ସିଲିଂ ବହିର୍ଭୂତ ଜମି ଫଏସଲା ହେଉନି କାହିଁକି?

ରାଜସ୍ୱ ବିଭାଗ ଉପରେ ପିଏସି କ୍ଷୁବ୍‌ଧ

0 6

ଭୁବନେଶ୍ୱର: ଆଇନ କାର୍ଯ୍ୟକାରୀ ହେବାର ୪ଦଶନ୍ଧି ପରେ ବି କିଛି ବ୍ୟକ୍ତିଙ୍କ ନିକଟରେ ସିଲିଂ ବର୍ହିଭୂତ ଜମି ରହିଲା କେମିତି? କିଏ ସେମାନଙ୍କୁ ସୁରକ୍ଷା ଦେଉଛି? ସରକାର ଗୋଟିଏ ପଟେ ତନାଘନା କରୁଛନ୍ତି, ଅନ୍ୟପଟରେ ବର୍ଷ ବର୍ଷ ଧରି କୋର୍ଟରେ ମାମଲା ଗଡୁଛି? ଯେଉଁ ଅଧିକାରୀମାନେ ତଥାକଥିତ ବଡ଼ ବଡ଼ ଜମିଦାରଙ୍କୁ ସୁରକ୍ଷା ଦେଉଛନ୍ତି, ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ?

ଏମିତି ଢଙ୍ଗରେ ପ୍ରଶ୍ନ ପଚାରି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କୁ ଆକ୍ତାମାକ୍ତା କରିଦେଇଛନ୍ତି ପିଏସି ଅଧ୍ୟକ୍ଷ ନରସିଂହ ମିଶ୍ର। କଠୋର ଭାଷାରେ ବର୍ଷିଥିଲେ ଅଧିକାରୀମାନଙ୍କ ଉପରେ। ରାଜସ୍ୱ ସଚିବଙ୍କୁ ନିର୍ଦେଶ ଦେଇଥିଲେ, ଅବହେଳା କରିଥିବା ତହସିଲଦାରଙ୍କ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ନିର୍ଦିଷ୍ଟ କି ପଦକ୍ଷେପ ନେଲ, ସେ ନେଇ ୧୫ ଦିନ ମଧ୍ୟରେ ଜଣାଅ। କେବଳ ସେତିକି ନୁହେଁ, ସହରା଼ଞ୍ଚଳ ଓ ପଞ୍ଚାୟତରେ ଜମି ଜବରଦଖଲ ନେଇ ମଧ୍ୟ ପିଏସି ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି। କେଉଁଠି କେତେ ଜମି ଜବରଦଖଲ ଅଛି, ସେ ତଥ୍ୟ ଦେଇନପାରିବା ଘଟଣାକୁ ନେଇ ପିଏସି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଖିଲାପୀ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ
୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବେ ରାଜସ୍ୱ ସଚିବ
ଜମି ଜବରଦଖଲ ତଥ୍ୟ ଦେଇପାରିଲେନି ନଗରଉନ୍ନୟନ ବିଭାଗ

ଆଜି ବିଧାନସଭା ପିଏସି ବୈଠକରେ ସିଲିଂ ବହିର୍ଭୂତ ଜମି, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ଓ ରାଜସ୍ୱ ବିଭାଗର ଜମି ଜବରଦଖଲ ଆଦି ପ୍ରସଙ୍ଗ ନେଇ ତନାଘନା ହୋଇଥିଲା। ପୂର୍ବରୁ ଏ ସଂକ୍ରାନ୍ତରେ ମଧ୍ୟ ପିଏସି ଖୋଳତାଡ କରିଥିଲେ। ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଭୂସଂସ୍କାର କମିସନ ନିର୍ଦେଶ ଦେଇଥିଲେ ଯେ ୨୦୧୮ ମେ’ ସୁଦ୍ଧା ସବୁ ସିଲିଂ ମାମଲା ଫଏସଲା କର। ଏହି ସମୟସୀମା ଅତିକ୍ରମ କରି ତିନିମାସ ବିତିଲାଣି। ଅଧିକାରୀମାନେ ମାମଲା ଫଏସଲା କଲେନି କି ଯେଉଁମାନେ ଭୂସଂସ୍କାର କମିସନଙ୍କ ନିର୍ଦେଶ ମାନିଲେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏହାକୁ ପିଏସି ଆଜି ଗୁରୁତ୍ୱର ସହ ଗ୍ରହଣ କରିଥିଲା। ଅଧିକାରୀମାନେ ତଥ୍ୟ ଦେଇଥିଲେ, ୨୦୧୮ ଅଗଷ୍ଟ ୪ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୧୪୪ଟି ମାମଲା ରହିଛି। ୫ହଜାର ୩୧୦ ଏକର ଜମିର ଭାଗ୍ୟ ଫଏସଲା ହୋଇପାରିନାହିଁ। ୯ଟି ଜିଲ୍ଲାକୁ ବାଦ୍‌ ଦେଇ ବାକି ୨୧ଟି ଜିଲ୍ଲାରେ ଏ ସଂକ୍ରାନ୍ତ ମାମଲା ଗଡୁଛି। ବିସ୍ମୟକର କଥା ହେଉଛି, ୪୦ ବର୍ଷ ପରେ ବି ରାଜସ୍ୱ କୋର୍ଟରେ ଏ ସଂକ୍ରାନ୍ତରେ ୯୨ ମାମଲା ଗଡୁଛି। ଏହା କାହିଁକି ଫଏସଲା ହୋଇପାରିନାହିଁ ବୋଲି ପିଏସି ଜାଣିବାକୁ ଚାହିଁଥିଲେ ବି କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା। ବଲାଙ୍ଗୀରରେ ଗତ ଫେବ୍ରୁଆରି ମାସରେ ୩ଟି ମାମଲା ରାଜସ୍ୱ କୋର୍ଟରେ ଥିଲା। ହେଲେ ଅଗଷ୍ଟ ରିପୋର୍ଟରେ ମାମଲା ସଂଖ୍ୟା ୧୬କୁ ବଢିଯାଇଛି। ଏମିତି କେମିତି ହେଲା ବୋଲି ପିଏସି ପ୍ରଶ୍ନ କରିଥିଲେ ହେଁ, ଅଧିକାରୀମାନେ ତଥ୍ୟ ଦେଇପାରିନଥିବା ସୂଚନା ମିଳିଛି। ସରକାରୀ ତଥ୍ୟ ଆହୁରି ସୂଚାଉଛି ଯେ ହାଇକୋର୍ଟରେ ଏ ସଂକ୍ରାନ୍ତରେ ୫୦ଟି ମାମଲା ଗଡୁଛି। ସୁପ୍ରିମକୋର୍ଟରେ ମଧ୍ୟ ୨ଟି ମାମଲା ରହିଛି। ଏସବୁ ମାମଲାର ଫଏସଲା ପାଇଁ ସରକାରୀ ଆନ୍ତରିକତା ନେଇ ମଧ୍ୟ ପିଏସି ପ୍ରଶ୍ନ ଉଠାଇଥିଲେ।

ଉଲ୍ଲେଖଯୋଗ୍ୟ, ଭୂସଂସ୍କାର ଆଇନ, ୧୯୬୦ରେ ବ୍ୟବସ୍ଥା ମୁତାବକ, କୌଣସି ବ୍ୟକ୍ତି ୧୦ ଷ୍ଟାଣ୍ଡାର୍ଡ ଏକରରୁ ଅଧିକ ଜମି ରଖିପାରିବେ ନାହିଁ। ଯଦି ପରିବାର ବଡ଼ ଥାଏ, ତେବେ ସର୍ବାଧିକ ୧୮ ଏକର ଯାଏଁ ଜମି ରହିପାରିବ। ୧୯୭୫-୭୬ ମସିହାରୁ ଏହି ଆଇନକୁ କଡ଼ାକଡ଼ି ପାଳନ ହେଲାଣି। ମାତ୍ର ତଥାକଥିତ କିଛି ଜମିଦାର, ରାଜ ପରିବାର ଏବେ ବି ଏହାଠାର୍‌ ଢେର୍‌ ଅଧିକ ଜମି ରଖିଛନ୍ତି। ନିୟମତଃ ସିଲିଂ ବହିର୍ଭୂତ ଜମି ଭାଗବଣ୍ଟା ହୋଇପାରିବ ନାହିଁ କିମ୍ବା ବିକ୍ରି ମଧ୍ୟ ହୋଇପାରିବ ନାହିଁ। ହେଲେ ଆଇନ ଆଖିରେ ଧୂଳି ଦେଇ ଅଧିକାରୀମାନେ ଏ କାର୍ଯ୍ୟ କରିଥିବା ଅଭିଯୋଗ ଉଠିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.