ମନମୋହନ ମହାପାତ୍ରଙ୍କ ଶେଷକୃତ ସମ୍ପନ୍ନ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସଂସ୍କାର, ବଡ଼ ପୁଅ ଦେଲେ ମୁଖାଗ୍ନୀ

ପୁରୀ:  ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଓ ଲେଖକ ମନମୋହନ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସଂପନ୍ନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ମନମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସୋମବାର ତାଙ୍କର ଦେହାନ୍ତ ହୋଇଥିଲା। ଅନ୍ତିମ ସଂସ୍କାର ସମୟରେ ତିନି  ପୁଅ ଆଶୁତୋଷ, ଭବତୋଷ, ମନତୋଷ ଓ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ବଡ଼ ପୁଅ ଆଶୁତୋଷ ମୁଖାଗ୍ନୀ ଦେଇଥିଲେ।

ବିଶିଷ୍ଟ ନିର୍ଦ୍ଦେଶକ ମନମ‌ୋହନ ଜୀବନକାଳ ଭିତରେ  ମାତ୍ର ୧୨ଟି ଚଳଚ୍ଚିତ୍ର କରିଛନ୍ତି। ମାତ୍ର ଯେଉଁ ଚଳଚ୍ଚିତ୍ରରେ ହାତ ମାରିଛନ୍ତି ତାହା ସୁନା ହେଇଯାଇଛି। ସେ ହିଁ ଏକମାତ୍ର ବ୍ୟକ୍ତି ଯିଏ ନିର୍ମାଣ କରିଥିବା ୮ଟି ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଛି। ବିଜେବି କଲେଜ୍‌ରୁ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ଫିଲ୍ମ ନିର୍ମାଣ ସମ୍ପର୍କରେ ପୁନେ ଫିଲ୍ମ ତାଲିମ ଅନୁଷ୍ଠାନରୁ ଫିଲ୍ମ ନିର୍ଦେଶନା ସମ୍ପର୍କରେ ୩ବର୍ଷ ଶିକ୍ଷା ଗ୍ରହଣ କରିଥିଲେ। ପ୍ରଥମେ ୧୯୭୫ ମସିହାରେ ‘ଆଣ୍ଟି ମେମୋରିଜ୍‌’ ନାମକ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ୧୯୭୬ରେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ କାହାଣୀକୁ ନେଇ ‘ଶୀତରାତି’ ନାମକ ଏକ ସିନେମା ନିର୍ମାଣ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କଲେ। ପ୍ରବେଶ ମାତ୍ରେ ହିଁ ପ୍ରସିଦ୍ଧି ଅଜାଡ଼ି ହୋଇ ପଡ଼ିଲା। ତାଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କଲା। ଏପରିକି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବିଦେଶରେ ପ୍ରଦର୍ଶନ ହୋଇଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ‘ଶୀତରାତି’।

ନିକଟରେ ତାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ଭିଜାମାଟିର ସ୍ବର୍ଗ’ ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଏଇ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା। ୬ଟି ବିଭାଗରେ ଏହି ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଚଳଚ୍ଚିତ୍ର ଜଗତକୁ ତାଙ୍କର ସର୍ବକାଳୀନ କୃତି ପାଇଁ ତାଙ୍କୁ ସର୍ବୋଚ୍ଚ ପୁରସ୍କାର ଜୟଦେବ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର