୨୪ ବର୍ଷ ପରେ ଆଇନ ବିଭାଗର ଖର୍ଚଦାବି ଆଲୋଚନା

ଭୁବନେଶ୍ୱର : ୧୯୯୪ ମସିହାରେ ବିଧାନସଭାରେ ଆଇନ ବିଭାଗର ଖର୍ଚଦାବି ଉପରେ ଆଲୋଚନା ହୋଇଥିଲା। ୨୪ ବର୍ଷ ବ୍ୟବଧାନରେ ଆଜି ଗୃହରେ ଆଇନ ବିଭାଗର ୩୫୨ କୋଟି ୪ ଲକ୍ଷ ୯୨ ହଜାର ଟଙ୍କାର ଖର୍ଚଦାବି ଆଲୋଚନା ଓ ପାରିତ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଯେ କୌଣସି ମୁହୂର୍ତ୍ତରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି, ପରିଚାଳନା ନେଇ ବିଭ୍ରାଟ, ଅଚଳାବସ୍ଥା ଘଟିବାର ଆଶଙ୍କା ରହିଛି। ଏହାର ପରିଚାଳନା ନେଇ ମନ୍ଦିର ପ୍ରଶାସନ ଏବଂ ସେବାୟତ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଉଚ୍ଚ ନ୍ୟାୟାଳୟ ତାଙ୍କ ରାୟକୁ ସଠିକ୍‌ ଭାବେ ବୁଝିନପାରିବା ହେତୁ ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରିଛନ୍ତିି। ଏଣୁ, ଗୃହ କମିଟି ଗଠନ କଲେ ପ୍ରକୃତ ତଥ୍ୟ ଜଣାପଡିବ। କିନ୍ତୁ ଆଲୋଚନାର ଉତ୍ତର ଦେବା ବେଳେ ଏହି ପ୍ରସ୍ତାବକୁ ମନ୍ତ୍ରୀ ପ୍ରତାପ ଜେନା ଏଡ଼ାଇଯାଇଥିଲେ।

ବିରୋଧୀ ଦଳ ନେତା କହିଥିଲେ, କେବଳ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାବର ଅସ୍ଥାବର ସଂପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ଆଇନ ବିଭାଗର। କିନ୍ତୁ ଏମଧ୍ୟରୁ ଅଧିକାଂଶ ଜବରଦଖଲକାରୀଙ୍କ କବ୍‌ଜାରେ। ରାଜ୍ୟର ଯେତିକି ତାଲିକାଭୁକ୍ତ ମଠ ମନ୍ଦିର ରହିଛି, ସେଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଆଇନ ବିଭାଗର। କିନ୍ତୁ ଏହାର ଅବସ୍ଥା ବିପର୍ଯ୍ୟସ୍ତ ଆଡକୁ ଗଲାଣି। ଆଇନ ବିଭାଗ ସରକାରଙ୍କ ପାଇଁ ବିଲ୍‌, ସଂଶୋଧନ ଆଦିର ଚିଠା ପ୍ରସ୍ତୁତି କରିଥାଏ। ଅନେକ ସମୟରେ ଚିଠା(ଡ୍ରାଫ୍‌ଟିଂ)ରେ ତ୍ରୁଟିବିଚ୍ୟୁତି ଦେଖାଯାଉଛି। ସେହିପରି ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୯ ପ୍ରତିଶତ ଥିବାରୁ ଏଥିପାଇଁ ମୁଖ୍ୟତଃ ପବ୍ଲିକ ପ୍ରସିକ୍ୟୁଟର(ପିପି) ବା ଏପିପି ଦାୟୀ। ରାଜନୈତିକ ଆଧାରରେ ନିଯୁକ୍ତି ବନ୍ଦ କରି କ୍ୟାଡର ଭିତ୍ତିକ ନିଯୁକ୍ତି ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ରାଜ୍ୟରେ ୧୭୧୮୧ ମଠ ମନ୍ଦିର ମଧ୍ୟରୁ ୧୧୦୪୦ଟି ସୂଚୀଭୁକ୍ତ। ଏଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ବ୍ୟତିକ୍ରମ ସୃଷ୍ଟି ହେଉଛି। ଦେବୋତ୍ତର କମିସନ ଏହାକୁ ନିୟନ୍ତ୍ରଣ କରିବା ଦରକାର। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନେଇ ସରକାର ଅବହେଳା କରିନଥିବା ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକ ବସନ୍ତ ପଣ୍ଡା, ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମନ୍ତ୍ରୀ ଶ୍ରୀ ଜେନା କହିଲେ, ୫ବର୍ଷ ମଧ୍ୟରେ ୨୨୦ଟି ବିଭିନ୍ନ ବର୍ଗର ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଛି ଓ କାର୍ଯ୍ୟକ୍ଷମ ହୋଇଛି ୧୦୮ଟି। ପାଞ୍ଚବର୍ଷରେ ହାଇକୋର୍ଟରେ ରୁଜୁ ହୋଇଥିବା ୩.୯୭ ଲକ୍ଷ ମାମଲା ମଧ୍ୟରୁ ୩.୭୩ ଲକ୍ଷ ଫଇସଲା ହୋଇଛି। ଅଧସ୍ତନ ନ୍ୟାୟାଳୟଗୁଡ଼ିକରେ ୨୧ ଲକ୍ଷ ମାମଲା ମଧ୍ୟରୁ ୨୦ ଲକ୍ଷ ୯୦ ହଜାର ଫଇସଲା ହୋଇଛି। ରାଜ୍ୟର ମଠ ମନ୍ଦିର ଗୁଡ଼ିକର ରକ୍ଷଣାବେକ୍ଷଣ, ନୀତିକାନ୍ତି ନିମନ୍ତେ ଗତ ୫ ବର୍ଷରେ ପ୍ରାୟ ୧୪ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ପିପି, ଏପିପି ନିଯୁକ୍ତି ରାଜନୈତିକ ଦୃଷ୍ଟିରୁ କରାଯାଉନାହିଁ। ବରଂ ୧୯୨ଜଣ ଏପିପି ପଦରେ ନିଯୁକ୍ତି ପାଇଁ ଲୋକସେବା କମିସନଙ୍କ ଅନୁମତି ଲୋଡ଼ାଯାଇଥିବା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର