ଡିଗ୍ରି କଲେଜର ବିକଳ ଚିତ୍ର : ଅର୍ଧାଧିକରେ ଅଧ୍ୟାପକ ନାହାନ୍ତି

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଡିଗ୍ରି କଲେଜଗୁଡ଼ିକରେ ଅର୍ଧାଧିକ ଅଧ୍ୟାପକ ପଦବି ଖାଲି ପଡ଼ିଛି। କେଉଁଠି ମଞ୍ଜୁରିପ୍ରାପ୍ତ ପଦଠାରୁ ବହୁତ କମ୍‌ ଅଧ୍ୟାପକ ରହିଛନ୍ତି ତ ଆଉ କେଉଁଠି ୪ରୁ ୬ ଜଣ ଅଧ୍ୟାପକରେ ଚାଲିଛି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା। ଏପରିକି ରାଜ୍ୟର ନାମକରା କଲେଜରେ ବି ଅଧ୍ୟାପକ ମରୁଡ଼ି। କେତେକ କଲେଜରେ ଆଡହକ୍‌ ଅଧ୍ୟାପକ ନିଯୁକ୍ତି ହୋଇଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ। ଦୀର୍ଘଦିନ ହେଲା ପଦ ଖାଲି ପଡ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଧାର ଆସି ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଲାଣି।

ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦେଇଥିବା ତଥ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ର ଏବେ ପଦାକୁ ଆସିଛି। ତଥ୍ୟ ଅନୁଯାୟୀ, ୩୦ଟି ଜିଲ୍ଲାରେ ୫୨ଟି ସରକାରୀ କଲେଜ ଡିଗ୍ରି କଲେଜ ରହିଛି। ଏହି କଲେଜଗୁଡ଼ିକ ପାଇଁ ୨୧୧୭ଟି ଅଧ୍ୟାପକ ପଦ ମଞ୍ଜୁର କରାଯାଇଛି। ସେଥିମଧ୍ୟରୁ ୯୫୩ଟି ପଦବିରେ ଏବେ ଅଧ୍ୟାପକ ରହିଛନ୍ତି। ୧୧୬୪ ଅଧ୍ୟାପକ ପଦ ଖାଲି ପଡ଼ିଛି। ସେଥିମଧ୍ୟରୁ ୧୧୩ଟି ପଦରେ ଆଡହକ୍‌ ନିଯୁକ୍ତି ଦିଆଯାଇଛି। ଫଳରେ ଏବେ ମୋଟ ୧୦୫୧ଟି ପଦବିରେ ଅଧ୍ୟାପକ ନାହାନ୍ତି। ମଞ୍ଜୁରପ୍ରାପ୍ତ ଅଧ୍ୟାପକ ପଦବି ମଧ୍ୟରୁ ଅର୍ଧାଧିକ ପଦ ଖାଲି ପଡ଼ିଛି।
ବିଚିତ୍ର କଥା ହେଉଛି ଯେ ପ୍ରମୁଖ ଡିଗ୍ରି କଲେଜରେ ଏବେ ଅର୍ଧାଧିକ ଅଧ୍ୟାପକ ପଦ ଖାଲି ରହିଛି। ଖଲ୍ଲିକୋଟ ସ୍ବୟ˚ଶାସିତ ମହାବିଦ୍ୟାଳୟ ପାଇଁ ୯୧ଟି ମଞ୍ଜୁରପ୍ରାପ୍ତ ପଦବିରୁ ୬୩ଟି ଖାଲି ପଡ଼ିଛି। ସେହିପରି ଅନୁଗୁଳ ସ୍ବୟ˚ଶାସିତ କଲେଜରେ ୬୫ରୁ ୪୨, ବଲାଙ୍ଗୀରର ରାଜେନ୍ଦ୍ର ସ୍ବୟ˚ଶାସିତ କଲେଜରେ ୭୪ରୁ ୪୯, ବାଲେଶ୍ବରର ଏଫ୍‌ଏମ୍‌ କଲେଜରେ ୧୦୧ରୁ ୬୦, ଭଦ୍ରକ କଲେଜରେ ୯୮ରୁ ୫୯, ଜୟପୁର ବିକ୍ରମଦେବ କଲେଜରେ ୬୦ରୁ ୩୭, ପୁରୀ ଏସ୍‌ସିଏସ୍‌ କଲେଜରେ ୯୧ରୁ ୫୮, ସମ୍ବଲପୁର ସରକାରୀ ମହିଳା କଲେଜରେ ୪୮ରୁ ୨୮, ସୁନ୍ଦରଗଡ଼ ସରକାରୀ ଡିଗ୍ରି କଲେଜରେ ୫୨ରୁ ୩୪ ପଦରେ ଅଧ୍ୟାପକ ନାହାନ୍ତି। କେତେକ କଲେଜ ୨ରୁ ୪ ଜଣ ଆଡହକ୍‌ ଅଧ୍ୟାପକଙ୍କୁ ନିୟୋଜିତ କରିଛନ୍ତି। ରାଜ୍ୟର ଏକ ନମ୍ବର ଡିଗ୍ରି କଲେଜ କୁହାଯାଉଥିବା ବିଜେବି ସ୍ବୟ˚ଶାସିତ ମହାବିଦ୍ୟାଳୟରେ ବି ୯୪ଟି ମଞ୍ଜୁରପ୍ରାପ୍ତ ପଦ ମଧ୍ୟରୁ ୨୧ଟିରେ ଅଧ୍ୟାପକ ନାହାନ୍ତି। ଏଠାରେ ଆଡହକ୍‌ ନିଯୁକ୍ତି ହୋଇନି। ୪ଟି ମଞ୍ଜୁରପ୍ରାପ୍ତ ପଦ ମଧ୍ୟରୁ ୩ଜଣ ଅଧ୍ୟାପକଙ୍କୁ ନେଇ ବଲାଙ୍ଗୀର ସରକାରୀ କଲେଜ ଚାଲୁଛି। ଆସ୍କା ଏନ୍‌ ଜି ମହିଳା କଲେଜରେ ୬ଜଣ ଅଧ୍ୟାପକ ରହିଥିବା ବେଳେ ଭବାନୀପାଟଣା ସରକାରୀ ମହିଳା କଲେଜ ୮, ଫୁଲବାଣୀ ଏସ୍‌ଏମ୍‌ ମହିଳା କଲେଜ ୪, ମାଲକାନଗିରି ମଡେଲ୍‌ ଡିଗ୍ରି କଲେଜ ୯, ସମ୍ବଲପୁର ଏନ୍‌ଏସ୍‌ସିବି କଲେଜ ୭, ଜୟପୁର ସରକାରୀ ମହିଳା ଡିଗ୍ରି କଲେଜ ୫ ଜଣ ଅଧ୍ୟାପକଙ୍କୁ ନେଇ ଚାଲୁ ରହିଛି। ସରକାରୀ ଡିଗ୍ରି କଲେଜରେ ଯଦି ଏଭଳି ସ୍ଥିତି, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜ କିଭଳି ଚାଲୁଥିବ ଏଥିରୁ ସ୍ପଷ୍ଟ ଅନୁମେୟ।

୨୦୧୫ରେ କଲେଜରୁ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ବି ଅର୍ଧାଧିକ ସିଟ୍‌ ଖାଲି ପଡ଼ିଛି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପାଇଁ ୧୧୬ଟି ପଦ ମଞ୍ଜୁର ହୋଇଥିଲା। ସେଥିରୁ ୭୯ଟି ଖାଲି ପଡ଼ିଛି। ୯ଜଣ ଆଡହକ୍‌ ନିଯୁକ୍ତି ହୋଇଛନ୍ତି। ରମାଦେବୀ ବିଶ୍ବବିଦ୍ୟାଳୟରେ ୭୩ଟି ମଞ୍ଜୁରପ୍ରାପ୍ତ ସିଟ୍‌ ମଧ୍ୟରୁ ୨୪ ପଦରେ ଅଧ୍ୟାପକ ନାହାନ୍ତି। ଜଣେ ଆଡହକ୍‌ ନିୟୋଜିତ ହୋଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର