ଦୁଇ ଦିନ ପରେ ଶ୍ରାବଣ ଶେଷ ସୋମବାର : କାଉଡ଼ିଆଙ୍କ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ନିର୍ଦେଶ

ଭୁବନେଶ୍ୱର : ଦୁଇ ଦିନ ପରେ ଶ୍ରାବଣ ସୋମବାର। ବିଭିନ୍ନ ଶୈବକ୍ଷେତ୍ରରେ କାଉଡ଼ିଆମାନଙ୍କ ଅହେତୁକ ଭିଡ଼ ହେବ। ଏଥିପାଇଁ ଜିଲ୍ଲାର ସମସ୍ତ ଏସ୍‌ପି ଓ କମିସନ୍‌ରେଟ୍‌ ପୁଲିସର ଦୁଇ ଡିସିପିଙ୍କୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବାକୁ ପୁଲିସ ଡିଜି ରାଜେନ୍ଦ୍ର ଶର୍ମା ନିର୍ଦେଶ ଦେଇଛନ୍ତି। ଯେମିତି କାଉଡ଼ିଆଙ୍କ ଧନଜୀବନ ହାନି ନ ହୁଏ, ଅଘଟଣ ନ ଘଟେ, ସେ ଦିଗରେ ଯତ୍ନବାନ ହେବାକୁ ପୁଲିସକୁ କୁହାଯାଇଛି। ପ୍ରକାଶଥାଉକି, ଗତ ସୋମବାର ରାଜଧାନୀର ବିଭିନ୍ନ ଶୈବପୀଠରେ ଅଘଟଣ ଘଟି ୮ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିଲା। ଏନେଇ କାଉଡ଼ିଆମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ଦେଖା ଦେଇଛି। କାଉଡ଼ିଆମାନଙ୍କ ସୁରକ୍ଷା ନେଇ ପୁଲିସ ଓ ପ୍ରଶାସନ ତତ୍ପର ହେଉନାହାନ୍ତି ବୋଲି ଅଭିଯୋଗ ହେଉଛି।

ସୋମବାର କାଉଡ଼ିଆମାନେ ପାଣି ଢାଳିବା ଲାଗି କେତେକ ପ୍ରମୁଖ ଶୈବକ୍ଷେତ୍ର ଶ୍ରୀଲିଙ୍ଗରାଜ, ଜଗତସିଂହପୁରର ଗୋରଖନାଥ, ଲଡୁବାବା, ଲୋକନାଥ, ଆରିଡ଼ି ଆଖଣ୍ଡଳମଣି ମନ୍ଦିର ସମେତ ରାଜ୍ୟର ଅନ୍ୟ ଶୈବପୀଠଗୁଡ଼ିକରେ ହଜାର ହଜାର କାଉଡ଼ିଆଙ୍କ ସମାଗମ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଡିଜି ଶ୍ରୀ ଶର୍ମା ଏପରି ନିର୍ଦେଶ ଦେଇଥିବା ଜଣାଯାଇଛି।

କାଉଡ଼ିଆମାନେ ଯାତ୍ରା କରିବା ସମୟରେ ମଧ୍ୟ ଦୁର୍ଘଟଣା ଘଟିବାର ନଜିର ରହିଛି। ସେହିପରି ବିଭିନ୍ନ ନଦୀପଠାରୁ ପାଣି ଉଠାଇବା ବେଳେ ଅନେକ କାଉଡ଼ିଆ ବୁଡ଼ି ଯାଉଛନ୍ତି। ଏହା ଛଡ଼ା କାଉଡ଼ିଆଙ୍କୁ ନେଇ କରି ଯାଉଥିବା ଗାଡ଼ି ମଧ୍ୟ ଦୁର୍ଘଟଣା ଘଟାଉଛି। ଡିଜି ଶର୍ମା କହିଛନ୍ତି, କାଉଡ଼ିଆମାନେ ଯେଉଁଠାରୁ ଜଳ ସଂଗ୍ରହ କରୁଛନ୍ତି, ସେହି ସ୍ଥାନରେ ସେମାନଙ୍କୁ ସଚେତନ କରାଯିବ। ପୁଲିସ ମାଇକ୍‌ ମାଧ୍ୟମରେ ନଦୀପଠାରେ ସତର୍କ କରାଇବ। ଯେଉଁଠି ଗଭୀର ଜଳ ଥିବ, ସେଠାରେ କାଉଡ଼ିଆମାନଙ୍କୁ ଜଳ ଉଠାଇବାରେ ବାରଣ କରାଯିବ। ନଦୀପଠାରେ ଅଗ୍ନିଶମ ବିଭାଗକୁ ମଧ୍ୟ ନିୟୋଜନ କରାଯିବ। କାଉଡ଼ିଆମାନେ ରାତିରେ ଯାତ୍ରା କରିବା ବେଳେ ପୁଲିସ ପକ୍ଷରୁ ଜାତୀୟ ରାଜପଥ ଓ ଅନ୍ୟ ରାସ୍ତାରେ ପାଟ୍ରୋଲିଂ କରିବାକୁ ଜିଲ୍ଲା ଏସ୍‌ପିମାନଙ୍କୁ କୁହାଯାଇଛି।

ଗତ ସୋମବାର ଘଟିଥିବା କେତେକ ପ୍ରମୁଖ ଅଘଟଣ

୧. ରାଉରକେଲା ବେଦବ୍ୟାସ ଶୈବପୀଠରେ ପାଣି ଢାଳିବାକୁ ଛତିଶଗଡ଼ରୁ ଆସିଥିବା ଗୋଟିଏ ପରିବାରର ୪ଜଣଙ୍କ ଟ୍ରେନ୍‌ରେ କଟି ମୃତ୍ୟୁ ହୋଇଥିଲା।
୨. କଟକ ଦେବୀଗଡ଼ାରେ ମିଲନ କୁମାର ସାହାଣି ନାମକ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା।
୩. ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଉଥିବା ସତ୍ୟାନନ୍ଦ ସାମଲ ନାମକ ଜଣେ କାଉଡିଆଙ୍କର ପଳାସୁଣୀରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।
୪. ଜଗତସିଂହପୁର ତିର୍ତ୍ତୋଲ ପୋଷନଦୀରେ ପାଣି ଉଠାଉଥିବା ବେଳେ ଦୁଇ ଜଣ କାଉଡ଼ିଆ ନିଖୋଜ ହୋଇଯାଇଥିଲେ। ଏଥିରେ ଶାରଦା ନାଥ ନାମକ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଥିଲା।
୫. କପିଳାସ ମହାଦେବପୀଠରେ ଦେବେନ୍ଦ୍ର ଜେନା ନାମକ ଜଣେ କାଉଡିଆଙ୍କ ପାହାଚରୁ ପଡ଼ି ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର