ବରଗଡ଼ର ଆଇନଜୀବୀ ନିଖୋଜ : ମହାନଦୀ ସେତୁରୁ ମିଳିଲା ଗାଡ଼ି, ଚପଲ

ସମ୍ବଲପୁର : ବରଗଡ଼ର ଆଇନଜୀବୀ ଏମ.ସାଇକୃଷ୍ଣ ରାଓ (୪୬) ନିଖୋଜ ଅଛନ୍ତି। ତାଙ୍କ ଭିଣୋଇ ବି.ସୁଧାକର ରାଓଙ୍କ ଏତଲା ଆଧାରରେ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ଶନିବାର ତାଙ୍କ ଗାଡ଼ି ଏବଂ ଚପଲ ସମ୍ବଲପୁର ନେଲସନ ମଣ୍ଡେଲ ଛକ ନିକଟସ୍ଥ ନବନିର୍ମିତ ମହାନଦୀ ସେତୁ ନିକଟରୁ ଉଦ୍ଧାର କରାଯାଇଥିଲା। ସାଇକୃଷ୍ଣ ମହାନଦୀ ତଳକୁ ଡେଇଁ ପଡ଼ିଥିବା କିମ୍ବା କେହି ତାଙ୍କୁ ଠେଲି ଦେଇଥିବା ଆଶଙ୍କା କରାଯାଉଛି। ଦମକଳ ବାହିନୀର ଗୋଟିଏ ଟିମ ମହାନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ମିଳିନାହିଁ। ପରିବାର ଲୋକଙ୍କ କହିବା ଅନୁସାରେ, ଶୁକ୍ରବାରଠାରୁ ସାଇକୃଷ୍ଣ ନିଜ ଘରୁ ବାହାରି ଯାଇଥିଲେ। ଘରେ ତାଙ୍କ ମୋବାଇଲ ଛାଡ଼ି ଦେଇଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ୫.୩୦ ମିନିଟରେ ଅନ୍ୟ ଜଣଙ୍କ ମୋବାଇଲରୁ ତାଙ୍କ ସ୍ତ୍ରୀଙ୍କୁ ଫୋନ କରିଥିଲେ। ଅସୁସ୍ଥ ପୁଅଙ୍କୁ ଔଷଧ ଦେବା ପାଇଁ ପରାମର୍ଶ ଦେଇଥିଲେ। ସେହି ସମୟରେ ସେ କୌଣସି କାର୍ଯ୍ୟ ପାଇଁ ସମ୍ବଲପୁରରେ ରହିଥିବା କହିଥିଲେ। ଏଥି ଯୋଗୁ ଶୁକ୍ରବାର ସାଇକୃଷ୍ଣ ଘରକୁ ନଫେରିବା ନେଇ ପରିବାର ସଦସ୍ୟ ଅଘଟଣର ଆଶଙ୍କା କରିନଥିଲେ। ଶନିବାର ସକାଳେ ଏହି ବ୍ରିଜ ନିକଟରେ ଏକ ଲାଲ ରଙ୍ଗର ହୋଣ୍ଡା ଆକ୍ଟିଭା ଗାଡ଼ି (ଓଡି-୧୭ଏମ୍‌୫୭୭୨) ଥିବା ବେଳେ ଏହା ବରଗଡ଼ର ଆଇନଜୀବୀ ଏମ ସାଇକୃଷ୍ଣଙ୍କ ବୋଲି ଜଣାପଡ଼ିଥିଲା। ସଂଧ୍ୟାରେ ଦମକଳ ବାହିନୀ ମହାନଦୀ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ମିଳିନଥିବା ଫାୟାର କନଷ୍ଟେବଲ ସୁଶାନ୍ତ ନାଥ କହିଛନ୍ତି। ସାଇକୃଷ୍ଣଙ୍କ ୮ ବର୍ଷିୟ ପୁଅଙ୍କ କାନରେ ସମସ୍ୟା ରହିଥିଲା। ତାଙ୍କ ଚିକିତ୍ସା ପାଇଁ ସେ କିଛି ଦିନ ପୂର୍ବରୁ ଓ୍ଵାଲଟିୟର ଯାଇ ଶୁକ୍ରବାର ଫେରିଥିଲେ। ତାଙ୍କ ପରିବାରରେ ଶଯ୍ୟାଶାୟୀ ବାପା ଏସ.ଏମ.ଏନ ନରସିଂହ ରାଓ (୯୦), ସ୍ତ୍ରୀ ଏବଂ ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର