ଲକ୍ଷ୍ମୀପୁର ନିର୍ବାଚନୀ ମାମଲା : ବିଧାୟକ ପ୍ରଭୁ ଜାନିଙ୍କ ଉପରେ ଜରିମାନା

କଟକ : ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ବିଧାୟକ ପ୍ରଭୁ ଜାନିଙ୍କ ଉପରେ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରି ଅଧିକ ମହଲତ ମାଗିବାରୁ ଏଭଳି ଜରିମାନା କରାଯାଇଛି। ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣି କରି ଜବାବ ଦାଖଲ ପାଇଁ ଶ୍ରୀ ଜାନିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଜବାବ ଦାଖଲ ପାଇଁ ଶ୍ରୀ ଜାନିଙ୍କ ପକ୍ଷରୁ ଅଧିକ ମହଲତ ଲୋଡା ଯାଇଥିଲା। ଏପରି ପରିସ୍ଥିତିରେ ଶ୍ରୀ ଜାନିଙ୍କ ଉପରେ ୨ ହଜାର ଟଙ୍କା ଜରିମାନା କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯିବା ସହିତ ଏହା ପୂର୍ବରୁ ଶ୍ରୀ ଜାନିଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦାୟର ନିର୍ବାଚନୀ ମାମଲାରେ ଦର୍ଶାଯାଇଛି ଯେ ବିଜୟୀ ପ୍ରାର୍ଥୀ ପ୍ରଭୁ ଜାନିଙ୍କ ନାମାଙ୍କନପତ୍ରରେ ତ୍ରୁଟି ଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏଥି ସହିତ ଅନ୍ୟ କେତେକ ପ୍ରତିପକ୍ଷ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଓ ସତ୍ୟପାଠରେ ତ୍ରୁଟି ଥିଲା। ଲକ୍ଷ୍ମୀପୁର ବିଧାନସଭା ଆସନ ଅନୁସୂଚିତ ଜନଜାତି(ଏସଟି) ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଜଣେ ପ୍ରାର୍ଥୀ ଏହି ବର୍ଗର ନ ହୋଇ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ନାମାଙ୍କନ କାଏମ ରହିଥିବା ବେଳେ ସେ ନିର୍ବାଚନରେ ହାରିଥିଲେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏପରି ପରିସ୍ଥିତିରେ ପ୍ରଭୁ ଜାନିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ଓ ଆବେଦନକାରୀଙ୍କୁ ବିଜୟୀ ଘୋଷଣା କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ବିଧାୟକ ପ୍ରଭୁ ଜାନି, ବିଜେପି ପ୍ରାର୍ଥୀ କୁମୁଦ ଚନ୍ଦ୍ର ସୁଆଁନ୍ତ, ବିଏସପି ପ୍ରାର୍ଥୀ ଅନିତା ସଗରିଆ, ସିପିଆଇ(ଏମଏଲ)ପ୍ରାର୍ଥୀ ପୂର୍ଣ୍ଣ ମାଡିଙ୍ଗୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର