‘ସମ୍ବାଦ’ ପକ୍ଷରୁ ଚତୁର୍ଥ ପ୍ରେରଣାଦାୟୀ ବକ୍ତୃତା : ଦେଶ ପାଇଁ ପଦକ ଆଗରେ ସବୁ ତୁଚ୍ଛ

କଠିନ ପରିଶ୍ରମ ଓ ଅଧ୍ୟବସାୟ ଚାମ୍ପିଅନ୍ ତିଆରି କରେ: ଲିଆଣ୍ଡର
ଗୋଟିଏ ଅଲିମ୍ପିକ୍ ପଦକ ଶହେ ଗ୍ରାଣ୍ଡସ୍ଲାମ୍‌ଠାରୁ ବି ମହତ୍ବପୂର୍ଣ୍ଣ
ମୋତେ ବିଶ୍ବ‌ବିଜେତା କରାଇବାରେ ଭୂପତିଙ୍କ ବଡ଼ ଅବଦାନ ଅଛି
ଲିଆଣ୍ଡର ଜଣେ ସଫଳ କାହାଣୀର ନାୟକ: ସୌମ୍ୟରଞ୍ଜନ

ଭୁବନେଶ୍ବର : ଜୀବନରେ ଯେ‌ତେ ବାଧାବିଘ୍ନ ଆସିଲେ ବି ଗଭୀର ଆତ୍ମବିଶ୍ବାସ, କଠିନ ପରିଶ୍ରମ ଓ ନିରନ୍ତର ଅଧ୍ୟବସାୟ ବଳରେ ଜଣେ ଚାମ୍ପିଅନ୍ ହୋଇପାରିବ। ସଫଳତା ପାଇବାରେ କେବେ ବୟସ ବାଧକ ସାଜିବନି। ଯଦି ଧୈର୍ଯ୍ୟ ଓ ଦୃଢ଼ ଇଚ୍ଛାଶକ୍ତି ଥିବ, ତେବେ ଯେ କୌଣସି ବୟସରେ ବି ଜଣେ ବିଶ୍ବବିଜେତା ହୋଇପାରିବ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଚତୁର୍ଥ ପ୍ରେରଣାଦାୟୀ ବକ୍ତୃତା କାର୍ଯ୍ୟକ୍ରମରେ ଟେନିସ୍ କିଂବଦନ୍ତି ଲିଆଣ୍ଡର ପେସ୍‌ ଏଭଳି ପରାମର୍ଶ ଦେଇ ଯୁବପିଢ଼ିକୁ ଉତ୍ସାହିତ କରିଛନ୍ତି। କେବଳ ସେତିକି ନୁହେଁ, ନିଜ ଖେଳ ଜୀବନରେ ୧୮ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିଣିଥିବା ଲିଆଣ୍ଡର ଦେଶ ପାଇଁ ଅଲିମ୍ପିକ୍ ପଦକ ଜିତିବାକୁ ଅଧିକ ମହତ୍ବ ଦେଇଛନ୍ତି। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ଏକକ ପଦକ ଜିତିବାର ଗୌରବ ଅର୍ଜନ କରିଥିବା ଲିଆଣ୍ଡର ଆଜି ଏ କଥା ସ୍ମରଣ କଲାବେଳେ ଦେଶ ପାଇଁ ପଦକ ଜିତିବା ଆଗ‌ରେ ଆଉ ସବୁ କିଛି ତୁଚ୍ଛ ବୋଲି ଦର୍ଶାଇ ଶହେଟି ଗ୍ରାଣ୍ଡସ୍ଲାମ୍ ଟାଇଟଲଠାରୁ ବି ଗୋଟିଏ ଅଲିମ୍ପିକ୍ ପଦକ ମହତ୍ତ୍ବପୂର୍ଣ୍ଣ ‌ବୋଲି କହିଛନ୍ତି।

ଆଜି ହୋଟେଲ ସ୍ବସ୍ତି ପ୍ରିମିୟମରେ ଖିମ୍‌ଜି ଜୁଏଲାରି ସହାୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲିଆଣ୍ଡର ପେସ୍ ତାଙ୍କର ତିନି ଦଶନ୍ଧି ବ୍ୟାପୀ ଲମ୍ବା ଖେଳ ଜୀବନର ଉତ୍‌ଥାନ, ପତନ, ସଫଳତା ଓ ସଂଘର୍ଷର ଅନେକ ଅଜଣା ଓ ରୋମାଞ୍ଚକର କାହାଣୀକୁ ଅତ୍ୟନ୍ତ ଭାବପୂର୍ଣ୍ଣ ଭାବେ ବର୍ଣ୍ଣନା କରିଥିଲେ। ତାଙ୍କ ବାପା ଭିସ୍‌ ପେସ୍ ଜଣେ ଅଲିମ୍ପିଆନ୍ ହକି ଖେଳାଳି ଥିବାବେଳେ ମା’ ଥିଲେ ଭାରତୀୟ ମହିଳା ବାସ୍କେଟବଲ୍‌ ଦଳର ଅଧିନାୟିକା। ତେଣୁ ତାଙ୍କ ଜିନ୍‌ରେ ଜଣେ କ୍ରୀଡ଼ାବିତ୍‌ ହେବାର ସବୁ ଗୁଣ ଥିଲା। ଦେଶ ପାଇଁ ଖେଳିବାର ସ୍ବପ୍ନ ଥିବାରୁ ସେ ପିଲା ଦିନରୁ ଫୁଟବଲ୍‌ ଖେଳୁଥିଲେ।

ଏପରିକି ୧୧ ବର୍ଷ ବୟସରେ ସେ ପ୍ରସିଦ୍ଧ ବାର୍ସିଲୋନା ଫୁଟବଲ ଏକାଡେମିରେ ତାଲିମ ପାଇବା ପାଇଁ ମନୋନୀତ ହୋଇ ସ୍ପେନ୍ ଯାଇଥିଲେ। ସେଠାରେ କିଛି ଦିନ ତାଲିମ ନେବା ପରେ ତାଙ୍କୁ ଯେତେବେଳେ ଭାରତର ନାଗରିକତା ଛାଡ଼ି ସ୍ପେନ୍‌ର ନାଗରିକତା ନେବାକୁ ସର୍ତ୍ତ ରଖାଗଲା, ସେ ତାହା ପ୍ରତ୍ୟାଖ୍ୟାନ କରି ଭାରତ ଫେରି ଆସିଥିଲେ। ଏଥି ସହିତ ସବୁଦିନ ପାଇଁ ତାଙ୍କୁ ଫୁଟବଲ ଛାଡ଼ିବାକୁ ପଡ଼ିଥିଲା। ଏହା ପରେ ସେ ଟେନିସ୍‌କୁ ବାଛିଥିଲେ ଏବଂ ଅଲିମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ବ କରିବାର ସ୍ବପ୍ନ ନେଇ ୧୨ ବର୍ଷ ବୟସରୁ କଠିନ ପରିଶ୍ରମ ଓ ତାଲିମ ନେବା ଆରମ୍ଭ କରିଥିଲେ। ପରେ ସେ କିପରି ଜଣେ ପେସାଦାର ଅନ୍ତର୍ଜାତୀୟ ଟେନିସ ତାରକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ତା‌ଙ୍କର ଏହି ଲମ୍ବା ଟେନିସ୍ କ୍ୟାରିଅରରେ କିପରି ତାଙ୍କୁ କେତେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା, ଲିଆଣ୍ଡର ତାହା ବିଶଦ ଭାବେ କହିଥିଲେ।
ଲିଆଣ୍ଡରଙ୍କ ପ୍ରେରଣାର ଉତ୍ସ ଓ ପ୍ରଥମ ଗୁରୁ ଥିଲେ ତାଙ୍କ ବାପା ଭିସ୍‌ ପେସ୍‌। ଟେନିସ୍ ପାଇଁ ତାଲିମ ନେବାକୁ ୧୨ ବର୍ଷ ବୟସରେ ତାଙ୍କୁ ଚେନ୍ନାଇରେ ଛାଡ଼ିବାବେଳେ ତାଙ୍କ ବାପା ଦେଇଥିବା ୧୦୦ପୃଷ୍ଠାର ଚିଠିର ପ୍ରଥମ ଓ ଶେଷ ପୃଷ୍ଠାକୁ ସେ କିପରି ଜୀବନର ପ୍ରତିଟି ମୁହୂର୍ତ୍ତରେ ମନେ ପକାଇଛନ୍ତି ଏବଂ ତାହା କିପରି ପ୍ରେରଣା ଦେଇଛି ତାହା କହିଲାବେଳେ ଭାବପ୍ରବଣ ହୋଇ ଯାଇଥିଲେ ଲିଆଣ୍ଡର। ଏହି ଚିଠିରେ ବାପା ତାଙ୍କୁ ଉପଦେଶ ଦେଇଥିଲେ ଯେ, ‘ଜଣେ ଭାରତୀୟ ବି ଅଲିମ୍ପିକ୍‌ରେ ମେଡାଲ ଜିତିପାରିବ, ତାହା ପ୍ରମାଣ କରିବା ପାଇଁ ଏବେ ଟେନିସ୍ ହିଁ ହେବ ତୁମର ବାହନ।’ ଏହା ପରେ ଆଉ କେବେ ପଛକୁ ଫେରି ଚାହିଁନି। ଟେନିସ୍‌ ଖେଳି ଦେଶ ପାଇଁ ଗୌରବ ଆଣିଛି ଓ ଦେଶବାସୀଙ୍କୁ ଅଲିମ୍ପିକ୍ ପଦକ ଓ ବିଭିନ୍ନ ଟ୍ରଫି ଭେଟି ଦେଇଛି ବୋଲି କହିଥିଲେ ଲିଆଣ୍ଡର।

ଲିଆଣ୍ଡର ଆହୁରି କହିଥିଲେ, ମୁଁ ମୋର ପିଲାଦିନରୁ ଏତିକି ଶିଖିଛି ଯେ ପ୍ରତ୍ୟେକ ପିଲା ଜଣେ ଚାମ୍ପିଅନ ହୋଇପାରିବ। କମ୍‌ ବୟସରେ ଡେଭିସ୍‌ କପ୍‌ ଓ ଅଲିମ୍ପିକ୍ ପଦକ ଜିତିବାଠାରୁ ଆରମ୍ଭ କରି ଖେଳ ଜୀବନର ତିନି ଦଶନ୍ଧିରେ ବି ୱିମ୍ବଲଡନ୍ ଜିତିବା ମୁଁ ଶିଖିଛି। ମୋ ଖେଳ ଜୀବନରେ ବୟସ କେବେ ବାଧକ ସାଜିନି। ଜୀବନରେ ବହୁତ ଖେଳାଳିଙ୍କୁ ସାଥୀ କରି ଟେନିସ୍ ଖେଳିଛି। ସମସ୍ତଙ୍କଠାରୁ ବହୁତ କିଛି ଶିଖିଛି। ରମେଶ କ୍ରିଷ୍ଣନ୍ ଓ ମହେଶ ଭୂପତିଙ୍କ ସହ ମିଶି ଡବଲ୍‌ସ ଖେଳିବା ସବୁଠୁ ସ୍ମରଣୀୟ ହୋଇ ରହିବ। ଏବେବି ମହେଶ ଭୂପତିଙ୍କ ସହ ଗୋଟିଏ ରୁମ୍‌ରେ ଏକାଠି ହେଲେ ଆମେ ଅଲଗା ଦୁନିଆକୁ ଚାଲିଯାଉ। ଅତୀତରେ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତକୁ କିପରି ଉପଭୋଗ କରୁଥିଲୁ ତାହାକୁ ମନେପକାଇ ବହୁତ ମଜା କରୁ। ଯେତେବେଳେ ମହେଶ ଓ ମୁଁ ଏକାଠି ହେଉ; ତାହା ହିଁ ମୋର ସବୁଠୁ ଭଲ ସମୟ ହୋଇଥାଏ। କାରଣ ମୋତେ ବିଶ୍ବବିଜେତା, ୱିମ୍ବଲଡନ୍ ବିଜେତା କରାଇବାରେ ତାଙ୍କର ବହୁତ ଅବଦାନ ଅଛି। ଟେନିସ୍‌ରେ ଭାରତ ପାଇଁ ଏକମାତ୍ର ଅଲିମ୍ପିକ୍ ପଦକ ଜିତିଥିବା ଲିଆଣ୍ଡର କହିଥିଲେ ଯେ, ଯଦି ଆଟଲାଣ୍ଟା ଅଲିମ୍ପିକ୍ସରେ ପଦକ ଜିତି ନଥାନ୍ତି ତେବେ ମୋ ଜୀବନ ସଂପୂର୍ଣ୍ଣ ହୋଇପାରିନଥାନ୍ତା। ମୁଁ ଟେନିସ୍‌ ଖେଳିବାର ଲକ୍ଷ୍ୟ ପୂରଣ ହୋଇନଥାନ୍ତା।

ଚଳିତ ବର୍ଷ ଶେଷ ବେଳକୁ ଅବସର ନେବାକୁ ଯୋଜନା କରିଥିବା ଲିଆଣ୍ଡର ଅବସର ପରେ ନୂଆ ଇଂନିସ୍ ଆରମ୍ଭ କରିବେ ବୋଲି କହିଛନ୍ତି। ଦେଶର ପ୍ରତିଟି ରାଜ୍ୟର ଗାଁ ଓ ସହର ବୁଲି କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରିବା ଏବଂ ତାଙ୍କୁ ଶିକ୍ଷା ସହିତ କ୍ରୀଡ଼ା ପ୍ରଶିକ୍ଷଣ ଦେବାକୁ କାମ କରିବେ ବୋଲି କହିଛନ୍ତି। ସମସ୍ତଙ୍କ ପାଖରେ କିପରି ଶିକ୍ଷା ପହଞ୍ଚିବ ଏବଂ ଦେଶର ୭କୋଟି ୪୫ ଲକ୍ଷ ପିଲା କିପରି ଏକ ସୁସ୍ଥ ଜୀବନ ବଞ୍ଚିବେ ସେ ନେଇ ଉଦ୍ୟମ କରିବେ ବୋଲି କହିଛନ୍ତି। ସେ କହିଥିଲେ, ସମାଜ ପାଇଁ କିଛି କରିବାର ଆନନ୍ଦ ହିଁ ସବୁଠୁ ବଡ଼ ଆନନ୍ଦ। ତେଣୁ ଅବସର ପରେ ମୁଁ ସମାଜ ପାଇଁ କିଛି କରିବାକୁ ଯୋଜନା କରିଛି। ସମ୍ବାଦ ଗ୍ରୁପ୍‌ ଓଡ଼ିଶାର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ହୋଇଥିଲାବେଳେ ଲୋକଙ୍କ ପାଇଁ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଟେନିସ୍‌ ସଂଘର ସଭାପତି ଅସିତ୍ ତ୍ରିପାଠୀ କହିଲେ ଯେ, ଲିଆଣ୍ଡର ପେସ୍‌ଙ୍କ ଜୀବନୀ ଅତ୍ୟନ୍ତ ପ୍ରେରଣାଦାୟୀ। ୧୯୯୬ ମସିହାରେ ଅଲିମ୍ପିକ୍ ପଦକ ଜିତିଥିବା ପେସ୍‌ ୨୪ବର୍ଷ ପରେ ବି ବିଜୟ ଧାରା ଜାରି ରଖିଛନ୍ତି। ସେ ଏମିତି ଏକ ବ୍ୟକ୍ତିତ୍ବ ଯିଏ ସର୍ବଦା ଗୋଷ୍ଠୀବାଦଠାରୁ ଦୂରରେ ଥା’ନ୍ତି। ସେ ଜଣେ ପ୍ରକୃତ କ୍ରୀଡ଼ାବିତ୍।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଲିଆଣ୍ଡର ପେସ୍‌ ହେଉଛନ୍ତି ଜଣେ ସଫଳ କାହାଣୀର ନାୟକ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ହେଉଥିବା ପ୍ରେରଣାଦାୟୀ ବକ୍ତୃତାମାଳାରେ କେବଳ କ୍ରୀଡ଼ାବିତ୍‌ଙ୍କୁ ସାମିଲ୍‌ କରିବାର ରହସ୍ୟ ହେଉଛି ସାହିତ୍ୟ, ବାଣିଜ୍ୟ ଓ ରାଜନୀତି ଏବେ ବିବାଦୀୟ ହୋଇଯାଇଛି। କିନ୍ତୁ ଖେଳରେ ଯେଉଁମାନେ ସଫଳତା ପାଆନ୍ତି ସେଥିରେ ବିବାଦ କମ୍‌ ଥାଏ। ତେଣୁ ପ୍ରସିଦ୍ଧ କ୍ରୀଡ଼ାବ୍ୟକ୍ତିତ୍ବଙ୍କୁ ଆମେ ଏଭଳି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରୁଛୁ। ଲିଆଣ୍ଡର ଆମ ପାଇଁ ଗର୍ବ ଓ ଗୌରବ। ସେ କିଛି କହିବା ପୂର୍ବରୁ ଆଜି ତାଙ୍କର କେବଳ ଉପସ୍ଥିତି ମଧ୍ୟ ଆମକୁ ଅନେକ ପ୍ରେରଣା ଦେଉଛି। ପ୍ରାରମ୍ଭରେ ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇ କହିଥିଲେ ଯେ, ଆମେ ଚତୁର୍ଥ ଥର ପାଇଁ ଏ‌ହି ପ୍ରେରଣାଦାୟୀ ବକ୍ତୃତାମାଳା ଆୟୋଜନ କରୁଥିବାବେଳେ ପ୍ରତ୍ୟେକ ଥର କ୍ରୀଡ଼ାବିତ୍‌ଙ୍କ ବକ୍ତବ୍ୟରୁ ବହୁତ କିଛି ଶିଖିବାକୁ ପାଇଥାଉ। ଆଗକୁ ଏହି ଧାରା ବଜାୟ ରହିବ। ଏହି କାର୍ଯ୍ୟକ୍ରମକୁ ଫ୍ଲୋରା ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର