ଛତିଶଗଡ଼ର ଦାଦାଗିରି ପ୍ରସଙ୍ଗ : ଚେଇଁଲା ପ୍ରଶାସନ

ସିନାପାଲି : ଓଡ଼ିଶା ସୀମାରେ ଛତିଶଗଡ଼ ଦାଦାଗିରି କରି ଜମି ଜବରଦଖଲ କରିବା ରିପୋର୍ଟ ଗଣମାଧ୍ୟମରେ ସୋମବାର ପ୍ରକାଶ ପାଇବା ପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସୋମବାର ଜିଲ୍ଲା ପ୍ରଶାସନ ତରଫରୁ ସରଜମିନ ତଦନ୍ତ ଆରମ୍ଭ କରାଯାଇଛି।

ସିନାପାଲି ତହସିଲଦାର ନୀଲାମ୍ବର ସୁନା ଘଟଣାସ୍ଥଳକୁ ଯାଇ ତନ୍ନତନ୍ନ କରି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ଯାଇଥିବା ତାଙ୍କ କଛି କର୍ମଚାରୀ ସୀମାବର୍ତ୍ତୀ ନୂଆମାଲପଡ଼ାରେ ବିବାଦ ଉପୁଜିଥିବା ସ୍ଥାନକୁ ମାପଚୁପ କରିଥିଲେ। ଏ ସଂକ୍ରାନ୍ତରେ ତହସିଲଦାର ଶ୍ରୀ ସୁନାଙ୍କୁ ପଚାରିବାରୁ ସେ ସଂପୃକ୍ତ ସ୍ଥାନକୁ ଯାଇ ମାପ କରିଛନ୍ତି; ଏହା ଓଡ଼ିଶା ରାଜ୍ୟର ଗୋଚର କିସମର ସରକାରୀ ଜମି ଅଟେ। ନୂଆମାଲପଡ଼ା ଗ୍ରାମର କିଛି ଗ୍ରାମବାସୀ କିଛି ବର୍ଷ ହେଲା ଏହି ଜମି ଉପରେ ଜବରଦଖଲ କରି ଚାଷ କରୁଛନ୍ତି। ଏବେ ମଧ୍ୟ ସେମାନେ ହଳ କରିଥିବା ଜାଣିବାକୁ ପାଇଛନ୍ତି ବୋଲି ସେ କହିଥିଲେ। ଛତିଶଗଡ଼ ରାଜ୍ୟ ଏହି ଜମିକୁ ସୀମାନ୍ତବର୍ତ୍ତୀ ବୁରଜାବାହାଲ ଗ୍ରାମର ଭୂମିହୀନଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ ସଂପର୍କରେ ଛତିଶଗଡ଼ ସରକାରଙ୍କ ସହିତ ଯୋଗାଯୋଗ କରି ଏ ସଂକ୍ରାନ୍ତରେ ତଦନ୍ତ କରାଯିବ ବୋଲି ମଧ୍ୟ କହିଥିଲେ।

ସୂଚନାଯୋଗ୍ୟ ଯେ, ଉକ୍ତ ଜମିକୁ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ଦେଭୋଗ ତହସିଲଦାର ତାଙ୍କ ରାଜ୍ୟର ସୀମାନ୍ତବର୍ତ୍ତୀ ବୁର୍ଜାବାହାଲ ଗ୍ରାମର କିଛି ଭୂମିହୀନଙ୍କୁ ବାଣ୍ଟି ଦେଇଥିବା ସ୍ଥାନୀୟ ତହସିଲଦାରଙ୍କ ଠାରେ ବହୁ ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମଧ୍ୟ ତଦନ୍ତ ପାଇଁ କୌଣସି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇ ନଥିଲା। ସୋମବାର ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶାସନ ପଦକ୍ଷେପ ନେଇଛି।

ସମ୍ବନ୍ଧିତ ଖବର