ହାଇକୋର୍ଟ ବେଞ୍ଚ ଦାବି : ଦ୍ୱିତୀୟ ଦିନରେ କାର୍ଯ୍ୟବନ୍ଦ

କେନ୍ଦ୍ର ଅଡିନାନ୍ସ ଜାରି କରୁ, ସବୁ ଅଦାଲତ ବନ୍ଦ ରହିବ ପ୍ରଶାସନିକ ସେବା କାର୍ଯ୍ୟ କରିବ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ପୁଣି ବୁଧବାର ଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି (ଗୁରୁବାର)ଦ୍ୱିତୀୟ ଦିନରେ ମଧ୍ୟ ବିଚାର ବିଭାଗୀୟ କାର୍ଯ୍ୟବନ୍ଦ କରାଯାଇଥିଲା। ଆଜି ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁସାରେ ଓକିଲ ସଂଘ ଆନ୍ଦୋଳନର ରଣନୀତିରେ ପରବର୍ତ୍ତନ କରୁଛି। ନିଷ୍ପତ୍ତି ଅନୁସାରେ ବିଚାର ବିଭାଗୀୟ ଏବଂ ରାଜସ୍ୱ ଅଦାଲତର ଅଚଳାବସ୍ଥା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆରଡିସି, ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରଶାସନିକ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ। ଏହା ପୂର୍ବ ଭଳି ଖୋଲା ରହିବ। ତେବେ, ଏହି ତିନି କାର୍ଯ୍ୟାଳୟର ରାଜସ୍ୱ ଅଦାଲତ ସମେତ ତହସିଲ, ଆରଆଇ ଏବଂ ଜମି ପଂଜୀକରଣ କାର୍ଯ୍ୟାଳୟକୁ ୨୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯିବ।

ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଆଜିର ଏହି ବୈଠକରେ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ସ୍ୱାଗତ କରାଯାଇଛି। ମାତ୍ର ଏହା ପରେ ମଧ୍ୟ ଓକିଲ ସଂଘର ଦାବି ପୂରଣ ହେଉନାହିଁ। ବିଶେଷଜ୍ଞ କମିଟି ଗଠନ କରି ହାଇକୋର୍ଟ ବେଞ୍ଚ ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ସହିତ ଆଲୋଚନା ନେଇ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିନଥିବାରୁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଡିନାନ୍ସ ଅଣାଯାଇ ଆଇନ ତିଆରି ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଦାବି କରିଛି। ଏହା ସହିତ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ଠାରେ ଚାପ ସୃଷ୍ଟି ପାଇଁ ଆନ୍ଦୋଳନର ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି ଓକିଲ ସଂଘ। ଆସନ୍ତା ୯ ତାରିଖ ରବିବାର ଝାରସୁଗୁଡ଼ାର ସିଏସି ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର