ଭଦ୍ରକ: ଗୋଟିଏ ସ୍ଥାନରେ ଜଳିଲା ୫ ଛାତ୍ରଛାତ୍ରୀଙ୍କ ଚିତା, ଲୁହରେ ଭିଜିଲା ଗାଁ

ଭଦ୍ରକ : ଗତକାଲି ସ୍କୁଲ ଛୁଟି ପରେ ଅପରାହ୍ଣରେ ଭଦ୍ରକ ଜିଲ୍ଲା ରାଣୀତାଲର ରାହାଞ୍ଜ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ ବାଲେଶ୍ୱର ଆଡ଼ୁ ଆସୁଥିବା ଏକ ଧାନ ବୋଝେଇ ୧୦ ଚକିଆ ଟ୍ରକ୍‌ ମାଡ଼ିଯିବାରୁ ୩ ଛାତ୍ରୀ ପ୍ରିୟମ୍ବଦା ମହାନ୍ତି, ଶ୍ୱେତା ସାହୁ, କଳ୍ପନା ଜେନା ଏବଂ ୨ ଛାତ୍ର ସୁକାନ୍ତ ସାହୁ ଓ ସତ୍ୟବ୍ରତ ବାରିକଙ୍କ ଜୀବନଦୀପ ଅକାଳରେ ଲିଭିଯାଇଥିଲା। ଏହି ସମସ୍ତ ଛାତ୍ରଛାତ୍ରୀଙ୍କ ମୃତଦେହ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଅଗ୍ନିର ଲେଲିହାନ ଶିଖା ମଧ୍ୟରେ ପଞ୍ଚଭୂତରେ ଲୀନ ହୋଇଯାଇଛି। ମାଆବାପା ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଗାଁ ଲୋକଙ୍କ ବୁକୁ ଫଟା କାନ୍ଦରେ ଗାଁ ଶ୍ମଶାନ ଫାଟି ପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଆଉ କାହାରି ପାଟିରୁ କଥା ବାହାରୁ ନାହିଁ। ସାଙ୍ଗ ସାଥୀଙ୍କୁ ହରାଇ ଥିବା ଅନ୍ୟ ପିଲାମାନେ ସମ୍ପୂର୍ଣ୍ଣ ନିର୍ବାକ।। ଗତକାଲିି ରାତିରେ ୪ ଜଣଙ୍କର ଓ ଆଜି ସକାଳୁ ଜଣଙ୍କର ଅନ୍ତିିମ ସଂସ୍କାର ଅସୁରା ହାଟସାହି ଗାଁ ଶ୍ମଶାନରେ ଶେଷ ହେବା ପରେ ବାପାମାଆଙ୍କୁ କ’ଣ ସାନ୍ଵନା ଦେବେ ଗାଁ ଲୋକେ ଜାଣି ପାରୁ ନାହାଁନ୍ତି। ଯେଉଁ ପିଲାମାନେ ସକାଳ ସାଢ଼େ ୯ଟା ବେଳେ ସ୍କୁଲକୁ ହସଖୁସିରେ ଯାଇଥିଲେ , ସେହି ଦିନ ରାତିରେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ସବୁଦିନ ପାଇଁ ସେମାନଙ୍କୁ ଛାଡ଼ି ଚାଲିଯାଇଥିିବାର ଦୁଃଖରେ ସମସ୍ତେ କାନ୍ଦୁଛନ୍ତି କେବଳ।


ସୂଚନା ଅନୁଯାୟୀ ଦୁର୍ଘଟଣାରେ ମୃତାହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ରାଣୀତାଲ ବଜାର ନିକଟସ୍ଥ ରାହାଞ୍ଜ ପଞ୍ଚାୟତ ହାଇସ୍କୁଲର ନବମ ଶ୍ରେଣୀରେ ପଢ଼ୁଥିଲେ। ସମସ୍ତଙ୍କ ଘର ସ୍କୁଲଠାରୁ ପ୍ରାୟ ୧ କିମି ଦୂର ରାହାଞ୍ଜ ପଞ୍ଚାୟତ ଅଧୀନ ଅସୁରା ହାଟସାହି ଗାଁରେ। ତେଣୁ ପ୍ରତିଦିନ ସେମାନେ ସାଇକେଲରେ ସ୍କୁଲକୁ ଯିବାଆସିବା କରନ୍ତି। ଗତକାଲି ସେମାନେ ସ୍କୁଲ ଛୁଟି ପରେ ଜାତୀୟ ରାଜପଥର ବାଁ କଡ଼ରେ ସାଇକେଲରେ ଘରକୁ ଫେରୁଥିବାବେଳେ ପଛପଟୁ ଆସୁଥିବା ଏହି ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଭଦ୍ରକରେ ଓ ଜଣେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ମହିଳା, ଶିଶୁ ଅଧିକାରର କମିସନର ସନ୍ଧ୍ୟାପତି ପ୍ରଧାନ ଭଦ୍ରକରେ ପହଞ୍ଚି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରୁଛନ୍ତି। ପରେ ସେ ଆହତ ଶୀତଲ ଶାହା, ବର୍ଷାରାଣୀ ମହାନ୍ତି, ପ୍ରଭାତ ନାୟକ, ଉର୍ବଶୀ ସାହୁ, ଦୀପ୍ତିରେଖା ସାହୁ ଓ ରଂଜିତା ଜେନାଙ୍କୁ ଭେଟିବାକୁ ଡାକ୍ତରଖାନାକୁ ଯିବେ। ସେଠାରୁ ଅସୁରା ହାଟସାହି ଗାଁକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟିବେ।

ସମ୍ବନ୍ଧିତ ଖବର