ସ୍କୁଲ, କଲେଜଙ୍କୁ ସରକାରୀ ଜମି ପ୍ରଦାନ ନୀତି ଶୀଘ୍ର

ଭୁବନେଶ୍ୱର : ରାଜ୍ୟରେ ଥିବା ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀ ଜମି ପ୍ରଦାନ କରିବାକୁ ସରକାର ଚିନ୍ତା କରୁଛନ୍ତି। ଏ ନେଇ ନୀତି ଖୁବଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତିି।

ଆଜି ଏ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାନ୍ତି କହିଲେ ଯେ ନୀତି ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କର ଦଖଲରେ ଥିବା ଜମିର ପରିମାଣ, ଛାତ୍ରଛାତ୍ରୀ ସଂଖ୍ୟା ଓ ବକେୟା ସରକାରୀ ଦେୟ ଆଦିର ତଥ୍ୟ ତାଙ୍କ ବିଭାଗକୁ ଯୋଗାଇଦେବାକୁ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ପତ୍ର ଲେଖାଯାଇଛି। ସଂଗୃହୀତ ତଥ୍ୟ ଆଧାରରେ ଖୁବଶୀଘ୍ର ନୀତି ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏ ନେଇ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ସିଧାସଳଖ ଜମି ଦିଆନଯାଇ ସଂପୃକ୍ତ ବିଭାଗକୁ ଦିଆଯିବ। ଏହା ସହିତ ଗ୍ରାଣ୍ଟ-ଇନ୍‌-ଏଡ୍‌ ଓ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଦଖଲରେ ଥିବା ସରକାରୀ ଜମିର ପରିମାଣ ଓ ଏହାର ମୂଲ୍ୟ ୨୦୧୮ ମାର୍ଚ ସୁଦ୍ଧା ଧାର୍ଯ୍ୟ ଜରିମାନା ଆଦିର ତଥ୍ୟ ନିର୍ଧାରିତ ଫର୍ମାଟ୍‌ରେ ରାଜସ୍ୱ ବିଭାଗକୁ ତୁରନ୍ତ ପଠାଇବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର