୨୦୧୯ ମାର୍ଚ୍ଚ ସୁଦ୍ଧା ସବୁ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା

୩ ବର୍ଷ ପରେ ବସିଲା ଜନଜାତି ଉପଦେଷ୍ଟା ପରିଷଦ ବୈଠକ, ଜଙ୍ଗଲ ଅଧିକାର ଆଇନ୍‌କୁ ନେଇ କଂଗ୍ରେସ ବିଧାୟକଙ୍କ ଅସନ୍ତୋଷ

ଭୁବନେଶ୍ୱର : ଜଙ୍ଗଲ ଅଧିକାର ଆଇନ୍‌ ସଫଳତାର ସହ ଲାଗୁ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ପାଇଛି। ଏଥିରେ ୪.୧୫ ଲକ୍ଷ ଆଦିବାସୀଙ୍କୁ ୬.୧୪ ଲକ୍ଷ ଏକରର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ୩.୨୮ ଲକ୍ଷ ଏକର ଜମି ଉପରେ ୬୩୩୬ ଗୋଷ୍ଠୀଗତ ଅଧିକାର ଦିଆଯାଇଛି। ଯେଉଁଟି ଜମି ଚିହ୍ନଟ ହୋଇନି, ୨୦୧୯ ମାର୍ଚ୍ଚ ସୁଦ୍ଧା ସେସବୁ ସାରି ସବୁ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସଚିବାଳୟରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଦୀର୍ଘ ତିନି ବର୍ଷ ପରେ ଆଜି ଜନଜାତି ଉପଦେଷ୍ଟା ପରିଷଦ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୮ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତିଙ୍କ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବୈଠକ ପରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ସରକାରଙ୍କ ଆଦିବାସୀକଲ୍ୟାଣମୂଳକ କାର୍ଯ୍ୟ ସନ୍ତୋଷଜନକ ବୋଲି କହିଥିଲେ। କିନ୍ତୁ ପରିଷଦର ସଦସ୍ୟ ଥିବା କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ବୈଠକକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ଆଦିବାସୀଙ୍କ କଲ୍ୟାଣ ପାଇଁ ସରକାର ବିଫଳ ବୋଲି ସେ ଆରୋପ ଲଗାଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଜନଜାତିଙ୍କ ଆର୍ଥିକ ସଶକ୍ତିକରଣ, ଜୀବିକା ସୁଯୋଗର ସମ୍ପ୍ରସାରଣ, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ବିଶେଷ କରି ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ସରକାର ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜାତୀୟ ସ୍ତରର ଅନୁଷ୍ଠାନରେ ପଢ଼ୁଥିବା ଜନଜାତି ଛାତ୍ରଛାତ୍ରୀଙ୍କର ସମସ୍ତ ଶିକ୍ଷା ଖର୍ଚ୍ଚ ସରକାର ବହନ କରୁଛନ୍ତି। ଜନଜାତିଙ୍କ ବିକାଶ ତଥା ସେମାନଙ୍କ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୯ଟି ଜନଜାତି ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ୨୦୦୪ ମସିହାରୁ ରାଜ୍ୟ ସରକାର ‘ଓଡ଼ିଶା ଜନଜାତି ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମ’(ଓଟିଏଲ୍‌ଇପି)କୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ‘ଓଟିଏଲ୍‌ଇପି ପ୍ଲସ୍‌’ ନାଁରେ ଅତିରିକ୍ତ ୨୬୯୫ ଗାଁରେ ୧.୪୨ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି। ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ଜନଜାତିଙ୍କୁ ନିର୍ଦ୍ଦିଷ୍ଟ ଭାବେ ଜୀବିକାର ସୁଯୋଗ ଦେବା ପାଇଁ ଓପିଇଏଲ୍‌ଆଇପି ନାମରେ ସ୍ୱତନ୍ତ୍ର ଯୋଜନା ୨୦୧୬-୧୭ରୁ କାର୍ଯ୍ୟକାରୀ କରାଯାଉଛି। ୭୯୫ କୋଟି ଟଙ୍କାର ବଜେଟ୍‌ରେ ହୋଇଥିବା ଏହି ଯୋଜନାରେ ୬୨ ହଜାର ପରିବାର ଉପକୃତ ହେବେ।

ବୈଠକ ପରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ବୈଠକରେ ପ୍ରଶଂସା କରାଯାଇଛି ବୋଲି ସେ କହିଥିଲେ। ତେବେ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ କହିଥିଲେ, ପେସା ଆଇନ୍‌ ଓ ଜଙ୍ଗଲ ଅଧିକାର ଆଇନ୍‌ ରାଜ୍ୟରେ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନାହିଁ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମେ ଚାହୁଁଥିଲେ ବି ସୁଯୋଗ ମିଳିଲା ନାହିଁ।

ସୂଚନାଯୋଗ୍ୟ ଯେ ୨୦୧୫ ମସିହା ମାର୍ଚ୍ଚ ମାସରେ ଶେଷ ଥର ପାଇଁ ପରିଷଦ ବୈଠକ ବସିଥିଲା। ଏହି ବୈଠକ ନିୟମିତ ହେଉ ନ ଥିବାରୁ ବିଧାନସଭା ଅଧିବେଶନ ସମୟରେ ବିରୋଧୀ ଦଳ ସଭ୍ୟମାନେ ଗୃହ ଅଚଳ କରିଦେଇଥିଲେ।

ସମ୍ବନ୍ଧିତ ଖବର