ବିସ୍ଥାପିତଙ୍କୁ ଅଣବିସ୍ଥାପିତଙ୍କ ହତ୍ୟା ଧମକ ଅଭିଯୋଗ

ଦଲାଲ ହାତରେ ବିସ୍ଥାପିତଙ୍କ ଭାଗ୍ୟ ଡୋରି

କୋମନା: କୋମନା ଓ ଖଡ଼ିଆଳ ମଧ୍ୟ ଭାଗରେ ନିର୍ମାଣାଧୀନ ତିଖାଲି ପ୍ରକଳ୍ପ କାମ ସରିବା ଯେତେ ପାଖେଇ ଆସୁଛି, ସେତେ ବିବାଦ ଦିନକୁ ଦିନ ପଦାକୁ ଆସୁଛି। ଏବେ ପ୍ରକୃତ ବିସ୍ଥାପିତଙ୍କୁ ଅଣ ବିସ୍ଥାପିତ ହଇରାଣ କରିବା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି।
ସୁରୁ ସାହୁ ନାମକ ଜଣେ ମହିଳା ବିଭିନ୍ନ ପର୍ଯ୍ୟାୟରେ ୨୦୦୩ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଥଇଥାନ ରାଶି ପାଇଁ ଅନ୍ୟ ଗ୍ରାମରେ ବସତି କରିବା ସହ ୨୦୧୫ରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ସୁରୁ ସାହୁ ପୁରୁଷ ହୋଇଥିବା ବେଳେ ସେ ନିଜକୁ ବିସ୍ଥାପିତ ଦର୍ଶାଇ ପ୍ରକୃତ ବିସ୍ଥାପିତମାନଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ଦେଉଥିବା ଜଣେ ବିସ୍ଥାପିତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ମହିଳା ସୁରୁ ସାହୁ ଖଡ଼ିଆଳ ଥାନା ଅନ୍ତର୍ଗତ ବାଦି ଗ୍ରାମର ତାଙ୍କ ପୁଅ ରାଜକିଶୋର ସାହୁଙ୍କ ଘରେ ରହୁଥିଲେ। ସେ ୨୦୧୫ରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଏହାକୁ ନେଇ କୋମନା ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ପୁରୁଷ ସୁରୁ ସାହୁ ତାଙ୍କ ପୁଅ ରାଜକିଶୋର ସାହୁ ବୋଲି ଦାବି କରୁଛନ୍ତି। ତାଙ୍କ ବାପାଙ୍କ ନାମରେ ଆସିଥିବା ବିସ୍ଥାପିତ ଟଙ୍କାକୁ ଆତ୍ମସାତ କରିଥିବା କଥା କହି ସାକ୍ଷ୍ୟ ଥିବା ବ୍ୟକ୍ତିମାନଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ଚମକ ଦେବା ସହ ସାକ୍ଷୀମାନଙ୍କ ନାମରେ ଅଯଥାରେ ମିଥ୍ୟା କେସ୍‌ କରି ହଇରାଣ କରୁଥିବା ବିସ୍ଥାପିତ ଜୟରାମ ମାଝୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଜୟରାମଙ୍କ ପାଖକୁ ଫୋନ୍‌ ନଂ.୭୩୨୭୦୧୧୭୧୬ରୁ ଇଚ୍ଛାପୁର ଗ୍ରାମର ରାଜକିଶୋର ସାହୁ, ପିତା ସୁରୁ ସାହୁ ବୋଲି ପରିଚୟ ଦେଇ ଜୟରାମ ସାହୁଙ୍କୁ ବାପା ସୁରୁ ସାହୁଙ୍କ ନାମରେ ଥିବା ବିସ୍ଥାପିତ ଟଙ୍କାକୁ ଆତ୍ମସାତ କରିଛୁ ତୋତେ ଜୀବନରେ ମାରି ଦେବି କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା। ସେହିପରି କାଳିମାଟି ଗ୍ରାମର ୬ ଜଣଙ୍କ ନାମରେ ଥାନାରେ ବିସ୍ଥାପିତଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ କରିଥିବା ଜଣାପଡ଼ିବା ପରେ ବିସ୍ଥାପିତ ଜୟରାମ ମାଝୀ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ୬ ଜଣ ବିସ୍ଥାପିତମାନଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ ଅଣବିସ୍ଥାପିତ ରାଜକିଶୋର ସାହୁ କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି। ଏ ଦିଗରେ ତଦନ୍ତ କରିବା ପାଇଁ ବିସ୍ଥାପିତ ସହାୟତା ସମିତି ସଭାପତି ଅଲେଖରାମ ମାଝୀ, ସଂପାଦକ ନିତ୍ୟାନନ୍ଦ ପ୍ରଧାନ, ମଞ୍ଚ ସଭାପତି କିଶୋରଚନ୍ଦ୍ର କଠାର, ସଂପାଦକ ପିରିତରାମ ରାଉତଙ୍କ ସମେତ କରୁଣାକର ହୋତା, ରଥୁ ଶଗରିଆ, ତୁକାରାମ ଶଗରିଆ, ସାଂସଦ ପ୍ରତିନିଧି କ୍ଷମାସିଂ ନିଆଲ, ଜଗନ୍ନାଥ ମାଝୀଙ୍କ ସମେତ ବିସ୍ଥାପିତ ମିଳିତ ମଞ୍ଚ ତରଫରୁ ଦାବି ହେଉଛି।
ନିର୍ମାଣାଧୀନ ତିଖାଲି ଲୋୟର ଇନ୍ଦ୍ର ଜଳପ୍ରକଳ୍ପର କ୍ଷତିଗ୍ରସ୍ତ ବିସ୍ଥାପିତମାନଙ୍କ ଭାଗ୍ୟ ଡୋରି ଦଲାଲମାନଙ୍କ ନିୟନ୍ତ୍ରଣରେ ରହିଥିବା କୋନାବିରା ଲୋୟର ଇନ୍ଦ୍ର ଜନସଚେତନ ମଞ୍ଚ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି। ଏହି ପ୍ରକଳ୍ପ ଚଳିତ ବର୍ଷ ଶେଷ ବେଳକୁ ସଂପୂର୍ଣ୍ଣ ହେବ। ଏଥିରେ ବହୁ ବିସ୍ଥାପିତ ବର୍ତ୍ତମାନ ପର୍ଯ୍ୟନ୍ତ ବାଦ୍‌ ପଡ଼ିଛନ୍ତି। କିନ୍ତୁ ଦଲାଲମାନଙ୍କ ରାଜ ଓ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ମିଥ୍ୟା ପ୍ରତିଶ୍ରୁତି ସହ ପ୍ରଶାସନର ପ୍ରତାରଣା ଯୋଗୁଁ ଏହି ପ୍ରକଳ୍ପ ନିମନ୍ତେ ଭିଟାମାଟି ଛାଡ଼ୁଥିବା ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରମାନଙ୍କ ଦୁଃଖ ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଡ଼ି ଅଞ୍ଚଳବାସୀ ଏକତ୍ରିତ ହୋଇ ପୂର୍ବରୁ ଏହି ପ୍ରକଳ୍ପରେ କାର୍ଯ୍ୟରତ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ଓ କୋନାବିରା ଜନସଚେତନ ମଞ୍ଚ ଏକତ୍ରିତ ହୋଇ ମିଳିତ ମଞ୍ଚ ଭାବରେ ସରକାରଙ୍କଠାରେ ବିସ୍ଥାପିତମାନଙ୍କ ସମସ୍ୟାକୁ ରଖିବା ପାଇଁ ଏକଜୁଟ ହୋଇ ଚୁକ୍ତି ହେବା ସହ ଜନସଚେତନ ମଞ୍ଚର କର୍ମକର୍ତ୍ତା ନୂତନ ଭାବରେ ଚୟନ କରିଛନ୍ତି।

ଫଳରେ କିଛି ସ୍ୱାର୍ଥପର ବ୍ୟକ୍ତିଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହେଉଥିବାରୁ ମିଳିତ ମଞ୍ଚର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଏହାକୁ ନେଇ ବିସ୍ଥାପିତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରକୃତ ମଞ୍ଚର କର୍ମକର୍ତ୍ତା କିଏ ତାହା ପ୍ରକାଶ କରିଥିଲେ। ମଞ୍ଚର ସଭାପତି କିଶୋରଚନ୍ଦ୍ର କଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରିଣୀ ସଂପାଦକ ପିରିତରାମ ରାଉତ ବିସ୍ଥାପିତମାନଙ୍କ ସମସ୍ୟା ଓ ଦଲାଲମାନଙ୍କ ପ୍ରାର୍ଦୁଭାବ ବିଷୟରେ ସୂଚନା ଦେଇଥିଲେ। ଉପସଭାପତି ରଥୁରାମ ଶଗରିଆ, ସହସଂପାଦକ ଦୁର୍ଗାପ୍ରସାଦ ସିଂ, କୋଷାଧ୍ୟକ୍ଷ ଆତ୍ମାରାମ ପଟେଲ, ଉପଦେଷ୍ଟା କ୍ଷମାସିଂ ନିଆଲ, ଜଗନ୍ନାଥ ମାଝୀ, ବ୍ରଜସୁନ୍ଦର ପଟେଲ, ତୁକାରାମ ଶଗରିଆ, ଗୌତମ ବାଗ, ମିଳିତ ମଞ୍ଚର କରୁଣାକର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର