ଲଜ୍ଜା : ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ

କଲ୍ୟାଣସିଂହପୁର : ଗୁଣି ଗାରେଡିକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକର ସୁନାଖଣ୍ଡି ଗ୍ରାମରେ ଘଟିଛି ଲଜ୍ଜାଜନକ ଘଟଣା। ଜଣେ ମହିଳାଙ୍କୁ ଗାଁର କିଛି ମହିଳା ଠେଙ୍ଗାରେ ପିଟିଛନ୍ତି। ଏଥିସହ ଗାଁ ଦାଣ୍ଡରେ ଉଲଗ୍ନ କରିଦେଇ କିରାସିନି ଢ଼ାଳି ପୋଡି ଦେବାକୁ ଉଦ୍ୟମ କରିଛନ୍ତି। ଏଭଳି ଘଟଣା ସଂପର୍କରେ ଖବରପାଇ କଲ୍ୟାଣସିଂହପୁର ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ କରିଛି।

କଲ୍ୟାଣିସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତ ସଦରମହକୁମାରେ ନାରାୟଣପାଟଣା ଅଞ୍ଚଳର  ଏକ ଦଂପତି  ଦୀର୍ଘ ଦିନ ହେଲା ରହି ଏକ ଛୋଟିଆ ଦୋକାନ କରି ପରିବାର ଚଳାଉଥିଲେ। ଗତବର୍ଷ ଗାଁର ଜଣେ ମହିଳାଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିଲା। ଗୁଣି କରି ମାରି ଦେଇଥିବା ସନ୍ଦେହ କରି ଏହି ଦଂପତିଙ୍କ ସହ ଗ୍ରାମବାସୀଙ୍କ ବଚସା ହୋଇଥିଲା। ଥାନାରେ ରାଜିନାମା କରି ବିବାଦର ସମାଧାନ ହୋଇଥିଲା। ତେବେ ଗାଁକୁ ଫେରିବା ପରେ ଏହି ପରିବାର ବାସନ୍ଦର ଶିକାର ହୋଇଥିଲେ।  କିଛି ଦିନ ଏଭଳି ବାସନ୍ଦ ଜୀବନ କାଟିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ଗତକାଲି ଘଟିଥିଲା ଏହି ଲଜ୍ଜାଜନକ ଘଟଣା।

ମିଳିଥିବା ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଗାଁରେ ଏକ ବୈଠକ ବସିଥିଲା। ଏହି ବୈଠକକୁ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଡକାଯାଇଥିଲା। ବୈଠକରେ ସ୍ୱାମୀ ଉପସ୍ଥିତ ଥିବା ବେଳେ ସ୍ତ୍ରୀ ଯାଇ ନଥିଲେ। ଫଳରେ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା।  ମଙ୍ଗଳବାର ସକାଳୁ ଏହି ମହିଳାଜଣକ ନିକଟସ୍ଥ ନଳକୂପକୁ ପାଣି ଆଣିବା ପାଇଁ ଯାଇଥିବା ବେଳେ ଗାଁ କିଛି ମହିଳା ଟାହି ଟାପରା କରିବାରୁ ବଚସା ହୋଇଥିଲା।  ଘରେ ସ୍ୱାମୀ ନଥିବା ବେଳେ ଗାଁର କିଛି ମହିଳା ଠେଙ୍ଗାବାଡି ଧରି ପହଞ୍ଚି ନିସ୍ତୁକ ପିଟିଲେ। ଏତିକିରେ ସେମାନଙ୍କ ରାଗ ଶାନ୍ତ ହୋଇ ନଥିଲା। ପରେ ସମସ୍ତେ ମିଳିମିଶି ଘରୁ ଘୋଷାରି ଆଣି ଗାଁ ଦାଣ୍ଡରେ ଉଲଗ୍ନ କରିଦେଇଥିଲେ। ସେଠାରୁ କୌଣସି ପ୍ରକାରେ ଘର ଭିତରକୁ ଦୌଡ଼ି ଯାଇ ଶାଢ଼ୀ ପିନ୍ଧୁଥିବା ବେଳେ ପୁଣି ମହିଳାମାନେ ପଶିଯାଇ କିରାସିନି ଢ଼ାଳି ପୋଡିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି।  ଏହି ସମୟରେ ମହିଳାଙ୍କ ସ୍ୱାମୀ ପହଞ୍ଚି ରକ୍ଷା କରିଥିଲେ। ଏଭଳି କି ଏହି ପରିବାରର ଦୋକାନରୁ ସମସ୍ତ ଜିନିଷ ଫିଙ୍ଗି ଦେଇଥିଲେ।

ଘଟଣା ସଂପର୍କାରେ ପୁଲିସକୁ ଫୋନ୍‌ କରି ଜଣାଇବାରୁ ଏସଆଇ ଦ୍ୱୀପ୍ତିରଞ୍ଜନ ସାହୁ,ଏଏସଆଇ ପ୍ରଶାନ୍ତ କୁମାର ପାଲାକା ପହଞ୍ଚି ତଦନ୍ତ କରିଥିଲେ। ଗ୍ରାମର ମହିଳାମାନଙ୍କୁ ବୁଝାସୁଝା କରିବା ସହ ଉଭୟ ପକ୍ଷକୁ ଥାନାକୁ ଆସିବା ପାଇଁ କହିଥିଲେ।  ଅପରପକ୍ଷରେ ଗାଁର ଅନ୍ୟ ମହିଳାମାନେ କହିଛନ୍ତି ଯେ ଏହି ଦଂପତି ଗାଁରେ ଆସି ରହିବା ଦିନଠାରୁ ବିଭିନ୍ନ ଲୋକଙ୍କ ସହ ଝଗଡ଼ା କରୁଛନ୍ତି। ଗାଁର ମହିଳାମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ଆଲୋଚନା କରି ବିବାଦର ସମାଧାନ କରିବା ପରେ ମଧ୍ୟ ଏମାନେ ବଦଳୁ ନାହାନ୍ତି ବୋଲି ଗ୍ରାମର ଅନ୍ୟ ମହିଳାମାନେ କହିଛନ୍ତି। ମାରପିଟ କରିବା ବିଷୟକୁ ଏହି ମହିଳାମାନେ ସ୍ୱୀକାର କରିଥିବା ବେଳେ କିରାସିନି ଢାଳି ପୋଡିବା ପାଇଁ ଉଦ୍ୟମ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିବା ଥାନା ଅଧିକାରୀ ଶିବଚରଣ ଦାଶ ପ୍ରକାଶ କରିଛନ୍ତି। ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ସେଠାରେ ଉପସ୍ଥିତ ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର