ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ଘଟଣାର ନୂଆ ମୋଡ଼

ବିଜୁ ପକ୍କା ଘର ଯୋଜନାରେ ଘର ମଞ୍ଜୁର ହୋଇଥିଲା: ଜିଲ୍ଲାପାଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ଲକରେ ଲାଞ୍ଚ ମାଗୁଥିଲେ: କେନ୍ଦ୍ରମନ୍ତ୍ରୀ

ଖୋର୍ଧା/ନିରାକାରପୁର : ନିରାକାରପୁର ପାଟଣାର ଶିକ୍ଷିତ ଗରିବ ଯୁବକ ଲକ୍ଷ୍ମୀଧରଙ୍କ ଶବ ମିଳିବା ପୂର୍ବରୁ ଭାଇରାଲ୍ ହୋଇଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଜି ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ନେତୃମଣ୍ଡଳୀ ଲକ୍ଷ୍ମୀଧରଙ୍କ ଘରେ ପହଞ୍ଚି ସମବେଦନା ଜଣାଇଥିବା ବେଳେ କଂଗ୍ରେସ ପକ୍ଷରୁ ଘଟଣାକୁ ନେଇ ଆନ୍ଦୋଳନ କରିବାକୁ ଯୋଜନା ହେଉଥିବା ଶୁଣାଯାଉଛି। ଲକ୍ଷ୍ମୀଧର ନିଜର ଦାରିଦ୍ର୍ୟ ଏବଂ ସରକାରୀ ଦୁର୍ନୀତି ପାଇଁ ଆତ୍ମହତ୍ୟା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବେଦନ କରିଥିଲେ, କିନ୍ତୁ ତାଙ୍କୁ ସରକାରୀ କର୍ମଚାରୀ ୧୫-୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଯୋଗ ଆଣିଛନ୍ତି। ଅପରପକ୍ଷେ, ଲାଞ୍ଚ ଦେଇନପାରି ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ଅଭିଯୋଗକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଇଛି।

ସୂଚନାନୁଯାୟୀ, ଲକ୍ଷ୍ମୀଧରଙ୍କ ମୃତ୍ୟୁର ୪-୫ ଦିନ ପୂର୍ବରୁ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଲକ୍ଷ୍ମୀଧର ସରକାରୀ ଯୋଜନାରେ ଘର ପାଇଁ ଆବେଦନ କରିଥିବା ଏବଂ ବ୍ଲକ କର୍ମଚାରୀ ତାଙ୍କ ଘର ଦେଖି ଯାଇଥିବା କଥା ଦର୍ଶାଇଛନ୍ତି। ଏଥି ସହ ବ୍ଲକ କର୍ମଚାରୀ ଘର ଦେବା ପାଇଁ ୧୫-୨୦ହଜାର ଟଙ୍କା ଲାଞ୍ଚ ମାଗୁଥିବା କଥା ସେ କହିଛନ୍ତି। ତେବେ କେଉଁ ଯୋଜନାରେ ଘର ଆବେଦନ କରିଥିଲେ ତାହା ଦର୍ଶାଇନାହାନ୍ତି। ଅପରପକ୍ଷେ, ଲକ୍ଷ୍ମୀଧରଙ୍କ ବଡ଼ ଭାଇ ପବିତ୍ର ବେହେରାଙ୍କ କହିବା ଅନୁଯାୟୀ, ଜମିରୁ ମିଳୁଥିବା ଆୟ ପରିବାର ଚଳାଇବା ପାଇଁ ଯଥେଷ୍ଟ ହେଉନଥିବାରୁ ତାଙ୍କ ଉଚ୍ଚଶିକ୍ଷିତ ଭାଇ ଦିନ ମଜୁରିଆ ଭାବେ ଖଟୁଥିଲେ। ସବୁଦିନ କାମ ମିଳୁନଥିବାରୁ ୧୪ବର୍ଷର ଝିଅ ଏବଂ ଦୁଇ ପୁଅଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉନଥିଲା। ତେଣୁ ଅନେକ ସମୟରେ ହାତ ଉଧାର କରୁଥିବାରୁ ସେ କିଛି ଦିନ ଧରି ଚିନ୍ତିତ ରହୁଥିଲେ। ସରକାରୀ ଘର ପାଇଁ ସେ ଆବେଦନ କରିଥିବା ବେଳେ କାହିଁକି ଆତ୍ମହତ୍ୟା କଲେ ସେ କଥା ପବିତ୍ର ଜାଣିନଥିବା କହିଛନ୍ତି।

ଅପରପକ୍ଷରେ, ଲକ୍ଷ୍ମୀଧର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ ସମର୍ଥକ ଥିବା ଦୃଷ୍ଟିରୁ ଗାଁରେ ତାଙ୍କୁ କୌଣସି ସରକାରୀ ଯୋଜନାରେ ସାମିଲ କରାଯାଉନଥିବା କଥା ଲକ୍ଷ୍ମୀଧରଙ୍କ କେତେକ ବନ୍ଧୁ କହିଛନ୍ତି। ଏନେଇ ସେ ଅନେକ ଥର ବ୍ଲକ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିବା ସେମାନେ କହିଛନ୍ତି। ତେବେ ସେ କାହା ଇଙ୍ଗିତରେ ନିଜର ଦୁର୍ଦ୍ଦଶା କଥା ବଖାଣି ଭିଡିଓ ଭାଇରାଲ୍ କଲେ ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା ରହସ୍ୟ ଘେରରେ ରହିଛି। ଏ ସମ୍ପର୍କରେ ନିରାକାରପୁର ଥାନା ସହ ଯୋଗାଯୋଗ କରିବାରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ଏବଂ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ ବୋଲି ଥାନାଧିକାରୀ କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ରଙ୍କୁ ପଚାରିବାରେ ୨୦-୨୫ ଦିନ ତଳେ ଲକ୍ଷ୍ମୀଧରଙ୍କ ଆବେଦନ ଆଧାରରେ ତାଙ୍କୁ ବିଜୁ ପକ୍କା ଘର ଯୋଜନାରେ ତିତିଲି କ୍ଷତିଗ୍ରସ୍ତଙ୍କ ତାଲିକାରେ ସାମିଲ କରାଯାଇଥିବା କହିଛନ୍ତି। ତେବେ ତାଙ୍କୁ ଲାଞ୍ଚ ମଗାଯିବା ଏବଂ ଦାରିଦ୍ର୍ୟ ପାଇଁ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି। ଆସନ୍ତାକାଲି ତଦନ୍ତ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର