ଲଟକିଛି ନେତାଙ୍କ ଭବିଷ୍ୟତ : ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ରାୟକୁ ଅପେକ୍ଷା  

କଟକ: କ’ଣ ହେବ ଅପରାଧ ମାମଲାରେ ଛନ୍ଦି ହୋଇଥିବା ନେତାଙ୍କ ଭବିଷ୍ୟତ? କେଉଁ ପ୍ରକାର ମାମଲାରେ ସଂପୃକ୍ତ ଥିଲେ ଅଥବା ମାମଲା କେଉଁ ସ୍ଥିତିରେ ଥିଲେ ସେମାନଙ୍କୁ ନିର୍ବାଚନ ଲଢିବାର ସୁଯୋଗ ମିଳିବ ନାହିଁ? ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୨ ତାରିଖରେ ଅବସର ନେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଏ ସଂପର୍କିତ ମାମଲାର ଚୂଡ଼ାନ୍ତ ରାୟ ପ୍ରଦାନ କରିବେ। ଏହାକୁ ନେଇ ସାରା ଦେଶରେ ନେତାମାନେ ଆଶଙ୍କାରେ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସହ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବା ବେଳେ ଏହାର ଚୂଡ଼ାନ୍ତ ରାୟକୁ ଅପେକ୍ଷା କରାଯାଉଛି। ରହିଥିବା ତଥ୍ୟ ଅନୁଯାୟୀ ୨୦୧୪ରେ ନିର୍ବାଚିତ ହୋଇଥିବା ଓଡ଼ିଶାର ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୫୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେଥିରୁ ଶାସକ ଦଳ ବିଜେଡିର ୩୨ ଜଣ ରହିଥିବା ବେଳେ କଂଗ୍ରେସର ୯ ଜଣ ଏବଂ ବିଜେପିର ୮ ଜଣ ଅଛନ୍ତି। ସେହିଭଳି ଲୋକସଭାକୁ ନିର୍ବାଚିତ ୨୧ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ୨ ଜଣ ଏବଂ ବିଜେପିର ଜଣେ। କିନ୍ତୁ ଗଲା ୪ ବର୍ଷ ଭିତରେ ଅନେକ ବିଧାୟକ ଓ ସାଂସଦଙ୍କ ବିରୋଧରେ ନୂଆ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ନିର୍ବାଚିତ ହୋଇପାରି ନଥିବା ବିଭିନ୍ନ ଦଳର ନେତାଙ୍କ ବିରୋଧରେ ବି ଏକାଧିକ ମାମଲା ରୁଜୁ ହୋଇଛି।

 କଟକର ୮ ନେତାଙ୍କ ବିରୋଧରେ ରହିଛି ମାମଲା  

ସିବିଆଇ ଜାଲରେ ଫସିଛନ୍ତି ଦୁଇ ପ୍ରଭାତ

କଟକ ଜିଲ୍ଲାର ୯ଟି ବିଧାନସଭା ଆସନରୁ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଧାୟକଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଛି। ଇତି ମଧ୍ୟରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଚିଟ୍‌ଫଣ୍ଡ ଦୁର୍ନୀତିରେ ଫସି ଗିରଫ ହୋଇଛନ୍ତି। ଇଡି ବି ମାମଲାର ଛାନଭିନ୍‌ କରୁଛି। ଶ୍ରୀ ବିଶ୍ୱାଳ ଏବେ ଜାମିନରେ ଅଛନ୍ତି।  ଅନୁରୂପ ସ୍ଥିତିରେ ଅଛନ୍ତି ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ। ଶ୍ରୀ ତ୍ରିପାଠୀ ଚିଟ୍‌ଫଣ୍ଡ ମାମଲାରେ ଫସି ଗିରଫ ହୋଇଥିଲେ। ସେ ବି ଜାମିନରେ ଆସିବା ପରେ ଅଦାଲତରେ ମାମଲା ଲଢୁଛନ୍ତି। ୨୦୧୪ରେ ନିର୍ବାଚନ ଲଢିବା ବେଳେ ମଧ୍ୟ ତାଙ୍କ ବିରୋଧରେ ମାମଲା ଥିଲା। ରହିଥିବା ସତ୍ୟପାଠ ଅନୁଯାୟୀ ମାହାଙ୍ଗା ବିଧାୟକ ତଥା ରାଜ୍ୟର ଆଇନ, ସ୍ୱାସ୍ଥ୍ୟ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଦଫା ୩୫୪, ୩୭୯ ଓ ୫୦୪ ଆଇପିସିରେ ମାମଲା ରହିଛି। ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରହିଛି। ଚିଟ୍‌ଫଣ୍ଡ ମାମଲାରେ ତାଙ୍କର ଏକଦା ଡ୍ରାଇଭର ଥିବା ବ୍ୟକ୍ତି ସଂପୃକ୍ତ ଥାଇ ଜେରା ହେବା ପରେ ତାଙ୍କ ନାମ ଚର୍ଚ୍ଚାକୁ ଆସିଛି। ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ନାମରେ ଆଇପିସିର ଦଫା ୩୦୭, ୫୦୬ରେ ମାମଲା ରହିଛି। ସଦର ବିଧାୟକ ତଥା କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ନାମରେ ମାମଲା ରୁଜୁ ହୋଇ ନଥିବା ତଥ୍ୟ ରହିଛି। କିନ୍ତୁ ଚିଟ୍‌ଫଣ୍ଡ ଦୁର୍ନୀତିରେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଜେରାର ସମ୍ମୁଖୀନ ହୋଇ ସାରିଥିବାରୁ ତାଙ୍କ ନାମ ବି ଚର୍ଚ୍ଚାରେ ରହିଛି। ୨୦୧୯ ପୂର୍ବରୁ ଯଦି ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୁଏ ଏବଂ ସୁପ୍ରିମକୋର୍ଟର ରାୟ ଅପରାଧିକ ମାମଲା ଥିବା ବ୍ୟକ୍ତିଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ପ୍ରତିବନ୍ଧକ ଲଗାଏ ତେବେ କଟକ ରାଜନୀତିର ରୂପରେଖ ହୁଏତ ସଂପୂର୍ଣ୍ଣ ବଦଳି ଯିବ।  ଅନ୍ୟପଟେ ଜିଲ୍ଲାର ବିରୋଧୀ ଦଳର ପ୍ରମୁଖ ନେତାମାନଙ୍କ ବିରୋଧରେ ବି ଏକାଧିକ ସଂଗୀନ ମାମଲା ରହିଛି। ଏଥିରେ ନଗର କଂଗ୍ରେସ ସଭାପତି ଇଂଜିନିୟର ମହମ୍ମଦ ମୋକିମଙ୍କ ପାଇଁ ବିପଦ ରହିଛି। ୩ଟି ମାମଲାରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ ବି ହୋଇଛି। ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର,  ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’, ନୟନ ମହାନ୍ତି ମଧ୍ୟ ଅଡ଼ୁଆରେ ପଡ଼ିପାରନ୍ତି। ଏଭଳି ସ୍ଥିତିରେ ଅପରାଧିକ ମାମଲା ଥିବା ନେତାଙ୍କ ବିରୋଧରେ ସୁପ୍ରିମ କୋର୍ଟଙ୍କ କୌଣସି ପ୍ରକାର ନକରାତ୍ମକ ରାୟ ଉଭୟ ଶାସକ ଓ ବିରୋଧୀ ଦଳକୁ ପ୍ରଭାବିତ କରିବ।

ସମ୍ବନ୍ଧିତ ଖବର