଭୋଗ ଲାଗି କରିବେ। ଶନିବାର ଅପରାହ୍‌ଣରେ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ବ୍ରହ୍ମ ମଣ୍ତପ ପଣ୍ତିତ ମହାସଭାର ବୈଠକରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ମହାଲଗ୍ନ ନିର୍ଦ୍ଧାରିତ ହୋଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ତଥା ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ସଭାପତି ପଣ୍ଡିତ ଲକ୍ଷ୍ମଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଅମରାନାଥ ମିଶ୍ର, ମହେଶ୍ବର ନାୟକ, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ଜିତେନ୍ଦ୍ର କୁମାର ନନ୍ଦ, ଅମରେନ୍ଦ୍ର ପୂଜାରୀ, ସୁରେଶ ଚନ୍ଦ୍ର ଦେବତା, ଶୈଳେନ୍ଦ୍ର ପୂଜାହାରୀ, ସଚ୍ଚିଦାନନ୍ଦ ମିଶ୍ର କରଶର୍ମା, ମନବୋଧ ପାଢ଼ୀ, ବୁଲୁ ପଣ୍ଡିତ, ଗୋପୀନାଥ ପଣ୍ଡା, ଶଶାଂକ ଶେଖର ମିଶ୍ର, ଭଗବାନ ବଡ଼ପଣ୍ଡା ପ୍ରମୁଖ ପଣ୍ଡିତ ଗଣ ଲଗ୍ନ ଧାର୍ଯ୍ୟ କରିଥିଲେ। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଭାପତି ସରୋଜ ଦଲପତ, ଅମରନାଥ ସୂପକାର, ପ୍ରାଣରଞ୍ଜନ ପଣ୍ଡା, ସୁଶାନ୍ତ ପୁରୋହିତ, ସଞ୍ଜୟ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ଶ୍ରୀମନ୍ତ ମିଶ୍ର, ସରୋଜ ସାହୁ, ଅଭିଷେକ ମିଶ୍ର, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଲଗ୍ନ ନିର୍ଧାରଣ ପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କ ପୂଜାର୍ଚ୍ଚନା କରିବା ସହ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଲଗ୍ନ ପତ୍ର ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର