ଲ୍ୟାଣ୍ଡମାଇନ୍‌ ଠାବ, ରାସ୍ତା ସିଲ୍‌

0

କୋରାପୁଟ/ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଖିନିମୁ ନିକଟରେ ଏକ ଲୁହା ପୋଲ ତଳେ ଲ୍ୟାଣ୍ଡ ମାଇନ ଠାବ କରାଯାଇଛି। ବିଏସଏଫ ପକ୍ଷରୁ ଯାଂଚ ସମୟରେ ଏହି ଲ୍ୟାଣ୍ଡ ମାଇନ କେହି ଖଞ୍ଜିଥିବା ଜଣାପଡିଥିଲା। ପରେ ରାସ୍ତାକୁ ସିଲ କରି ଦିଆଯାଇଛି। କିଏ ଏବଂ କାହିଁକି ଏଭଳି କାଣ୍ଡ କରିଥିଲା ସେନେଇ କେହି କିଛି ସ୍ପଷ୍ଟ କରୁନାହାନ୍ତି। ତଥାପି ନିର୍ବାଚନକୁ ମାଓବାଦୀ ବିରୋଧ କରୁଥିବାରୁ ପ୍ରଭାବିତ କରିବାକୁ ଏମିତି କାମ କରିଥିବା ଅନୁମାନ କରାଯାଉଛି।

ଲମତାପୁଟ ବ୍ଲକ ଅନ୍ତର୍ଗତ ସଗର-ଜଲାପୁଟ ମୁଖ୍ୟ ରାସ୍ତାରେ ବିଏସଏଫ ପକ୍ଷରୁ ଆଜି ତଲାସି ଚାଲିଥିଲା ବେଳେ ଖିନିମୁ ଲୁହା ପୋଲ ପାଖରେ କିଛି ତାର ଥିବା ଦେଖିବାକୁ ପାଇଥିଲେ। ଏହାକୁ ଯାଂଚ କରିବା ସମୟରେ ପୋଲ ତଳୁ ପାଖାପାଖି ଦୁଇ ଶହ ମିଟର ଲମ୍ବା ପର୍ଯ୍ୟନ୍ତ ଏହି ତାର ଯାଇଥିବା ଜଣାପଡିଥିଲା। ପୋଲ ତଳେ ଲ୍ୟାଣ୍ଡ ମାଇନ ଖଂଜା ଯାଇଥିବା ବିଏସଏଫ ପକ୍ଷରୁ ସନ୍ଦେହ କରାଯାଉଛି। ଏହା ପରେ ଲ୍ୟାଣ୍ଡ ମାଇନ ନିଷ୍କ୍ରିୟକାରୀ ଦଳକୁ ଖବର ଦିଆଯାଇଛି। କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ଟିମ ପହଞ୍ଚି ନ ଥିବାରୁ ଏହାକୁ ନିଷ୍କ୍ରିୟ କରାଯାଇ ପାରିନାହିଁ। ଏପଟେ ବିଏସଏଫ ପକ୍ଷରୁ ଉକ୍ତ ପୋଲକୁ ସିଲ କରି ଦିଆଯାଇଛି। ପୋଲ ଦେଇ କାହାରିକୁ ଛଡା ଯାଉନାହିଁ। ବିଏସଏଫ ଯବାନ ଅଂଚଳକୁ ଜଗି ରହିଛନ୍ତି। ଅପରପକ୍ଷରେ ଲୁଗୁମ ଓ ଚିଲିବା ମଝିରେ ଆଜି ଏକ ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ବି‌ସ୍ଫୋରଣ କାରଣରୁ ଅଂଚଳରେ ଭୂମିକଂପ ପରି ଅନୁଭବ ହୋଇଥିଲା ବୋଲି ଅଂଚଳବାସୀ କହିଛନ୍ତି। କିନ୍ତୁ କେଉଁଠାରେ ବିସ୍ଫୋରଣ ହୋଇଛି ଓ କ’ଣ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.