ରାୟଗଡ଼ାରେ ଲ୍ୟ‌ାଣ୍ଡମାଇନ୍‌ ବିସ୍ଫୋରଣ

ବର୍ତିଲେ ଥାନା ଅଧିକାରୀ, ଗଛ ପକାଇ ରାସ୍ତା ଅବରୋଧ

ରାୟଗଡା/ବିଷମକଟକ : ରାୟଗଡା-ବିଷମକଟକ ରାସ୍ତାର ଚାଟିକଣାରେ ଆଜି ସକାଳେ ମାଓବାଦୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ବିଷମକଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଅଳ୍ପକେ ବର୍ତି ଯାଇଥିବାବେଳେ ରାସ୍ତାର କିଛି ଅଂଶ ନଷ୍ଟ ହୋଇଛି। ପୋତା ଯାଇଥିବା ଆଉ ଏକ ଲ୍ୟାଣ୍ଡମାଇନକୁ ପୁଲିସ୍ ଠାବ କରିବା ପରେ ନିଷ୍କ୍ରିୟ କରିଛି। ଡଗ୍ ସ୍କ୍ବାଡ, ବମ୍ ସ୍କ୍ବାଡ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ଗୋଟିଏ ମାଓ ପୋଷ୍ଟରକୁ ଜବତ କରିଛନ୍ତି। ଏହି ଘଟଣା ପରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସିଲ୍ କରାଯାଇ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି। ମାଓବାଦୀଙ୍କ ସଂପୂର୍ଣ ଭାରତ ବନ୍ଦ ଡାକରାରେ ରାୟଗଡାରେ ବଡ ଧରଣର ହମଲା ପାଇଁ ମାଓବାଦୀ ଯୋଜନା କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଚାଟିକଣା ନିକଟରେ ରାସ୍ତା ଖୋଳି ଲ୍ୟାଣ୍ଡମାଇନ୍ ଖଞ୍ଜିବା ପାଇଁ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡି ଚଳାଚଳ ଯୋଗୁ ମାଓବାଦୀ ରାସ୍ତା ଖୋଳିନପାରି ରାସ୍ତା ପାର୍ଶ୍ବରେ ଦୁଇଟି ଲ୍ୟାଣ୍ଡମାଇନ୍ ପୋତି ଗଛ କାଟି ରାସ୍ତା ଉପରେ ପକାଇ ଚାଲି ଯାଇଥିଲେ। ଖବର ପାଇ ବିଷମକଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ କିଛି ପୁଲିସ୍ କର୍ମଚାରୀଙ୍କ ସହ ସକାଳ ସାଢ଼େ ୬ଟାରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗଛକୁ ରାସ୍ତା ଉପରୁ ହଟାଇବା ସହ ମାଓ ପୋଷ୍ଟର ଉଦ୍ଧାର କରି ଥାନା ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲା। ବିସ୍ଫୋରଣ ସ୍ଥଳରୁ ମାତ୍ର ୧୦ ମିଟର ଦୂରରେ ଥାନା ଅଧିକାରୀ ଥିବାରୁ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତି ଯାଇଥିଲେ। ବିସ୍ଫୋରଣ ପରେ ଡିଭିଏଫ୍ ଯବାନ, ସିଆରପିଏଫ୍ ଯବାନ ଚାଟିକଣାରେ ପହଞ୍ଚି କମ୍ବିଂ ଅପରେସନକୁ ଜୋରଦାର୍ କରିଛନ୍ତି। ପୋଷ୍ଟରରେ ମାଓବାଦୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିନ୍ଦା କରିବା ସହ ପୁଲିସ୍ ଦ୍ବାରା ତିଆରି କରାଯାଇଥିବା ଆଣ୍ଟି ନକ୍ସଲ ପିପୁଲ୍ ଫୋର୍ସକୁ ବିରୋଧ କରିଛନ୍ତି। ମୁକ୍ତି-ଅଧିକାର-ଶାନ୍ତି ପାଇଁ ମାଓବାଦୀଙ୍କ ନେତୃତ୍ବରେ ସଂଗଠିତ ହୋଇ ଜନଯୁଦ୍ଧକୁ ତୀବ୍ର କରିବାକୁ ମାଓ ସଂଗଠନ ଆହ୍ବାନ ଦେଇଛି।

ସମ୍ବନ୍ଧିତ ଖବର