ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ : କିଏ ହେବ ଲକ୍ଷ୍ମୀପୁର ରାଜା?, ଗୋଳମାଳିଆ କରିପାରନ୍ତି ବିଜେପି, ବି‌ଏସପି

କୋରାପୁଟ,(ପତିତପାବନ ସାହୁ): କୋରାପୁଟ ଜିଲ୍ଲାର ଏମିତି ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଲକ୍ଷ୍ମୀପୁର ଯେଉଁଠାରେ ପ୍ରତି ନିର୍ବାଚନରେ ଭୋଟରମାନେ ନେତା ବଦଳାଇବାର ପରମ୍ପରା ଚାଲି ଆସିଛି। ଏହି ବିଧାନସଭା କ୍ଷେତ୍ରରେ ଏବେ କଂଗ୍ରେସର ବିଧାୟକ ରହିଛନ୍ତି। ପଞ୍ଚାୟତ ନିର୍ବାଚନରେ ଏଠି ବିଜେଡିର ଆଶାତୀତ ସଫଳତା ଲାଭ କରିଛି। ତେଣୁ ବିଜେଡି ଶିବିର ଉତ୍ସାହିତ ରହିଥିଲାବେଳେ ପରମ୍ପରା ଭାଙ୍ଗିବା ଲକ୍ଷ୍ୟରେ ରହିଛି କଂଗ୍ରେସ। କଂଗ୍ରେସରୁ ବିଧାୟକ କୈଳାସ କୁଲେସିକା ପୁଣି ଥରେ ପ୍ରାର୍ଥୀ ହେଉଥିଲାବେଳେ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ସଭାପତି ପ୍ରଭୂ ଜାନୀ ଲଢିବା ପ୍ରାୟ ଚୂଡାନ୍ତ ହୋ‌ଇଛି। ଏପଟେ ସେମାନଙ୍କୁ ବିଜେପି ଓ ବିଏସପି ମଧ୍ୟ ବଳ ଗୋଟାଇ କଡା ମୁକାବିଲା ଦେବାକୁ ଲକ୍ଷ୍ୟ ରଖିଛନ୍ତି।

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଲକ୍ଷ୍ମୀପୁର ବ୍ଲକ ସମେତ ବନ୍ଧୁଗାଁ, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକ ରହିଛି। ଭୋଟର ତାଲିକା ସଂଶୋଧନ ପରେ ନିର୍ବାଚନମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୧,୬୮,୭୩୪। ଗତ ବିଧାନସଭା ନିର୍ବାଚନରେ ଏଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସିଧାସଳଖ ଲଢେଇ ହୋଇଥିଲା। କଂଗ୍ରେସ ନେତା କୈଳାସ କୁଲେସିକା ଓ କଂଗ୍ରେସରୁ ବିଜେଡିକୁ ଡେଇଁଥିବା ହେମା ଗମାଙ୍ଗୋ ପରସ୍ପର ବିରୋଧରେ ଲଢିଥିଲେ। କିନ୍ତୁ କୈଳାସ ଏକତରଫା ଭାବେ ଜିତି ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ।

ବିଜେଡି ଗଠନ ପରଠାରୁ ଏହି ନିର୍ବାଚନମଣ୍ଡଳୀର କଂଗ୍ରେସ ସହିତ ମୁକାବିଲା କରୁଛି। ଗତ ୨୦୦୯ରେ ଏଠାରୁ ବିଜେଡିର ଝିନ୍ନ ହିକକା ଜିତି ବିଧାନସଭାକୁ ଯାଇଥିଲେ। ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ଅନନ୍ତରାମ ମାଝୀ ବିଜେଡିର କମଳ ଲୋଚନ ସାଉନ୍ତାଙ୍କୁ ପରାସ୍ତ କରିଥିଲେ। ୨୦୦୦ ମସିହା ନିର୍ବାଚନରେ ବିଜେଡିର ବିଭୀଷଣ ମାଝୀ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୧୯୯୫ରେ କଂଗ୍ରେସର ଅନନ୍ତରାମ ମାଝୀ, ୧୯୯୦ରେ ଜନତା ଦଳର ଅଖିଳ ସାଉନ୍ତା ଓ ୧୯୮୫ରେ କଂଗ୍ରେସର ଅନନ୍ତରାମ ମାଝୀ ଲକ୍ଷ୍ମୀପୁର ଆସନକୁ ଜିତିଥିଲେ।

ଲକ୍ଷ୍ମୀପୁର ଆସନରେ ୧୯୮୫ ମସିହା ପରଠାରୁ କ୍ଷମତା ପରିବର୍ତ୍ତନର ଏକ ଧାରା ଚାଲିଛି। ଅର୍ଥାତ ପ୍ରତି ୫ ବର୍ଷରେ ନେତା ବଦଳାଇଛନ୍ତି ଭୋଟର। କେଉଁ ଦଳ ଲଗାତାର ଦୁଇଥର ଜିତି ପାରି ନାହିଁ। ୨୦୦୦ ମସିହା ପରଠାରୁ ହୋଇଥିବା ୪ଟି ନିର୍ବାଚନରେ ଦୁଇଥର ବିଜେଡି ଓ ଦୁଇଥର କଂଗ୍ରେସ ଜିତିଛି। ତେଣୁ ଏଥର ମଧ୍ୟ ପରିବର୍ତ୍ତନ ଆଶାରେ ରହିଛି ବିଜେଡି।

ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ସମସ୍ତ ୭ଟି ଯାକ ଜିଲ୍ଲା ପରିଷଦ ଜୋନକୁ ଜିତି ନିଜ ସ୍ଥିତି ସୁଦୃଢ କରିଛି। ସାଂସଦ ଝିନ୍ନ ହିକକା ପୁଣି ଥରେ ଏଠାରୁ ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ ମଧ୍ୟ ଦଳ ତାଙ୍କୁ ସବୁଜ ସଙ୍କେତ ଦେଇନି। ବିେଜଡି ପକ୍ଷରୁ ପାରଦା କୁଲେସିକା ଓ ପୋଡାଗଡ ସରପଞ୍ଚ ଭଗବାନ ମୁଦୁଲି ମଧ୍ୟ ଦଳୀୟ ଟିକେଟ ଆଶାରେ ରହିଛନ୍ତି।

ଇତିହାସ ଓ ଗଣିତ ଆଧାରରେ ବିଜେଡି ଉତ୍ସାହିତ ରହିଛି। ହେଲେ କଂଗ୍ରେସ ବାଟ ଛାଡିବା ମୁଡରେ ନାହିଁ। ବିଧାୟକ କୈଳାସ କୁଲେସିକା ପୁଣି ଥରେ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଥିଲାବେଳେ ସେ ଇତିହାସ ବଦଳାଇବା ଲକ୍ଷ୍ୟରେ ଅଛନ୍ତି। ତେବେ ଦଳ ଭିତରୁ ବିରୋଧ ତାଙ୍କ ପାଇଁ ଅଡୁଆ ହୋଇପାରେ। ଦଳର ପୁରୁଣା ନେତା ରାଜେନ୍ଦ୍ର ହୁଇକା ଓ ମହିଳା ନେତ୍ରୀ ନିରୁପମା ୱାଡେକା କଂଗ୍ରେସ ଟିକେଟ ପାଇଁ ଆଶାୟୀ ଅଛନ୍ତି। ଏପଟେ କୈଳାସଙ୍କୁ ଜିଲ୍ଲାର ଟାଣୁଆ ନେତା ତାରା ପ୍ରସାଦ ବାହିନୀପତି ସମର୍ଥନ କରିବା ପରି ଲାଗୁନି। ତେଣୁ ଦଳର ଆଭ୍ୟନ୍ତରୀଣ ବିବାଦ ତାଙ୍କୁ ଅଡୁଆ କରିବାର ଆଶଙ୍କା ରହିଛି।

ବିଜେପିରେ କିଛି ବିଜେଡି ନେତା ମିଶିବା ପରେ ଦଳର ଶକ୍ତିବୃଦ୍ଧି ହୋଇଛି। ସେଥିପାଇଁ ଏବେ ଟିକେଟ ଆଶାରେ ଅଧା ଡଜନ ନେତା ଅଛନ୍ତି। ବିଜେଡିରୁ ଆସିଥିବା କୁମୁଦ ସାଉଁତା, ବିପିନ ମାଣ୍ଡିଙ୍ଗା, ଉଦୟ ହିକକା, ଶିବ ମୁଦୁଲିଙ୍କ ନାମ ଅଧିକ ଚର୍ଚ୍ଚା ହେଉଛି। କିନ୍ତୁ ଆଶାୟୀଙ୍କ ଭିତରେ ବିବାଦ ଦାଣ୍ଡରେ ପଡି ହାଟରେ ଗଡିଲାଣି। ସଂଗଠନ ସଜାଡିବା ପରିବର୍ତ୍ତେ ନେତାମାନେ ପରସ୍ପର ବିରୋଧରେ ଲାଗି ପଡିଛନ୍ତି।

ଏପଟେ ବିଏସପିରେ କୃଷ୍ଣଚନ୍ଦ୍ର ସଗରିଆ ମିଶିବା ପରେ ଦଳ ଅଧିକ ଶକ୍ତିଶାଳୀ ହୋଇଛି। ତେଣୁ ୨୦୧୯ ଲଢେଇ କାହା ପାଇଁ ସହଜ ହେବନି।

୨୦୧୪ ନିର୍ବାଚନ ଫଳାଫଳ

କଂଗ୍ରେସ   କୈଳାସ କୁଲେସିକ‌ା   ୫୩,୪୨୯
ବିଜେଡି    ହେମା ଗମା‌ଙ୍ଗୋ    ୩୦,୯୫୬
ବିଜେପି    ଶିବ ମୁଦୁଲି    ୯୫୨୭
ବିଏସପି   ଜନ୍ଧର ୱାଡେକା  ୫୬୩୨

ସମ୍ବନ୍ଧିତ ଖବର