୧୭ ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେସ୍‌ ଦାୟର ଓ ପକ୍ଷଙ୍କ ବ୍ୟକ୍ତିଗତ ମାମଲା ପରିଚାଳନା ଉପରେ ଅଙ୍କୁଶ; ହାଇକୋର୍ଟରେ ୧ ଲକ୍ଷ ୭୧ ହଜାର ବିଚାରାଧୀନ ମାମଲା

କଟକ : ୨୦୧୮, ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ହାଇକୋର୍ଟ ବାର୍‌ ଆସୋସିଏସନ୍‌ ହଲରେ ଆଜି ଦିନ ୧ଟା ବେଳେ ଅନୁଷ୍ଠିତ ବୈଠକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ଘଟଣାକୁ ନିନ୍ଦା କରିବା ସହିତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ଗିରଫଦାରୀ ଦାବି ପୁଣି ଦୋହରାଇଥିଲେ ସଦସ୍ୟମାନେ। ଅଭିଯୁକ୍ତଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ଆଇନଜୀବୀମାନେ ମତ ପ୍ରକାଶ କରିଥିଲେ। ଏଥି ସହିତ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ କୋର୍ଟ ବର୍ଜନ ଜାରି ରଖିବା ସହିତ ହାଇକୋର୍ଟରେ କୌଣସି ମାମଲା ଦାୟର ନ କରିବାକୁ ଆଜି ଆଇନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି। କେତେକ ମହକିଲ କୋର୍ଟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା କରୁଥିବା ବେଳେ ଆଉ ଏଥି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ବୈଠକ ପୂର୍ବରୁ ଆଇନଜୀବୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଏଥି ସହିତ ସେପ୍ଟେମ୍ବର ୧୭ ପର୍ଯନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ରାଜ୍ୟର ସମସ୍ତ ଆଇନଜୀବୀ ସଂଘକୁ ଅବଗତ କରାଯାଇଛି। ସୋମବାର ଦିନ ୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ।

ସୂଚନା ଯୋଗ୍ୟ ଯେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ କନଭେନସନ୍‌ ହଲରେ ସେପ୍ଟେମ୍ବର ୮ରେ ଅନୁଷ୍ଠିିତ ରାଜ୍ୟ ସ୍ତରୀୟ ଆଇନଜୀବୀ ସଂଘ କର୍ମକର୍ତ୍ତାଙ୍କ ବୈଠକରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ୧୨୦ଟି ବାର୍‌ର ପ୍ରତିନିଧି ନିଷ୍ପତ୍ତି ନେଇଥିଲେ। ଏଥି ସହିତ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ଆଇନଜୀବୀମାନେ ଦାବି କରିଥିଲେ। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବଂଶୀଧର ଶତପଥୀ, ସଂପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସଂପାଦକ ରଂଜନ ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସଂପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର୍‌ ସଭାପତି ଉମାକାନ୍ତ ନନ୍ଦ, ସଂପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍‌ ବାର୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ସଂପାଦକ ପ୍ରଦୀପ ପରିଡା ପ୍ରମୁଖଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

ହାଇକୋର୍ଟରେ ୧ ଲକ୍ଷ ୭୧ ହଜାର ବିଚାରାଧୀନ ମାମଲା

ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବି କରି ୨୦୧୮, ଅଗଷ୍ଟ ୨୯ରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ହାଇକୋର୍ଟ ଓ୍ଵବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୮, ଅଗଷ୍ଟ ୨୯ରେ ହାଇକୋର୍ଟରେ ୧ ଲକ୍ଷ ୬୭ ହଜାର ୮୯୦ଟି ମାମଲା ବିଚାରାଧୀନ ଥିଲା। ଅନ୍ୟପକ୍ଷରେ ୨୦୧୮, ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ ଲକ୍ଷ ୭୧ ହଜାର ୮୫ରେ ପହଞ୍ଚିଛି। ଏଥି ମଧ୍ୟରେ ୩ ହଜାର ୭୭୭ଟି ନିୟମିତ ଜାମିନ ଆବେଦନ ଓ ୭ ହଜାର ୨୦୨ଟି ଆଗୁଆ ଜାମିନ ଆବେଦନ ଅନ୍ତର୍ଭୁକ୍ତ। ଗୋଟିଏ ପଟେ ଆଇନଜୀବୀଙ୍କ ଦାବି ପୂରଣ ହେଉ ନଥିବାରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟପଟେ ମାମଲା ସଂଖ୍ୟା ବଢି ଚାଲିଛି।

ସମ୍ବନ୍ଧିତ ଖବର