ଜମି ବଣ୍ଟନ ଘଟଣା : ଓଡ଼ିଶା-ଛତିଶଗଡ଼ ମିଳିତ ତଦନ୍ତ, ସ୍ଥିତି ଅସ୍ପଷ୍ଟ

ସିନାପାଲି : ଓଡ଼ିଶା ସୀମାନ୍ତରେ ନୂଆମାଲପଡ଼ା ଗ୍ରାମର ଜମିକୁ ଛତିଶଗଡ଼ ସରକାର ତାଙ୍କ ରାଜ୍ୟର ଭୂମିହୀନଙ୍କୁ ବାଣ୍ଟି ଦେଇଥିବା ପ୍ରସଙ୍ଗରେ ଗୁରୁବାର ନୂଆପଡ଼ା ଜିଲ୍ଲାପାଳ ଡାକ୍ତର ପୋମା ଟୁଡୁ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ଦିନତମାମ ଏକ ସ୍ୱତନ୍ତ୍ର ଟିମ୍‌ ଓଡ଼ିଶା- ଛତିଶଗଡ଼ ସୀମା ନିର୍ଦ୍ଧାରଣ ପାଇଁ କସରତ କରିଥିଲେ। ଅପରାହ୍ନ ୪ଟା ପରେ ଛତିଶଗଡ଼ ପ୍ରଶାସନ ମଧ୍ୟ ବିବାଦୀୟ ସ୍ଥାନରେ ପହଞ୍ଚି ତଦନ୍ତ କରିଥିଲେ। ଦେଓଭୋଗ ଏସ୍‌ଡିଏମ୍‌ ନିର୍ଭୟ ସାହୁ ଓ ମେନପୁର ତହସିଲଦାର ସୁରେନ୍ଦ୍ର ଧ୍ରୁବ ସୀମାନ୍ତରେ ପହଞ୍ଚି ଛତିଶଗଡ଼ ରାଜ୍ୟର ସୀମା ଚିହ୍ନଟ କରିବାକୁ ଉଦ୍ୟମ କରିଥିଲେ। ପରେ ଉଭୟ ଓଡ଼ିଶା ଆଉ ଛତିଶଗଡ଼ ପ୍ରଶାସନର ମିଳିତ ଉଦ୍ୟମରେ ସୀମା ନିର୍ଦ୍ଧାରଣ ପାଇଁ ତଦନ୍ତ କରାଯାଇଥିଲା। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରି ନଥିଲା।

ଶୁକ୍ରବାର ପୁଣି ନୂଆପଡ଼ା ଉପ ଜିଲ୍ଲାପାଳ ତରଣୀସେନ ନାଏକ ଓ ସିନାପାଲି ତହସିଲଦାର ନୀଳାମ୍ବର ସୁନାଙ୍କ ସମେତ ସମ୍ବଲପୁର ଭୂ-ବନ୍ଦୋବସ୍ତ କାର୍ଯ୍ୟାଳୟରୁ ଆସିଥିବା ସ୍ୱତନ୍ତ୍ର ଟିମ୍‌ ଛତିଶଗଡ଼ ରାଜ୍ୟ ଦେଓଭୋଗ ଏସ୍‌ଡିଏମ୍‌ ନିର୍ଭୟ ସାହୁ ଏବଂ ମେନପୁର ତହସିଲଦାର ସୁରେନ୍ଦ୍ର ଧ୍ରୁବ ଓ ତାଙ୍କ କର୍ମଚାରୀ ମିଳିତ ଭାବେ ସୀମା ଚିହ୍ନଟ କାର୍ଯ୍ୟ ଚଳାଇଛନ୍ତି।

ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟ ତଦନ୍ତ ବେଳେ ମାପଖୁଣ୍ଟି ମିଳୁ ନଥିବା ଯୋଗୁଁ ସେଠାରେ ଥିବା ସ୍ଥାୟୀ ପ୍ରମାଣ (ରାସ୍ତା)କୁ ଆଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା। ସୀମାନ୍ତରେ ଛତିଶଗଡ଼ ରାଜ୍ୟ ଦ୍ୱାରା ଚିହ୍ନଟ କରାଯାଇଥିବା ଏକ ମାପଖୁଣ୍ଟିକୁ ଆଧାର କରି ମାପ କରାଯାଇଥିଲେ ମଧ୍ୟ ମାନଚିତ୍ର ସହିତ ମେଳ ଖାଇ ନଥିବା ଯୋଗୁଁ ଉଭୟ ରାଜ୍ୟର ତଦନ୍ତକାରୀ ଅଧିକାରୀମାନେ ନିଷ୍ପତ୍ତି ନେଇ ପାରି ନଥିଲେ। ଅପରାହ୍ନରେ ସୀମାନ୍ତବର୍ତ୍ତୀ ଓଡ଼ିଶାର ନୂଆମାଲପଡ଼ା ଓ ଛତିଶଗଡ଼ ରାଜ୍ୟର ବୁର୍ଜାବାହାଲ ଗ୍ରାମକୁ ଆଧାର କରି ମାପ କରାଯାଇଥିଲା।

ଓଡ଼ିଶା ରାଜ୍ୟ ସୀମାନ୍ତବର୍ତ୍ତୀ ନୂଆମାଲପଡ଼ା ଗ୍ରାମର ୩ ନମ୍ବର ସିଟ୍‌ର ଖାତା ନଂ. ୨୧୨ ଅନ୍ତର୍ଗତ ପ୍ଲଟ ନଂ.୧୫୦୭, ୧୪୬୫, ୧୪୬୩, ୧୪୬୮, ୧୪୭୦ ଗୋଚର କିସମର ପ୍ଲଟ୍‌ ଗୁଡ଼ିକୁ ନୂଆମାଲପଡ଼ା ଗ୍ରାମର କେତେକ ଗରିବ ଚାଷୀ ଜବରଦଖଲ କରି ଚାଷ କରିଆସୁଥିବା ବେଳେ ଉକ୍ତ ଜମିଗୁଡ଼ିକୁ ଛତିଶଗଡ଼ ରାଜ୍ୟ ସରକାର ସେହି ରାଜ୍ୟର ମେନପୁର ତହସିଲ ଅନ୍ତର୍ଗତ ବୁର୍ଜାବାହାଲ ଗ୍ରାମର କିଛି ଭୂମିହୀନଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବର୍ତ୍ତମାନ ଉଭୟ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଥିବା ବେଳେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ବିବାଦୀୟ ହୋଇ ପଡ଼ିଥିବା ଜମିକୁ ନିଜ ନିଜ ରାଜ୍ୟର ବୋଲି ଦାବି କରିଆସୁଛନ୍ତି। ଏ ସଂକ୍ରାନ୍ତରେ ତଦନ୍ତକାରୀ ଅଧିକାରୀ ନୂଆପଡା ଉପଜିଲ୍ଲାପାଳ ତରଣୀସେନ ନାଏକ କହିଛନ୍ତି- ‘ଓଡ଼ିଶାର ସେଟଲମେଣ୍ଟ ପିଲର ଠିକ୍‌ ଅଛି, ଆମେ ଆମ ସୀମା ଭିତରେ ଅଛୁ’ ବୋଲି କହିଥିବା ବେଳେ ତଦନ୍ତକାରୀ ଟିମ୍‌ର ଅନ୍ୟ ଅଧିକାରୀ ସିନାପାଲି ତହସିଲଦାର ନୀଳାମ୍ବର ସୁନା ‘ଉଭୟ ରାଜ୍ୟର ମିଳିତ ସରଜମିନ ତଦନ୍ତ ଚାଲିଛି। ସେଟଲମେଣ୍ଟ ଖୁଣ୍ଟ ଠିକ୍‌ ଅଛି, ତାଙ୍କ ଓ ଆମର ମାନଚିତ୍ର ମେଳ ଖାଉଛି। ଛତିଶଗଡ଼ ପ୍ରଶାସନ ମଧ୍ୟ ଏହାକୁ ସ୍ୱୀକାର କରିଛି। କିନ୍ତୁ ସେମାନେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି’ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର