ପୁଣି ଜେଏମ୍‌ଏମ୍‌ ଛାଡ଼ିଲେ ଲକ୍ଷ୍ମଣ ଟୁଡ଼ୁ

ବାରିପଦା : ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ ଆଜି ଭୁବନେଶ୍ୱରରେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ପଦ୍ମ ଧରିବା ପରେ ମୟୂରଭଞ୍ଜରେ ରାଜନୀତି ସମୀକରଣ ବଦଳିବାର ସମ୍ଭାବନା ଉପୁଜିଛି।

ପୂର୍ବତନ ସାଂସଦ ୨୦୧୮ ଅକ୍ଟୋବର ୬ରେ ଶଙ୍ଖ ଛାଡ଼ି ଜେଏମଏମ୍‌ରେ ମିଶିଥିଲେ। ବାରିପଦା ପୌରପରିଷଦର ଏକ ଘରୋଇ ହୋଟେଲର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ। କହିଥିଲେ, ପାଣ୍ଡିଆନଙ୍କ ଇସାରାରେ ବିଜେଡିରେ ସେ କୋଣଠେସା ହୋଇ ପଡ଼ିଥିଲେ। ହେଲେ କେଉଁ କାରଣରୁ ଜେଏମଏମରେ ସାଢ଼େ ୫ ମାସ ପୂରଣ କରିପାରିଲେ ନାହିଁ ଓ ଜେଏମଏମକୁ ପୁଣି ଛାଡ଼ପତ୍ର ଦେଇ ହାତରେ ପଦ୍ମ ଧରିବାକୁ ବାଧ୍ୟ ହେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଜେଏମଏମର ଜିଲ୍ଲା ସଭାପତି ଫାଗୁ ହାଁସଦାଃ ପ୍ରତିକ୍ରୟାରେ କହିଥିଲେ, ଲକ୍ଷ୍ମଣ ଟୁଡ଼ୁ ବାରମ୍ବାର ରଙ୍ଗ ବଦଳାଇ ପାରୁଥିବା ବହୁରୂପୀ ଏଣ୍ଡୁଅ।

ପୂର୍ବତନ ସାଂସଦ ଶ୍ରୀଟୁଡ଼ୁ, ପ୍ରଥମେ ଜନତାଦଳରେ ରହିଥିଲେ। ଏହାପରେ ଜେଏମଏମ ଓ ଜେଏମଏମରୁ ବିଜେଡିକୁ ଡିଆଁ ମାରି ୨ଥର ଜିଲ୍ଲା ସଭାପତି ଓ ମୟୂରଭଞ୍ଜ ଲୋକସଭା ସାଂସଦ ହୋଇ ପାରିଥିଲେ। ଏହାପରେ ବିଜେଡିରୁ ଗତ ଅକ୍ଟୋବରରେ ଜେଏମଏମକୁ ଓ ଆଜି ପୁଣି ବିଜେପିକୁ ଡିଆଁ ମାରିଛନ୍ତି। ପୂର୍ବତନ ସାଂସଦ ଶ୍ରୀଟୁଡ଼ୁଙ୍କ ନାମରେ ବାଲେଶ୍ୱର ଲୋକସଭାର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ୨୦୧୨ ଅକ୍ଟୋବର ୨୩ରେ ବାରିପଦା ଟାଉନ ଥାନାରେ ଠକେଇ ଓ ଜାଲିଆତି ଅଭିଯୋଗ ଆଣି ଏକ ଏଫଆଇଆର ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର