ପଶ୍ଚିମ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ପ୍ରସ˚ଗ : ସରକାରଙ୍କ ଜବାବ ଦାଖଲ

କଟକ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସଂପର୍କିତ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଂଗକୁ ନେଇ ଦାଏର ଜନସ୍ବାର୍ଥ ମାମଲାରେ ରାଜ୍ୟ ଗୃହ ବିଭାଗ ଓ ଆଇନ ବିଭାଗ ପକ୍ଷରୁ ଜବାବ ଦାଖଲ ହୋଇଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର‌୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାଏର ଏ ସ˚ପର୍କିତ ମାମଲାର ଶୁଣାଣି ହୋଇଛି।

ଗୃହ ବିଭାଗ ପକ୍ଷରୁ ଦାଖଲ ଜବାବରେ ଉଲ୍ଲେଖ କରାଯାଇଛି ଯେ, ପୁଲିସ ଡିଜି, ଆଇଜି, ଡିଆଇଜି ଓ ସମ୍ବଲପୁର ଏସ୍‌ପିଙ୍କୁ ଆନ୍ଦୋଳନ ହେଉଥିବା ଅଞ୍ଚଳରେ ଅଦାଲତରେ ବିଚାରପତିଙ୍କୁ ପହଞ୍ଚାଇବା ପାଇଁ ସୁରକ୍ଷା ଯୋଗାଇ ଦେବାକୁ ଚିିଠି ଲେଖାଯାଇଛି। ଅନ୍ୟପକ୍ଷରେ ସରକାରୀ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରିବା ପ୍ରସଂଗରେ ଜବାବରେ କିଛି ବି ଉଲ୍ଲେଖ କରାଯାଇ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର କରାଯିବା ପାଇଁ ଧାର୍ଯ୍ୟ କରାଯାଇଇଛି।

ଏଠାରେ ସୂଚନା ଯୋଗ୍ୟ, ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଜାରି ରହିଥିବାବେଳେ ଏପରି ପରିସ୍ଥିତିରେ ସ˚ପୃକ୍ତ ଅଞ୍ଚଳରେ ଏକପ୍ରକାର ଅଚାବସ୍ଥା ସୃଷ୍ଟି ହୋଇଛି। ବିଭିନ୍ନ ବିଚାର ବିଭାଗୀୟ ଅଦାଲତ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସ୍ବାଭାବିକ ଭାବେ କାର୍ଯ୍ୟ କରୁନାହିଁ। ଏପରି ଆନ୍ଦୋଳନ ଯୋଗୁ ସାଧାରଣ ଲୋକମାନେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନିକ କଳ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର