ଆଇନଜୀବୀ-ପୁଲିସ ବିବାଦ : ଚାଉଳିଆଗଞ୍ଜ ଥାନାରେ କ୍ରାଇମ୍‌ବ୍ରାଞ୍ଚ, ମାମଲା ଗ୍ରହଣ, ଅଫିସରଙ୍କୁ ପଚରାଉଚରା

କଟକ : ଆଇନଜୀବୀ-ପୁଲିସ ବିବାଦରେ ଆଜି କ୍ରାଇମ୍‌ବ୍ରାଞ୍ଚର ତିନି ଜଣିଆ ଟିମ୍‌ ଚାଉଳିଆଗଞ୍ଜ ଥାନାରେ ସନ୍ଧ୍ୟାରେ ପହଞ୍ଚିଛି। ଏହି ଟିମ୍‌ ଚାରିଟି ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ଭେଟିଥିଲେ। ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କଠାରୁ ମାମଲା ଗ୍ରହଣ କରିବା ପରେ ଜୋନ୍‌-୧ ଏସିପଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲା। ଏହି ମାମଲାରେ ପୁଲିସ ମୋଟ କେତେ ଜଣଙ୍କ ବୟାନ ରେକର୍ଡ କରିିଛି, କି ପ୍ରକାର ସାକ୍ଷ୍ୟ ପ୍ରମାଣ ଏ ପର୍ଯ୍ୟନ୍ତ ତଦନ୍ତ ସମୟରେ ହାତକୁ ଆସିଛି, ସେ ସମ୍ପର୍କରେ ମଧ୍ୟ ଏସିପିଙ୍କ ସହିତ ଆଲୋଚନା କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଆଜି ରାତି ହୋଇଯାଇଥିବାରୁ ଟିମ୍‌ ଫେରିଯାଇଥିଲା। ଆସନ୍ତାକାଲି ଘଟଣା ଘଟିଥିବା ନୂଆବଜାର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଯିବାକୁ ଯୋଜନା କରିଥିବା ସୂଚନା ମିଳିଛି।

ହାଇକୋର୍ଟ ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ଗତ ୨୮ ତାରିଖରେ ଚାଉଳିଆଗଞ୍ଜ ଥାନାର ଚାରି ଜଣ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ପରେ ବିବାଦ ଉଗ୍ର ରୂପ ନେଇଥିଲା। ନ୍ୟାସ୍‌ନାଲିଷ୍ଟ ଲୟର୍ସ ଫୋରମ୍‌ ପକ୍ଷର ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଗତ ୪ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଗତକାଲି ଅପରାହ୍ନରେ କ୍ରାଇମ୍‌ବ୍ରାଞ୍ଚରେ ହାଇକୋର୍ଟର ନିର୍ଦ୍ଦେଶନାମା ପହଞ୍ଚିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚର ଡିଏସ୍‌ପି ଡିି.ବି. ମିଶ୍ର ଏବଂ ଏସ୍‌.ଏଲ୍‌. ପଟ୍ଟନାୟକ ଆଜି ଚାଉଳିଆଗଞ୍ଜ ଥାନାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

କ୍ରାଇମ୍‌ବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ଥାନା ଇନ୍‌ସ୍ପେକ୍ଟର ଅଜୟ ଦାସଙ୍କ ସମେତ କନଷ୍ଟେବଳ ଦିଲ୍ଲୀପ କୁମାର ସାମଲ, ଓଏପିଏଫ୍‌ ଉଦୟ କୁମାର ଭୂୟାଁ, ହୋମ୍‌ଗାର୍ଡ କିଶୋର ଜେନା, ହାବିଲ୍‌ଦାର ପ୍ରସନ୍ନ କୁମାର ବେହେରା ଏବଂ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକ, ନୂଆବଜାର ଅଞ୍ଚଳର ଦିଲ୍ଲୀପ ସିଂହ, ଗୌରାଙ୍ଗ ସାହୁଙ୍କୁ କ୍ରାଇମ୍‌ବ୍ରାଞ୍ଚର ଦୁଇ ଡିଏସ୍‌ପି ପଚରାଉଚରା କରିବା ନେଇ ଆଜି ଏକ ତାଲିକା ପ୍ରସ୍ତୁତ ହୋଇଥିବା କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର