ବନ୍ଦୋବସ୍ତ କମିସନରଙ୍କ କ୍ଷମତା ଅପସାରଣ ପ୍ରସଂଗ ମାମଲାରେ ପୂର୍ଣ୍ଣଚ୍ଛେଦ : ଏଡିଏମ୍‌ଙ୍କୁ ପ୍ରଦାନ କରାଯାଇଥିବା କ୍ଷମତା ପ୍ରତ୍ୟାହାର ନେଇ ବିଜ୍ଞପ୍ତି

କଟକ-ବିଦ୍ୟାଧରପୁର : ଜମି ଜମି ସଂକ୍ରାନ୍ତ ବନ୍ଦୋବସ୍ତ ଓ ଚକବନ୍ଦୀ କମିସନରଙ୍କ କ୍ଷମତା ଅପସାରଣ ପ୍ରସଂଗକୁ‌ ନେଇ ବିଚାରାଧୀନ ମାମଲାର ହାଇକୋର୍ଟରେ ଅନ୍ତ ଘଟିଛି। ଡକ୍ଟର ଜଷ୍ଟିସ ଏ.କେ.ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୨୦୧୯, ଫେବ୍ରୁଆରି ୧୪ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରି ଓଡ଼ିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ଆକ୍ଟ, ୧୯୫୮ ଓ ଓଡ଼ିଶା କନସଲିଡେସନ୍ ଅଫ୍ ହୋଲ୍ଡିଂସ୍ ଆଣ୍ଡ୍ ପ୍ରିଭେନସନ୍ ଅଫ୍ ଫ୍ରାଗ‌ମାଣ୍ଟେସନ୍ ଅଫ୍ ଲ୍ୟାଣ୍ଡ ଆକ୍ଟ, ୧୯୭୨ରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ(ଏଡିଏମ୍)ଙ୍କୁ ପ୍ରଦାନ କରାଯାଇଥିବା ପୁନର୍ବିଚାର କ୍ଷମତା ପ୍ରତ୍ୟା‌ହାର କରାଯାଇଛି। ଏପରି ପରିସ୍ଥିତିରେ ହାଇକୋର୍ଟରେ ମାମଲାର ଶୁଣାଣିରେ ପୁର୍ଣ୍ଣଚ୍ଛେଦ ପଡିଛି। ଆଇନଜୀବୀ ସୁକାନ୍ତ କୁମାର ନାୟକଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ଜମିଜମା ରେକର୍ଡ ପ୍ରସଂଗରେ ସରଳୀକରଣ ପାଇଁ ୧୯୭୯-୮୦ରେ ସରକାର ଚକବନ୍ଦୀ ଗଠନ କରିଥିଲେ। ଏହା ପରେ ମଧ୍ୟ ପୂର୍ବଭଳି ସମସ୍ୟା ଲାଗି ରହିଥିଲା। ଏହାର ସଂଶୋଧନ ତଥା ଫୈସଲା ପାଇଁ ସରକାର ବନ୍ଦୋବସ୍ତ ଓ ଚକବନ୍ଦୀ କମିସନର କୋର୍ଟ ସ୍ଥାପନ କରିଥିଲେ। ମାତ୍ର ମାମଲା ସମାଧାନ ହୋଇ ନ ପାରି ବର୍ଷ ବର୍ଷ ଧରି ଗଡି ଚାଲିଥିଲା। ୨୦୧୮, ଅକ୍ଟୋବର ୨୩ରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକ‌ାଶ କରି ୩୦ଟି ଜିଲ୍ଲାର ଏଡିଏମଙ୍କୁ ଏପରି ଜମିଜମା ମାମଲାର ତ୍ବରିତ ଫୈସଲା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଚକବନ୍ଦୀ ପାଇଁ ୧୯ଟି ଜିଲ୍ଲାର ଏଡିଏମଙ୍କୁ ଦାୟିତ୍ବ ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏଡିଏମ ଅପିଲ ଅଧିକାରୀ ହୋଇଥିବା ଦୃଷ୍ଟିରୁ ଏପରି ମାମଲାର ଆଇନ ଅନୁସାରେ ଫୈସଲା କରି ପାରିବେ ନାହିଁ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ‌େହାଇଥିଲା। ଏହି କ୍ଷମତା ଏଡିଏମ୍ ପାହ୍ୟାର ଅଧିକାରୀଙ୍କୁ ପ୍ରଦାନ କରାଯାଇ ପାରିବ ନାହିଁ ଓ ଏ ସଂପର୍କିତ ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ୨୦୧୮, ନଭେମ୍ବର ୨୬ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଅକ୍ଟୋବର ୨୩ର ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର