ଭିଜିଲାନ୍ସ ହାତରୁ ଖସି ଗଲେ ଲାଞ୍ଜିଗଡ଼ ଥାନା ଏଏସ୍‌ଆଇ

ଭବାନୀପାଟଣା: ଏକ ଅପମୃତ୍ୟୁ ମାମଲାରେ ସମ୍ପୃକ୍ତ ପରିବାରର ସଦସ୍ୟଙ୍କୁ ଗିରଫ କରି କୋର୍ଟଚାଲାଣ ଭୟ ଦେଖାଇ ମାମଲା ରଫାଦଫା ପାଇଁ ଲାଞ୍ଜିଗଡ଼ ଥାନାର ଏଏସ୍‌ଆଇ ପରମେଶ୍ୱର ନାଗ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଘଟଣା ଭିଜିଲାନ୍‌ସରେ ଅଭିଯୋଗ ହୋଇଥିଲା। କିନ୍ତୁ ଭିଜିଲାନ୍ସ ହାତରେ ଧରାପଡ଼ିବା ପୂର୍ବରୁ ସେ କୌଣସି ପ୍ରକାରେ ଖସିଯାଇଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବଳଭଦ୍ରପୁର ଗାଁର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ମାଆ କଳ୍ପନା ଦାସ ଗତ ଅକ୍ଟୋବର ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ। ଏ ନେଇ ଲାଞ୍ଜିଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିବା ପାଇଁ ଏଏସ୍‌ଆଇ ଶ୍ରୀ ନାଗ ଭୟ ଦେଖାଇଥିଲେ ଓ ୫୦ ହଜାର ଟଙ୍କା ଦେଲେ ରଫାଦଫା କରି ଦେବେ ବୋଲି କହିଥିଲେ। ପୂର୍ଣ୍ଣଚନ୍ଦ୍ର ଏ ନେଇ ଭିଜିଲାନ୍‌ସର ଦ୍ୱାରସ୍ଥ ହୋଇଥିଲେ। ପରେ ସେ ଏଏସ୍‌ଆଇଙ୍କୁ ୧୭ ହଜାର ଟଙ୍କା ଦେବେ ବୋଲି କହିଥିଲେ। ଶନିବାର ଯୋଜନା ମୁତାବକ ଏଏସ୍‌ଆଇ ଶ୍ରୀ ବାଗ, ପୂର୍ଣ୍ଣଚନ୍ଦ୍ରଙ୍କ ଗାଁକୁ ଟଙ୍କା ନେବାକୁ ଆସିବାକୁ ଥିବା ବେଳେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଛପି ରହିଥିଲେ। ହେଲେ କୌଣସି ସୂତ୍ରରୁ ଖବର ପାଇ ଏଏସ୍‌ଆଇ ବଳଭଦ୍ରପୁର ଆସିନଥିଲେ। ଭିଜିଲାନ୍ସ ବିଭାଗ ଲାଞ୍ଜିଗଡ଼ ଥାନାକୁ ଆସିବା ପରେ ଏଏସ୍‌ଆଇ ଶ୍ରୀ ନାଗ ଫେରାର ଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାର ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଅଭିଯୋଗ ଭିତ୍ତିରେ ଏଏସ୍‌ଆଇଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର