ଶହ ଶହ ଏକର ମାଡ଼ିବସିଲେ ବଡ଼ବଡ଼ିଆ

ସରକାରୀ କର୍ମଚାରୀ-ବଡ଼ ଜମିମାଲିକ ମଧୁଚନ୍ଦ୍ରିକା, ମାମଲାରେ ଛନ୍ଦି ଦେଇ ଫାଙ୍କି ଚାଲିଛନ୍ତି ଆଇନ

ଭୁବନେଶ୍ବର : ରାଜ୍ୟରେ ଭୂ-ସଂସ୍କାର ଆଇନକୁ ଫୁ କରିଛନ୍ତି ବଡ଼ ବଡ଼ ଜମି ମାଲିକ। ବର୍ଷ ବର୍ଷ ଧରି ଶହଶହ ଏକର ଜମିର ମାଲିକାନା ଥାଇ ବି ଭୂ-ସଂସ୍କାର ଆଇନ ଅନ୍ତର୍ଗତ ସିଲିଂ ନିୟମ (ଜମିର ସର୍ବୋଚ୍ଚ ସୀମା) ଅନୁଯାୟୀ ବଳକା ଜମି ସରକାରୀ ଖାତାକୁ ଆସିପାରୁନି। ସିଲିଂ ମାମଲା ଥାଇ ବି ଜମି ଅନ୍ୟକୁ ହସ୍ତାନ୍ତର କରିବା ସହିତ ଆଇନ ଉଲଂଘନ କରି ତହସିଲଦାର ଅଫିସରେ ଜମିର ପଟ୍ଟା କରିବାରେ ଜମି ମାଲିକ ସଫଳ ହୋଇଛନ୍ତି।

ଏସବୁ ସରକାରୀ କର୍ମଚାରୀ ଓ ବଡ଼ବଡ଼ିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସମ୍ଭବ ହୋଇଥିବା େନଇ ବିଧାନସଭା ସରକାରୀ ହିସାବ କମିଟି ତା ରିପୋର୍ଟରେ ଦର୍ଶାଇଛି। ପିଏସିର ଏଭଳି ରିେପାର୍ଟ ରାଜ୍ୟ ରାଜସ୍ବ ବିଭାଗ ପାଇଁ ଅଡୁଆ ବଢାଇ ଦେଇଛି। ସରକାର େଯତେ ସଂସ୍କାର ଆଣିେଲ ବି ବଡ଼ବଡିଆ ମାଲିକମାେନ ତୃଣମୂଳସ୍ତରରେ ଆଇନକୁ ନିଜ ଢଙ୍ଗରେ େମାଡ଼ି ଚାଲିଛନ୍ତି।

ଓଡ଼ିଶା ଭୂ-ସଂସ୍କାର (ସଂଶୋଧନ) ଆଇନ ୧୯୭୬ ଅନୁଯାୟୀ, ଜମି ସିଲିଂ ମାମଲା ଚାଲୁଥିବା ବେଳେ ଜମିର ମାଲିକ ବଳକା ଜମି କାହାକୁ ବିକ୍ରି, ଦାନ, କିମ୍ବା କୌଣସି ପ୍ରକାର ଅନ୍ୟକୁ ହସ୍ତାନ୍ତର କରିପାରିବେ ନାହିଁ। କିନ୍ତୁ ବାସ୍ତବତା େହଲା, ବର୍ଷବର୍ଷ ଧରି ଆଇନର ଏ ବ୍ୟବସ୍ଥାକୁ ଉଲଂଘନ କରି ଶହଶହ ଏକରରୁ ଅଧିକ ଜମି ରଖିଥିବା ଜମି ମାଲିକମାନେ ବେଧଡ଼କ ଭାବେ ଅନ୍ୟକୁ ଜମି ହସ୍ତାନ୍ତର କରିଚାଲିଛନ୍ତି। ଚତୁରତାର ସହ ସିଲିଂ ମାମଲାରେ ଦରଜ ହୋଇଥିବା ଜମିର ପରିମାଣକୁ କମାଇବାକୁ ଯାଇ ଚଞ୍ଚକତାପୂର୍ଣ୍ଣ ଭାବେ ଶହଶହ ଏକର ଜମି ଅନ୍ୟକୁ ହସ୍ତାନ୍ତର କରାଯାଇଛି। ଅଥଚ ଏହାକୁ ରାଜସ୍ବ ଅଧିକାରୀ ଧରୁନାହାନ୍ତି କି ଏ ଦିଗରେ କେହି ବି ତତ୍ପରତା େଦଖାଉନାହାନ୍ତି। ଏପରିକି ବିଭିନ୍ନ ତହସିଲଦାର ନିଜ ଅଫିସରେ ଜମି ସିଲିଂ ନେଇ କେତେ ମାମଲା ଅଛି ତାର ହିସାବ ବି ରଖୁନାହାନ୍ତି।ଯାହାକୁ ନେଇ ସରକାରୀ ହିସାବ କମିଟି ଘୋର ଅସନ୍ତୋଷ ପ୍ରକାଶ କରିଛି।

କମିଟି ତାଙ୍କ ରିେପାର୍ଟରେ ଦର୍ଶାଇଛନ୍ତି, ରାଜ୍ୟରେ ଜମି ସିଲିଂ ମାମଲା ନାଁରେ ଅଭିନବ ଉପାୟରେ ଜମି ହଡପର ବାଟ ବାହାର କରାଯାଇଛି।

ରାଜା, ଜମିଦାରଙ୍କ ପରି ବଡ଼ ଜମି ମାଲିକ ସରକାରଙ୍କୁ ନିଜ ବଳକା ଜମି ନଦେଇ ବିଭିନ୍ନ ଆଳ ଦେଖାଇ କୋର୍ଟରେ ମାମଲା କରି ଶହଶହ ଏକର ଜମି ନିଜ ମାଲିକାନାରେ ରଖିବାରେ ସଫଳ ହୋଇଛନ୍ତି। ଏହା ଯୋଗୁଁ ଛୋଟ ଜମି ମାଲିକ କ୍ଷତି ସହୁଛନ୍ତି। ରାଜ୍ୟରେ ୧୦ ହଜାର ଏକର ଜମି ଏପରି ମାମଲାରେ ଛନ୍ଦି ହୋଇଥିବା ଖୋଦ ରାଜସ୍ବ ବିଭାଗ ସଚିବ କମିଟି ଆଗରେ ତଥ୍ୟ ରଖିଛନ୍ତି। ବର୍ଷେ ନୁହେଁ କି ଦୁଇ ବର୍ଷ, ଦୀର୍ଘ ୪୨ ବର୍ଷ ଧରି ରାଜ୍ୟର ବିଭିନ୍ନ ତହସିଲ ଅଫିସରେ ଏପରି ଜମି ସିଲିଂ ମାମଲା ପଡ଼ିରହିବା ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।

ଓଡ଼ିଶା ଭୂ-ସଂସ୍କାର (ସଂଶୋଧନ) ଆଇନ ୧୯୭୬ର ଧାରା ୩୭(କ) ଅନୁଯାୟୀ ଜଣେ ଜମି ମାଲିକ ୧୦ ଷ୍ଟାଣ୍ଡାର୍ଡ଼ ଏକର ଜମି ନିଜ ମାଲିକାନାରେ ରଖିପାରିବେ। କିନ୍ତୁ ତା ପରିବାରର ସଦସ୍ୟଙ୍କ ସଂଖ୍ୟା ଯଦି ୫ ଜଣରୁ ଅଧିକ ହୋଇଥିବ ତାହେଲେ ପ୍ରତି ଜଣେ ଅଧିକ ସଦସ୍ୟ ପାଇଁ ଆଉ ୨ ଏକର ଅଧିକ ରଖିପାରିବେ। କିନ୍ତୁ କୌଣସି ବି ପରିସ୍ଥିତିରେ ସର୍ବୋଚ୍ଚ ଜମି ରଖିବା ସୀମା ୧୮ ଷ୍ଟାଣ୍ଡାର୍ଡ଼ ଏକରରୁ ଅଧିକ ହେବନାହିଁ। ଏହି ଆଇନ କହୁଛି, ଷ୍ଟାଣ୍ଡାର୍ଡ଼ ଏକର ନିର୍ଦ୍ଧାରଣ ପାଇଁ ଜମିକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ଗୋଟିଏ ଏକର ଜଳସେଚିତ ଜମିରେ ଦୁଇଟି କିମ୍ବା ତଦୁର୍ଦ୍ଧ ଫସଲ ହେଲେ ପ୍ରଥମ ବର୍ଗ, ଏକଫସଲି ଜଳସେଚିତ ଜମି ଦ୍ବିତୀୟ, ଅଣଜଳସେଚିତ ଜମି ତୃତୀୟ ଏବଂ ଅନ୍ୟ ପତିତ ଓ ନଡ଼ିଆ ବଗିଚା ଜମି ଚତୁର୍ଥ ବର୍ଗର ବୋଲି ଗଣାଯିବ। ଏହି ଆଇନର ଧାରା ୩୦ ଅନୁଯାୟୀ ଜଣେ ଜମି ମାଲିକର ସିଲିଂ ବାବଦରେ ଷ୍ଟାଣ୍ଡାର୍ଡ଼ ଏକର ନିର୍ଦ୍ଧାରଣ ପାଇଁ ପ୍ରଥମ ବର୍ଗର ଜମି ଗୋଟିଏ ଏକର, ଦ୍ବିତୀୟ ବର୍ଗର ଜମି ହେଲେ ଦେଢ଼ ଏକର, ତୃତୀୟ ବର୍ଗର ଜମି ତିନି ଏକର ଓ ଚତୁର୍ଥ ବର୍ଗର ସାଢ଼େ ଚାରି ଏକର ଜମି ହିସାବକୁ ନିଆଯିବ।

ସରକାରୀ ହିସାବ କମିଟି ତାଙ୍କ ରିପୋର୍ଟରେ ଉଦାହରଣ ଦେଇ କହିଛନ୍ତି,୨୦୧୮ ଫେବ୍ରୁଆରି ଓ ଅଗଷ୍ଟରେ କମିଟିର ଶୁଣାଣି ବେଳେ ଭୂ-ସଂସ୍କାର କମିସନ କେତେକ ଜିଲ୍ଲାରେ ଜଣେ ଲେଖାଏଁ ଜମି ମାଲିକ ୫୦୦ ଏକରରୁ ଅଧିକ ଜମି ନିଜ ମାଲିକାନାରେ ରଖିଥିବା ସ୍ବୀକାର କରିଛନ୍ତି। ରାୟଗଡ଼ାରେ ଏପରି ଗୋଟିଏ ସିଲିଂ ମାମଲା ବିଚାରଧୀନ ରହିଛି। ଏ ନେଇ ସରକାରୀ ହିସାବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଭୂ-ସଂସ୍କାର କମିସନଙ୍କୁ ମନେପକାଇ ଦେଇ କହିଥିଲେ ବଲାଙ୍ଗୀର ତହସିଲରେ ଜଣେ ଜମି ମାଲିକଙ୍କ ବିରୋଧରେ ୭୦୦ ଏକର ଜମି ରଖିଥିବା ନେଇ ସିଲିଂ ମାମଲା ହୋଇଛି। କିନ୍ତୁ ଦୁର୍ଭାଗ୍ୟର କଥା, ବଲାଙ୍ଗୀର ତହସିଲଦାର ଓ ସମ୍ପୃକ୍ତ ଜମି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଇନ ଉଲଂଘନ କରି ବିଚାରଧୀନ ଥିବା ୭୦୦ ଏକରରୁ ଅଧିକାଂଶ ଜମିକୁ ଭାଗବଣ୍ଟା, ଅନ୍ୟକୁ ହସ୍ତାନ୍ତର କରାଯାଇଛି। ଆଉ ସମ୍ପୃକ୍ତ ତହସିଲଦାରଙ୍କ ବିରୋଧରେ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଦୀର୍ଘ ୪୦ ବର୍ଷ ଧରି ଏହି ମାମଲାଟି ଫଇସଲା ନହୋଇ ପଡ଼ିରହିଛି। ଏ ନେଇ ରାଜସ୍ବ ସଚିବ କମିଟିକୁ ପ୍ରତିଶ୍ରୁତି ଦେଇ କହିଥିଲେ ଖୁବଶୀଘ୍ର ଭୂ-ସଂସ୍କାର କମିସନ ଓ ରାଜସ୍ବ ବିଭାଗ ଅତିରିକ୍ତ ସଚିବ ବଲାଙ୍ଗୀର ଗସ୍ତ କରି ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ।
କମିଟି ସଦସ୍ୟ ତଥା ବିଧାୟକ ସରୋଜ କୁମାର ସାମଲ ଅଭିଯୋଗ କରି କହିଥିଲେ, ଢେଙ୍କାନାଳ ତହସିଲରେ ସିଲିଂ ମାମଲା ସମ୍ପର୍କିତ ରେକର୍ଡ଼ ରଖାଯାଉନି। ଫଳରେ ବର୍ଷବର୍ଷ ଧରି ଏ ନେଇ ହାଇକୋର୍ଟରେ ଦାଖଲ ହୋଇଥିବା ରହିତାଦେଶ ମାମଲାକୁ ତ୍ବାରନ୍ବିତ କରାଯାଇପାରୁନି। କମିଟି ଶୁଣାଣି ବେଳେ ରାଜସ୍ବ ବିଭାଗ ସଚିବ ଜମି ସିଲିଂ ମାମଲାର ହିସାବ ଦେଇ କହିଥିଲେ, ମୋଟ ୬୦ ହଜାର ୨୯୫ଟି ମାମଲା ଭିତରୁ ୧୯୬ଟି ମାମଲାରେ କିଛି ବି ବିଚାର ନହୋଇ ପଡ଼ିରହିଛି। ବିଭିନ୍ନ ଅଦାଲତରେ ୨୪୧ଟି ମାମଲା ପଡ଼ି ରହିଥିବା ବେେଳ ଏସବୁ ମାମଲା ଫଇସଲା କରିବାକୁ କେହି ବି ଆଗଭର ହେଉନାହାନ୍ତି।

ସେହିପରି ବିଭିନ୍ନ ତହସିଲଦାରଙ୍କ କୋର୍ଟରେ ୩ ହଜାର ୪୦୦ ଏକର ଜମି ପାଇଁ ୧୨୦ଟି ସିଲିଂ ମାମଲା ବିଚାର ନହୋଇ ପଡ଼ିରହିଛି। ଆଉ ଜଣେ ରାଜସ୍ବ ଅଧିକାରୀ କମିଟି ଆଗରେ ବୟାନ ରଖି କହିଥିଲେ, ୧୯୭୬ରୁ ସିଲିଂ ନିୟମ ଲାଗୁ ହେବା ପରଠୁ ୧୪୪ଟି ମାମଲା ବିଭିନ୍ନ ଅଦାଲତରେ ପଡ଼ିରହିଛି। ସେଥିରୁ ୯୨ଟି ରାଜସ୍ବ କୋର୍ଟରେ ପଡ଼ି ରହିଥିବାବେଳେ ୫୦ଟି ହାଇକୋର୍ଟରେ ଓ ୨ଟି ମାମଲା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ରାଜସ୍ବ କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବାକୁ ରାଜସ୍ବ ଆୟୁକ୍ତଙ୍କୁ ଦାୟିତ୍ବ ଦିଆଯିବ ବୋଲି କମିଟି ଆଗରେ ଖୋଦ ରାଜସ୍ବ ସଚିବ ପ୍ରତିଶ୍ୁତି ଦେଇଛନ୍ତି।

ଭୂ-ସଂସ୍କାର ଆଇନକୁ କାର୍ଯ୍ୟକାରି କରିବାରେ ସରକାରଙ୍କ ଉଦାସୀନତା ନେଇ ସରକାରୀ ହିସାବ କମିଟି ଅସନ୍ତୋଷ ପ୍ରକାଶ କରିବା ସହ ଚଞ୍ଚକତାପୂର୍ଣ୍ଣ ଭାବେ ଜମି ରେକର୍ଡ଼ କରିଥିବା ତହସିଲଦାରଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଦାୟିତ୍ବରେ ଅବହେଳା ପାଇଁ ସମ୍ପୃକ୍ତ ତହସିଲଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧିତ ଖବର