ବିଦାୟୀ ରାଜ୍ୟପାଳଙ୍କ ଅନ୍ତିମ ଅଭିଭାଷଣ: କେବଳ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶାର ବିଦାୟୀ ରାଜ୍ୟପାଳ ଏସ୍‌ ସି ଜମିର୍‌ ଆଜି ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ବିଧାନସଭାରେ ଅନ୍ତିମ ଅଭିଭାଷଣ ରଖି ରାଜ୍ୟର ବିକାଶ ସଂପର୍କରେ ଏକ ଗୋଲାପି ଚିତ୍ର ଆଙ୍କିଛନ୍ତି। ରାଜ୍ୟ ସରକାରଙ୍କର ପ୍ରାୟ ଦୁଇ ଡଜନରୁ ଅଧିକ ଯୋଜନା, କାର୍ଯ୍ୟକ୍ରମ, ସ୍ୱପ୍ନକୁ ଏଥିରେ ସ୍ଥାନ ମିଳିଛି। ରାଜ୍ୟର ସାମଗ୍ରିକ ବିକାଶ, ଆଞ୍ଚଳିକ, ସାମାଜିକ ଓ ଲିଙ୍ଗଗତ ବୈଷମ୍ୟ ହ୍ରାସ, ଉନ୍ନୟନ ଯୋଜନାରେ ଅଧିକ ପୁଞ୍ଜି ବିନିଯୋଗ ନେଇ ରାଜ୍ୟ ସରକାରଙ୍କ ସଂକଳ୍ପ ସଂପର୍କରେ ରାଜ୍ୟପାଳ ଏଥିରେ ସୂଚାଇଛନ୍ତି। ଯଦିଓ ବାସ୍ତବ ସ୍ଥିତି ଅଲଗା, କିଛି କ୍ଷେତ୍ରରେ ଆକାଶରୁ ତୋଳି ଆଣିବା ଭଳି ତଥ୍ୟ ମଧ୍ୟ ଏଥିରେ ରହିଛି। ତେବେ ରାଜ୍ୟର ଅର୍ଥନୀତି ଓ ଅଭିବୃଦ୍ଧିର ଚେହେରା କିଭଳି ରହିଛି, ସେ ନେଇ ରାଜ୍ୟପାଳ ଏଥର ପୂର୍ବଭଳି କିନ୍ତୁ ବିଶଦ ଭାବେ କହିନାହାନ୍ତି। ସରକାରଙ୍କୁ ପ୍ରଶଂସାର ପୋତିପକାଇ ରାଜ୍ୟପାଳ କହିଛନ୍ତି, ଦାରିଦ୍ର୍ୟ ଦୂରୀକରଣ ଯୋଜନା ହେଉ କିମ୍ବା ବିକାଶ ପ୍ରକ୍ରିୟାରେ ଜନଜାତି, ମହିଳାଙ୍କ ଅନ୍ତର୍ଭୁକ୍ତି, ଦୁର୍ନୀତିବିରୋଧୀ କାର୍ଯ୍ୟକ୍ରମ ଓ ରାଜ୍ୟର ସବୁ ବର୍ଗର ଜନସାଧାରଣଙ୍କ ସଶକ୍ତୀକରଣ ନିମନ୍ତେ ସରକାର ଜାତୀୟସ୍ତରରେ ସଂଖ୍ୟାଧିକ କୀର୍ତିମାନ ସ୍ଥାପନ କରିଛନ୍ତି। ଏକଦା ଖାଦ୍ୟଶସ୍ୟରେ ନିଅଣ୍ଟିଆ ରାଜ୍ୟ ଓଡ଼ିଶା ଆଜି ବଳକା ରାଜ୍ୟ ଭାବେ ପରିଗଣିତ ହୋଇ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ତୃତୀୟ ବୃହତ୍ତମ ଯୋଗଦାନକାରୀ ରାଜ୍ୟ ଭାବରେ ଉଭା ହୋଇଛି। କେବଳ ସେତିକି ନୁହେଁ, କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇଛି ଓ ୮ନିୟୁତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଅଣାଯାଇପାରିଛି। ଗ୍ରାମ୍ୟ ଗୃହ ନିର୍ମାଣ, ସହରାଞ୍ଚଳ ବାସିନ୍ଦାଙ୍କୁ ଜମି ବା ସମ୍ପତ୍ତି ଅଧିକାର କ୍ଷେତ୍ରରେ ଦେଶରେ ସରକାର ଏବେ ପ୍ରଥମ। ରାଜ୍ୟରେ ଶିଶୁ ମୃତ୍ୟୁ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ଓ ବିପର୍ଯ୍ୟୟ ପରିଚାଳନା ମଡେଲ୍‌ ବିଶ୍ୱସ୍ତରୀୟ ସାବ୍ୟସ୍ତ ହେବା ସହିତ ଆନ୍ତର୍ଜାତିକସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି।

ବିଧାନସଭାର ବଜେଟ୍‌ ଅଧିବେଶନର ପ୍ରାରମ୍ଭରେ ବିଧି ମୁତାବକ ରାଜ୍ୟପାଳ ତାଙ୍କର ୮୫ମିନିଟ୍‌ ଦୀର୍ଘ ଅଭିଭାଷଣ ରଖି ରାଜ୍ୟର ଅର୍ଥନୀତି ସଂପର୍କରେ ମଧ୍ୟ ରଙ୍ଗିନ୍‌ ଚିତ୍ର ଉପସ୍ଥାପନ କରିଥିଲେ। କହିଥିଲେ, ରାଜ୍ୟର ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ଋଣଭାରକୁ ପୋଷଣୀୟସ୍ତରକୁ ଅଣାଯାଇପାରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଧାରଣ କରାଯାଇଥିବା ଋଣ ଆହରଣ ସୀମା ମଧ୍ୟରେ ଖୋଲା ବଜାରରୁ ଋଣ ଉଠାଣ ହୋଇଛି। ରାଜ୍ୟ ସରକାର ୨୦୦୫-୦୬ରୁ ଲଗାତାର ରାଜସ୍ୱ ବଳକା ସୃଷ୍ଟି କରିଚାଲିଛନ୍ତି। ସମୁଦାୟ ଋଣ ପାଣ୍ଠି ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ ହେଉଛି। ରାଜ୍ୟପାଳ କହିଛନ୍ତି, ସରକାରୀ ବ୍ୟୟରେ ଦକ୍ଷତା ଓ ଗୁଣବତ୍ତାକୁ ପ୍ରାଥମିକତା ଦିଆଯାଇଛି। ଅର୍ଥ ବ୍ୟୟରେ ଗୁଣାତ୍ମକ ଉନ୍ନତି ପାଇଁ ବଜେଟ୍‌ ଓ ବ୍ୟୟ ପରିଚାଳନା, ପ୍ରକଳ୍ପ ପ୍ରସ୍ତୁତି ଓ ଆର୍ଥିକ ଉତ୍ତରଦାୟିତ୍ୱ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର।

ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି, ଏକଥା ରାଜ୍ୟପାଳଙ୍କ ଅଭିଭାଷଣ ସୂଚାଉଛି। ରାଜ୍ୟପାଳ କହିଛନ୍ତି, ୨୦୧୭ରେ ରାଜ୍ୟରେ କୌଣସି ସାଂପ୍ରଦାୟିକ ଦଙ୍ଗା ଘଟିନାହିଁ। ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି। ଗଜପତି, ଯାଜପୁର, ଢେଙ୍କାନାଳ, ମୟୂରଭଂଜ, ନବରଙ୍ଗପୁର ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଦୃଷ୍ଟିଗୋଚର ହୋଇନାହିଁ। ନୂଆପଡା, ବୌଦ୍ଧ, ନୟାଗଡ, କେନ୍ଦୁଝର, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ ଜିଲ୍ଲା ସ୍ଥିତି ନିୟନ୍ତ୍ରଣରେ ରହିଛି। ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଅନୁଗୁଳ, ବଲାଙ୍ଗୀର ଓ ବରଗଡ ଏହିପରି ୮ଟି ଜିଲ୍ଲାରେ କିନ୍ତୁ ସ୍ଥିତି ଚିନ୍ତାଜନକ ରହିଛି। ମାଓ ଦମନ କ୍ଷେତ୍ରରେ ଆହତଙ୍କ ସୁରକ୍ଷା ପାଇଁ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛିି ବୋଲି ରାଜ୍ୟପାଳ ସୂଚାଇଛନ୍ତି। ରାଜ୍ୟପାଳ ଆହୁରି କହିଛନ୍ତି, ସରକାର କୃଷିର ଉନ୍ନତି ଓ କୃଷକଙ୍କ ଆୟବୃଦ୍ଧି ନିମନ୍ତେ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ୨୦୧୭-୧୮ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୧୦୭ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଆଶା ୨୦୧୮-୧୯ରେ ଏହା ୧୨୨ ଲକ୍ଷ ଟନ୍‌ରେ ପହଞ୍ଚିଯିବ। କେବଳ କୃଷି ଉତ୍ପାଦନ ବୃଦ୍ଧି ପାଇବ ତା’ ନୁହେଁ, ୨୦୧୮-୧୯ରେ କୁସୁମି ଓ ବାଙ୍କତିରାରେ ଦୁଇଟି ନୂତନ ଜଳସେଚନ ପ୍ରକଲ୍ପ ହାତକୁ ନେବେ ସରକାର। ୨୦୦୦ ଆଡିବନ୍ଧ ନିର୍ମାଣ କରିବେ ଓ ୨୫୦ କିଲୋମିଟର ଡ୍ରେନେ୍‌ଜ୍‌ ଚ୍ୟାନେଲ୍‌ର ପୁନରୁଦ୍ଧାର ବି ହେବ। ହାରାହାରି ୬.୫୩ଲକ୍ଷ ଲିଟରରେ ଦୁଗ୍ଧ ଉତ୍ପାଦନ ପହଞ୍ଚିଯିବ। ମହାନଦୀ, ଓଡ଼ିଆ ଭାଷା ଓ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ର ଟିମ୍‌ଓ୍ଵାର୍କ (ସାମୁହିକ କାର୍ଯ୍ୟ), ଟେକ୍ନୋଲୋଜି ( ବୈଷୟିକ ଜ୍ଞାନକୌଶଳ) ଓ ଟ୍ରାନ୍‌ସପରେନ୍ସି (ସ୍ୱଚ୍ଛତା) ସଂପର୍କରେ ମଧ୍ୟ ରାଜ୍ୟପାଳ ଜଣାଇଛନ୍ତି। କହିଛନ୍ତି, ଜଳସେଚନ, ଭିତ୍ତିଭୂମି, ଅନ୍ତର୍ଭୁକ୍ତିକୁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।
ରାଜ୍ୟପାଳ କହିଛନ୍ତି, ଆନ୍ତଃରାଜ୍ୟ ନଦୀ ବିବାଦ ଅଧିନିୟମ ଅନୁସାରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ଏହାଦ୍ୱାରା ଜଳର ନ୍ୟାଯ୍ୟ ଭାଗ ପାଇବା ଦିଗରେ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି। ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ସହିତ ସରକାର ଦୃଢ ଭାବରେ ରହିଛି। ତେବେ ମହାନଦୀ ଉପରେ ନିର୍ମାଣାଧୀନ ୬ଟି ପ୍ରକଳ୍ପ ବନ୍ଦ ଲାଗି ଛତିଶଗଡ ସରକାରଙ୍କୁ ନିର୍ଦେଶ ଦେବାକୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବାକୁ ସରକାର ଯେ କୌଣସି ଉଦ୍ୟମରୁ ବିରତ ହେବେ ନାହିଁ। ସେହିପରି ପୋଲାଭରମ୍‌ ପ୍ରକଳ୍ପ ପ୍ରସଙ୍ଗରେ ଓଡ଼ିଶା ଓ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ସରକାର ଯତ୍ନବାନ ଅଛନ୍ତି ବୋଲି ରାଜ୍ୟପାଳ ଜଣାଇଛନ୍ତି।

ଏହି ଅବସରରେ ରାଜ୍ୟପାଳ ଓରିଶାରୁ ଓଡ଼ିଆ, ଦେଶର ଷଷ୍ଠ ଭାଷା ଭାବରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା, ପ୍ରଶାସନରେ ଓଡ଼ିଆ ଭାଷା ବ୍ୟବହାର, ଐତିହ୍ୟ କ୍ୟାବିନେଟ୍‌, ଭାଷା ଆୟୋଗ ଗଠନ ଏବଂ ସରକାରୀସ୍ତରରେ ଓ ଦୋକାନ ଆଦିରେ ଓଡ଼ିଆ ଭାଷା ବ୍ୟବହାରକୁ ବାଧ୍ୟତାମୂଳକ କରିବା ସଂପର୍କରେ ସୂଚାଇଛନ୍ତି। ଏହାର ପରିପାଳନ ପାଇଁ ପୁରସ୍କାର ଓ ଅବମାନନା ପାଇଁ ଦଣ୍ଡ ବ୍ୟବସ୍ଥା ସଂପର୍କରେ ସରକାରଙ୍କ ନିଷ୍ପତ୍ତି ବି ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇଛି। ଏଠାରେ ଉଲ୍ଲେଖଥାଉକି, ରାଜ୍ୟପାଳ ଅଭିଭାଷଣ ଦେବାର କିଛି ସମୟ ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହାର ପ୍ରତିବାଦ କରିଥିଲେ ଓ ୧୧ଟା ୦୭ରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ଦେଖାଇଲେ ବିକାଶର ଗୋଲାପି ଚିତ୍ର
ଖାଦ୍ୟଶସ୍ୟରେ ଓଡ଼ିଶା ବଳକା, ଅର୍ଥନୀତିରେ ଆଗୁଆ
ଓଡ଼ିଆ ଭାଷା, କୃଷି, ମହାନଦୀ ସଂକଳ୍ପ ସ୍ଥାନ ପାଇଲା
୮ ଜିଲ୍ଲାରେ ମାଓ ସ୍ଥିତି ଚିନ୍ତାଜନକ

କଂଗ୍ରେସର ବର୍ଜନ, କକ୍ଷତ୍ୟାଗ
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ନିରବ ବସିଥିଲା ବିଜେପି। କିନ୍ତୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ତୀବ୍ର ପ୍ରତିବାଦ କରିଛି। କେବଳ ସେତିକି ନୁହେଁ, ବିରୋଧୀ ଦଳ ନେତା ନରସିଂହ ମିଶ୍ର କେଇ ମିନିଟ୍‌ ପାଇଁ ସମାନ୍ତରାଳ ଭାଷଣ ଦେଇ କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳ ନେତା କହିଥିଲେ, ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କରେ ରାଜ୍ୟପାଳ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ଥାବକ ହିସାବରେ ମତ ରଖିଛନ୍ତି। ଚାଷୀର ସମସ୍ୟା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ଗଣତନ୍ତ୍ର ଶାସନ ଭୁଶୁଡ଼ି ପଡୁଥିବା ସଂପର୍କରେ ତାଙ୍କ ସରକାର କଣ କରିବାକୁ ଯାଉଛନ୍ତି, ସେ ନେଇ ଧାଡ଼ିଟିଏ ବି କହିନାହାନ୍ତି। ଶ୍ରୀ ମିଶ୍ର କହିଥିଲେ, ଅତୀତରେ ରାଜ୍ୟପାଳ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ ବୋଲି ସୁନେଲି ସ୍ୱପ୍ନ ଦେଖାଇଥିଲେ। ମାତ୍ର ତାହା ଆଜିଯାଏ ସ୍ୱପ୍ନରେ ରହିଯାଇଛି। ଏଣୁ ତାର ପ୍ରତିବାଦ କରି ବିରୋଧୀ ଦଳ ଆଜି ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରୁଛି ଓ କକ୍ଷତ୍ୟାଗ କରୁଛି। ସେହିପରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ଆଲୋଚନା ବେଳେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ନେଇ ଗୃହ ବାହାରେ ଶ୍ରୀ ମିଶ୍ର ନିଜର ମତ ରଖିଥିଲେ। କହିଥିଲେ, ସରକାରୀ ଦଳର ମୁଖ୍ୟ ସଚେତକ ଚାଷୀଙ୍କ ସଂପର୍କରେ ଉଲ୍ଲେଖ କରୁଛନ୍ତି। ଅଥଚ ଚାଷୀ ଆନ୍ଦୋଳନ ଓ ସେମାନଙ୍କ ଆମରଣ ଅନଶନକୁ ଉପେକ୍ଷା କରାଯାଉଛି। ତାଙ୍କ ଦାବି ପୂରଣ ତ ଅଲଗା କଥା, ଅନଶନକାରୀଙ୍କ ପାଖକୁ ଯିବା ଲାଗି ସରକାର ଆଗ୍ରହ ଦେଖାଉନାହାନ୍ତି। ଏହା ସ୍ପଷ୍ଟ ସୂଚାଉଛି ଯେ ସରକାର ସରକାର ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ଚାଷୀ ମାରଣ ନୀତି ଅବଲମ୍ବନ କରୁଛନ୍ତି। କଂଗ୍ରେସ ତାର ପ୍ରତିବାଦ କରିଥିଲା। ସରକାର ଚାଷୀଙ୍କ ଦାବି ମାନିନେବା ଲାଗି ବିରୋଧୀ ଦଳ ଦାବି କରିଥିଲା ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର