ସତ୍ୟାନନ୍ଦ ଯୋଗ ବିଦ୍ୟାଳୟରେ ଶ୍ରୀ ଲକ୍ଷ୍ମୀନାରାୟଣ ଯଜ୍ଞ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପରିସରରେ ଆସନ୍ତା ମାର୍ଚ୍ଚ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ପବିତ୍ର ‘ଲକ୍ଷ୍ମୀ ନାରାୟଣ ଯଜ୍ଞ’ ଅନୁଷ୍ଠିତ ହେବାକୁ ଯାଉଛି। ସମ୍ବଲପୁରର ଯୋଗ ଦର୍ଶନ ଆଶ୍ରମ, ବରଗଡର ନିରଞ୍ଜନାନନ୍ଦ ଯୋଗ ଅନୁଷ୍ଠାନର ମିଳିତ ସହଯୋଗରେ ଏହି ଦିବ୍ୟ ମାଙ୍ଗଳିକ ଉତ୍ସବ ଅନୁଷ୍ଠିତ ହେବ।

ପ୍ରଭୁ ନାରାୟଣଙ୍କ ଦିବ୍ୟ ପତ୍ନୀ ମାତା ଶ୍ରୀଲକ୍ଷ୍ମୀ ଚିରନ୍ତନ ସୌନ୍ଦର୍ଯ୍ୟ, ଶାନ୍ତି, ସମନ୍ବୟ, ଶୁଭ, ଐଶ୍ବର୍ଯ୍ୟ ଓ ଜ୍ଞାନର ଦେବୀ। ଭଗବାନ ନାରାୟଣ ହେଉଛନ୍ତି ଏ ବିଶ୍ବ ବ୍ରହ୍ମାଣ୍ଡର ରକ୍ଷକ, ପାଳନ କର୍ତ୍ତା; ସତ୍ୟ ଓ ନୈତିକତାର ପ୍ରତୀକ। ଏହି ଅନନ୍ୟ ଯଜ୍ଞୋତ୍ସବ ଦେବ-ଦମ୍ପତି ‘ଲକ୍ଷ୍ମୀ ନାରାୟଣ’ଙ୍କୁ ସମର୍ପିତ ଏବଂ ସମସ୍ତଙ୍କ ପାଇଁ ଈଶ୍ବରାନୁଭୂତି ପ୍ରାପ୍ତିର ଉତ୍ତମ ମାର୍ଗ। ଉଭୟ ଆଧ୍ୟାତ୍ମିକ ଓ ସଂସାରୀ ମଣିଷଙ୍କ ପାଇଁ ଦିବ୍ୟ ସନ୍ଦେଶ ପ୍ରାପ୍ତିର ଏକ ପବିତ୍ର ଅବସର।

ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପରିସରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି ଯଜ୍ଞ ପ୍ରତିଦିନ ସକାଳ ୭ ଘଟିକାରୁ ଅପରାହ୍‌ଣ ୫ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପବିତ୍ର ଯଜ୍ଞାନୁଷ୍ଠାନରେ ମହାନ ଧାର୍ମିକ ପୀଠ କାଶୀରୁ ପ୍ରାୟ ୧୬ ଜଣ ପ୍ରାଜ୍ଞ ପଣ୍ଡିତ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟ ସଂପାଦନ କରିବେ।

ଏହି ପବିତ୍ର ଯଜ୍ଞୋତ୍ସବରେ ସପରିବାର ନିଜ ବନ୍ଧୁବାନ୍ଧବଙ୍କ ସହ ଯୋଗ ଦେଇ ଯଜ୍ଞ-ମନ୍ତ୍ର ଉଚ୍ଚାରଣର ଦିବ୍ୟ ଅନୁଭୂତି ସାଙ୍ଗକୁ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କ ଆଶୀର୍ବାଦ ଲାଭ କରିବା ନିମନ୍ତେ ଭୁବନେଶ୍ବର ସତ୍ୟାନନ୍ଦ ଯୋଗ ବିଦ୍ୟାଳୟର ନିର୍ଦ୍ଦେଶକ ମହାମଣ୍ଡଳାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ସାଦର ନିମନ୍ତ୍ରଣ ଜଣାଇଛନ୍ତି। ଯଜ୍ଞ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଲାଗି ୦୬୭୪-୨୫୪୨୪୭୮, ୮୧୪୪୧୪୬୧୭୬ ଓ ୯୦୪୦୨୪୮୯୬୦ ରେ ଯୋଗାଯୋଗ କରିବାକୁ ଯୋଗ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର