ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ : ଭବାନୀପାଟଣାରେ କଚେରି ସହିତ ସମସ୍ତ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ
ଭବାନୀପାଟଣା : କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ତେଜିଛି। ଓକିଲମାନେ ସୋମବାର ଜିଲ୍ଲାର ସମସ୍ତ କୋର୍ଟ ବର୍ଜନ କରିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ଭବାନୀପାଟଣା ସହରର ସମସ୍ତ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପାଇଁ କଳାହାଣ୍ଡି ହିଁ ପ୍ରକୃଷ୍ଟ ସ୍ଥାନ ବୋଲି ଦାବି କରି ଆଜି ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ଓକିଲମାନେ ସମସ୍ତ କୋର୍ଟ କାର୍ଯ୍ୟ ବର୍ଜନ କରିଥିଲେ। ଏଥିସହିତ ଭବାନୀପାଟଣା ସହରସ୍ଥିତ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଡିଆରଡିଏ, ଭବାନୀପାଟଣା ଉପଜିଲ୍ଲାପାଳ କାର୍ଯ୍ୟାଳୟ, କଳାହାଣ୍ଡି ତହସିଲ, ଆରଟିଓ, ପୂର୍ତ୍ତ ବିଭାଗ, ମ୍ୟୁନିସିପାଲଟି, ଡିଇଓ, ଭବାନୀପାଟଣା ସଦର ବ୍ଲକ, ଟ୍ରେଜେରି ସମେତ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିିଥିଲେ। ଫଳରେ, ଆନ୍ଦୋଳନ ଯୋଗୁ ଭବାନୀପାଟଣାର ସମସ୍ତ ବ୍ୟାଙ୍କ ମଧ୍ୟ ବନ୍ଦଥିବା ରହିଥିଲା। ସେହିଭଳି ଜୁନାଗଡ଼, ଧର୍ମଗଡ, ଜୟପାଟଣା, କୋକସରା ସମେତ ସମସ୍ତ କୋର୍ଟକୁ ଓକିଲମାନେ ବର୍ଜନ କରିଥିଲେ। କଳାହାଣ୍ଡି ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା, ଉପସଭାପତି ଦିଲ୍ଲୀପ ପ୍ରହରାଜ, ସାଧାରଣ ସଂପାଦକ ଅଶ୍ବିନ ଦାସ, ସହ ସମ୍ପାଦକ ନିହାର ରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ମହେଶ ପ୍ରସାଦ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଏହି କୋର୍ଟ ବର୍ଜନ ଓ ପିକେଟିଂରେ ସାମିଲ ହୋଇଥିଲେ। ତେବେ, କୋର୍ଟ ବର୍ଜନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ଯୋଗୁଁ ସାଧାରଣ ଲୋକେ ଦହଗଞ୍ଜ ହୋଇଥିଲେ।