ମାଟି ତଳେ ମୃତ୍ୟୁ ଜାଲ : ମାଓବାଦୀ ବିଛାଇଛନ୍ତି ଶହ ଶହ ଲ୍ୟାଣ୍ଡମାଇନ୍‌

କୋରାପୁଟ : ମାଓବାଦୀଙ୍କ ନୂଆ ଆଡ୍ଡା ପାଲଟିଥିବା କୋରାପୁଟର ବୈପାରିଗୁଡାରେ ଏବେ ପାଦେ ପାଦେ ବିପଦ। ସୁରକ୍ଷା ବଳକୁ ପାନେ ଦେବା ପାଇଁ ମାଟିତଳେ ମୃତ୍ୟୁର ଜାଲ ବିଛାଇ ଚାଲିଛନ୍ତି ଲାଲବାହିନୀ। ଶହଶହ ଜୀବନ୍ତ ଲ୍ୟାଣ୍ଡମାଇନ୍‌କୁ ମାଟିତଳେ ବିସ୍ଫୋରଣ ପାଇଁ ରଖାଯାଇଛି। ଗୋଇନ୍ଦା ବିଭାଗ ଏ ନେଇ ପୁଲିସ୍‌ ଏବଂ ସୁରକ୍ଷା ବଳକୁ ସତର୍କ କରାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ରାମଗିରି ଅଞ୍ଚଳରେ ପ୍ରାୟ ଦୁଇ ସପ୍ତାହ ହେଲା ମାଓ ଆତଙ୍କ ଲାଗିରହିଛି। ବିଭିନ୍ନ ସମୟରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ସେମାନଙ୍କ ଦବ୍‌ଦବା ଦେଖାଇବାକୁ ପ୍ରୟାସ ଚଳାଇଛନ୍ତି। ହାଟ ମଝିରେ ଆକ୍ରମଣ ହେଉ କି, ବ୍ୟାଗ୍‌ବୋମା ବିସ୍ଫୋରଣ ହେଉ ଯେ କୌଣସି ବାଟରେ ସେମାନଙ୍କ ଉପସ୍ଥିତିକୁ ଜାହିର କରିଛନ୍ତି। ମାଓବାଦୀମାନେ ଖୋଲାଖୋଲି ଭାବେ ପୁଲିସ୍‌କୁ ଚ୍ୟାଲେଞ୍ଜ ଦେଇ ସେମାନଙ୍କ କାର୍ଯ୍ୟକଳାପ ବଢ଼ାଇବାରେ ଲାଗି ପଡିଛନ୍ତି। ହେଲେ ପୁଲିସ୍‌ ପକ୍ଷରୁ ଯେମିତି ପାଲଟା ଆକ୍ରମଣ ହେବା କଥା ହୋଇପାରୁନି। ଏହାପଛରେ ରହିଛି ଲ୍ୟାଣ୍ଡମାଇନ୍‌ର ଭୟ। ଏସମ୍ପର୍କରେ ସୂଚନା ପାଇବା ପରେ ଗୁଇନ୍ଦା ବିଭାଗ ସୁରକ୍ଷା ବଳକୁ ଚେତାଇ ବି ଦେଇଛି।

ଗୋଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବୈପାରିଗୁଡ଼ାର ବିଭିନ୍ନ ଅଞ୍ଚଳର ମାଟିତଳେ ଶହଶହ ଲ୍ୟାଣ୍ଡମାଇନ୍‌ ପୋତାଯାଇଛି। କିଛିଦିନ ତଳେ ସ୍ଥାନୀୟ ରତାଖଣ୍ଡିରୁ ୩ଟି ଲ୍ୟାଣ୍ଡ୍‌ମାଇନ ଉଦ୍ଧାର କରାଯାଇଥିଲା। ସେହିପରି ଏକ ବ୍ୟାଗରେ ବୋମା ରଖି ବିସ୍ଫୋରଣ କରାଇଥିଲେ ମାଓବାଦୀ। ବ୍ୟାଗ୍‌ ଖୋଲୁଥିବା ସମୟରେ ଏହି ବିସ୍ଫୋରଣ ହେବାରୁ ଜଣେ ସାଧାରଣ ଲୋକ ଗୁରୁତର ଆହତ ହୋଇଥିଲେ। ଏବେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପଟେ କାଳିଆଝୋଲି ପାଖରେ ସୁରକ୍ଷା ବଳକୁ ଟାର୍ଗେଟ କରି ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣ କରାଯାଇଥିଲା। ହେଲେ, ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିଲାବେଳେ ରାସ୍ତା କଡ଼ରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହିସବୁ ଘଟଣା ଏବଂ ଗୋଇନ୍ଦା ବିଭାଗ ତଥ୍ୟ ଆଧାରରେ ଶହଶହ ଲ୍ୟାଣ୍ଡମାଇନ୍‌ ମାଟିତଳେ ବିଛା ଯାଇଥିବା ସ୍ପଷ୍ଟ ହୋଇଛି।

ଗୋଇନ୍ଦା ବିଭାଗକୁ ହସ୍ତଗତ ହୋଇଥିବା ଏକ ତଥ୍ୟ ଅନୁସାରେ, ପୁଲିସ୍‌ ମାଓକ୍ୟାମ୍ପ୍‌ ଉପରେ ହାମ୍‌ଲା କରି ୪ ଜଣ ମହିଳା କ୍ୟାଡର୍‌ଙ୍କୁ ହତ୍ୟା କରିବା ପରେ ମାଓବାଦୀ ରକ୍ତମୁଖା ହୋଇଛନ୍ତି। ଯେଉଁଥିପାଇଁ ସେମାନେ ବଦ୍‌ଲା ନେବା ସୁଯୋଗରେ ରହିଛନ୍ତି। ଏଥିପାଇଁ ସେମାନେ ବୈପାରିଗୁଡା ଅଂଚଳକୁ ବାଛି ଥିବାର ଅନୁମାନ କରାଯାଉଛି। ପଟାଙ୍ଗୀ, ନାରାୟଣପାଟଣା, ନନ୍ଦପୁର ଆଦି ଅଂଚଳରେ ଘନ ଘନ କମ୍ବିଂ ପରେ ବହୁ କ୍ୟାଡର ମାଓବାଦୀ ବୈପାରୀଗୁଡାରେ ଡେରା ପକାଇଥିବା ଜଣାପଡିଛି। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଜରିଆରେ ସେମାନେ
ସୁରକ୍ଷା ବଳର ବଡ଼ଧରଣର କ୍ଷତି ଘଟାଇବା ଲକ୍ଷ୍ୟରେ ରହିଛନ୍ତି।

ଏ ସମ୍ପର୍କରେ ଗୁଇନ୍ଦା ସତର୍କ କରିଦେବା ପରେ ପୁଲିସ ମାପିଚୁପି ପଦକ୍ଷେପ ନେଉଛି। କୌଣସି ଘଟଣା ପରେ ସାଙ୍ଗେ ସାଙ୍ଗେ ପ୍ରତିକ୍ରିୟା ପ୍ରକାଶ ନ କରି ଅପେକ୍ଷା କରୁଛି। ଗାଡିରେ ବି ଯବାନଙ୍କ ଚଳାଚଳ ନେଇ କଟକଣା ଜାରି କରାଯାଇଛି। ପାଦେ ପାଦେ ବିପଦ ଥିବାରୁ ଅଧିକ ସତର୍କ ରହିବାକୁ ସମସ୍ତ କ୍ୟାମ୍ପକୁ କଡା ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏସଓପିକୁ କଡାକଡି ପାଳନ କରିବାକୁ ମଧ୍ୟ ସୂଚାଇ ଦିଆଯାଇଛି।

ଏ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ରାମଗିରି ଅଞ୍ଚଳରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଖଞ୍ଜି ବଡଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିବା ଆଶଙ୍କା କରାଯାଉଛି। ବିଭିନ୍ନ ସମୟରେ ଲ୍ୟାଣ୍ଡମାଇନ ମଧ୍ୟ ଜବତ କରାଯାଉଛି। ତେଣୁ ପୁଲିସ ଓ ସୁରକ୍ଷା ବଳକୁ ଅଧିକ ସତର୍କ କରି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମାଓ ବିରୋଧୀ ଅପରେସନ ପୂର୍ବପରି ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର