କମ୍ବିଂ ସମୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ବଲାଙ୍ଗୀର/ପାଟଣାଗଡ଼ : ପୁଲିସ ଇନଫର୍ମର କହି ଜଣକୁ ହତ୍ୟା କରିବା ପରେ ଏବେ କମ୍ବିଂ କରୁଥିବା ଯବାନମାନଙ୍କୁ ଟାର୍ଗେଟ କରିଛି ମାଓ ସଂଗଠନ। ବୁଧବାର ପୁଲିସ କମ୍ବିଂ ସମୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରାଯାଇଛି। ‌ସୌଭାଗ୍ୟବଶତଃ ଅଳ୍ପକେ ସୁରକ୍ଷା କର୍ମୀ ବର୍ତ୍ତି ଯାଇଛନ୍ତି। ବେହେରାପାଣି- ଖୁରିପାନି ମଧ୍ୟବର୍ତ୍ତୀ ଅଂଚଳରେ ମାଓବାଦୀମାନେ ଲ୍ୟାଣ୍ଡ ମାଇନ ବିଛାଇଥିଲେ। ଏହା ବିସ୍ଫୋରଣ ଘଟିବା ପରେ ୨ ଜଣ ସୁରକ୍ଷା କର୍ମୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ରାତିରେ ଖୁରିପାନି ଗାଁର ତ୍ରିଲୋଚନ ତରିଆଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଏହାପରେ ବଲାଙ୍ଗୀର ପୁଲିସ କମ୍ବିଂ ଅପରେସନକୁ ଜୋରଦାର କରିଥିଲା। ଏହା ପରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିଛାଇ ଯବାନମାନଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି। ଅନ୍ୟପଟେ ଏହାକୁ ନେଇ ଭୟର ବାତାବରଣ ଖେଳିଛି। ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ କମ୍ବିଂ ଚାଲୁ ରହିଥିବା ସୂଚନା ମିଳିଛି। ଏ ନେଇ ବଲାଙ୍ଗୀର ଏସପିଙ୍କୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର