ଆଇନଜୀବୀଙ୍କୁ ପୁଲିସର ମାଡ଼ ପ୍ରସଙ୍ଗ: ଜନସ୍ବାର୍ଥ ମାମଲା ଶୁଣାଣି ଘୁଞ୍ଚିଲା

ହାଇକୋର୍ଟ ବାର୍ ଆସୋସିଏସନ୍ ବୈଠକ ଆଜି

କଟକ: ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାମଲାରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତା ୧୫ ତାରିଖକୁ ଘୁଞ୍ଚିଛି। ଆଜି ମୁୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଗତକାଲି ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଉପରେ ରୋକ ଲଗାଇଥିଲେ। ପୁଲିସ କର୍ମଚାରୀଙ୍କ ନିଲମ୍ବନ ଆଦେଶ ପୂର୍ବ ଭଳି ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମାମଲାର ଶୁଣାଣି ପାଇଁ ଆଜିକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଆଜି ବି ମାମଲାର ଶୁଣାଣି ସଂପୂର୍ଣ୍ଣ ନହୋଇ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଥିଲା। ଅନ୍ୟପଟେ ଆସନ୍ତାକାଲି ହାଇକୋର୍ଟ ବାର୍ ଆସୋସିଏସନର ଗୁରୁତ୍ବପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ। ଏଥିସହିତ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ରୁଜୁ ମାମଲାର ଶୁଣାଣି ଆସନ୍ତାକାଲି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର