ସାରା ରାଜ୍ୟକୁ ବ୍ୟାପିଲା ଆଇନଜୀବୀ ଆନ୍ଦୋଳନ

କଟକ : ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦ ପୂରଣ ଦାବିରେ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନର ପ୍ରଭାବ ଆଜି ସାରା ରାଜ୍ୟରେ ଦେଖିବାକୁ ମିଳିଛି। ଗୁରୁବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଇନଜୀବୀ ସଂଘ ଆନ୍ଦୋଳନରେ ସାମିଲ ହୋଇ ଅଦାଲତ କାର୍ଯ୍ୟ ବର୍ଜନ କରିଛନ୍ତି। ଏହି ଆନ୍ଦୋଳନ ସାରା ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆରମ୍ଭ ହୋଇଥିବା ବେଳେ ଏଥି ପ୍ରତି ସମର୍ଥନ ଜଣାଇ ୨୨ ତାରିଖ ଦିନ କୋର୍ଟ କାର୍ଯ୍ୟ ବର୍ଜନ କରିବା ପାଇଁ ସମସ୍ତ ଜିଲ୍ଲାରେ ଥିବା ଆଇନଜୀବୀ ସଂଘ ଗୁଡିକୁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ପକ୍ଷରୁ ୨୧ ତାରିଖ ଦିନ ଅନୁରୋଧ କରାଯାଇଥିଲା। ଆଜି ହାଇକୋର୍ଟ ବାର୍‌ ଅନୁରୋଧ କ୍ରମେ ବିଭିନ୍ନ ଜିଲ୍ଲାର ଆଇନଜୀବୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ସାରା ରାଜ୍ୟରେ କୋର୍ଟ କାର୍ଯ୍ୟ ଏକ ପ୍ରକାର ଠପ୍‌ ହୋଇଛି।

ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଏକାଦଶ ଦିନରେ ପହଞ୍ଚିଥିବା ବେଳେ ଆସୋସିଏସନ୍‌ ପରିସରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ରିଲେ ଅନଶନ ଜାରି ରହିଛି। ଆସୋସିଏସନ ପକ୍ଷରୁ ଦାବି ସମ୍ବଳିତ ସ୍ମାରକପତ୍ର ରାଷ୍ଟପତି, ଭାରତର ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଆଇନମନ୍ତ୍ରୀ, ରାଜ୍ୟପାଳ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଫେବ୍ରୁଆରି ୨୩ ତାରିଖ ଦିନ ୧ଟା ୨୦ରେ ଆସୋସିଏସନର ସାଧାରଣ ପରିଷଦର ପରବର୍ତ୍ତୀ ବୈଠକ ବସିବ। ଏହି ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବ ବୋଲି ଜଣା ପଡିଛି।

ସମ୍ବନ୍ଧିତ ଖବର