ଗରଦପୁରବ୍ଲକ୍‌ରେ ଅଧାରେ ଅଟକିଛି ‘ଆମ ଘରେ ଏଲ୍ଇଡି’ ଯୋଜନା

ଗରଦପୁର: ସରକାର ‘ଆମ ଘରେ ଏଲ୍ଇଡି’ ଯୋଜନାରେ ମାଗଣାରେ ବଲ୍‌ବ ଯୋଗାଣ ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ମାତ୍ର ପ୍ରଶାସନିକ ଅବହେଳା ଲୋକଙ୍କ ପାଇଁ କାଳ ହୋଇଛି। ଏଲ୍ଇଡି ବଲବ ଯୋଗାଣ କାର୍ଯ୍ୟ ଅଧାରେ ଅଟକିଛି। ଏହି ଯୋଜନାରେ ସମସ୍ତ ହିତାଧିକାରୀଙ୍କ ଘରେ ବଲ୍‌ବ ଯୋଗାଣ ହୋଇ ପାରି ନ ଥିବା ଜଣାପଡ଼ିଛି। ଏ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ସରକାରଙ୍କ ‘ପିଠା’ ଶିବିରରୁ ଆମ ଘରେ ଏଲ୍ଇଡି ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି। ଏହି ‌ଯୋଜାନରେ ପ୍ରତ୍ୟେକ ରାସନକାର୍ଡଧାରୀ ପରିବାରମାନଙ୍କୁ ୪ଟି ଲେଖାଏଁ ଏଲ୍ଇଡି ବଲବ ଯୋଗାଣ କରାଯିବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟୟ ‘ପିଠା’ କାର୍ଯ୍ୟକ୍ରମ ଶେଷ ହୋଇ ଥିବା ବେଳେ ପ୍ରଶାସନିକ ଅବହେଳା କାରଣରୁ ଆଜି ସୁଦ୍ଧା ସମସ୍ତ ହିତାଧିକାରୀମାନଙ୍କ ଘରେ ବଲବ ଯୋଗାଣ ହୋଇପାରି ନାହିଁ। କେତେକ ସ୍ଥାନରେ ସ୍ବଳ୍ପ ପରିମାଣରେ ସୂଲଭ ମୂଲ ଦୋକାନଗୁଡିକରେ ହିତାଧିକାରୀମାନଙ୍କୁ ଏଲ୍ଇଡି ବଲବ ବଣ୍ଟନ କରାଯାଉଥିବାର ଦେଖାଯାଉଛି। ବିଦ୍ୟୁତ୍ ବିଭାଗ ଠିକ୍ ସମୟରେ ଏଲ୍ଇଡି ଯୋଗାଣ କରୁ ନ ଥିବାରୁ ବିଳମ୍ବ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।

ଏ ସମ୍ପର୍କରେ ନୂଆପଡା ସେସୁ ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ସେନାପତି କହିଛନ୍ତି ଏହି ସେକ୍ସନ ଅଫିସ୍‌ ଅଧୀନରେ ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକ ଅଞ୍ଚଳର ଗ୍ରାମଗୁଡିକ ରହିଛି। ଏହି ସେକ୍ସନ ଅଧୀନରେ ମୋଟ ୧୨ ହଜାର ୫୦୦ ଉପଭୋକ୍ତା ପରିବାର ରହିଛନ୍ତି। ସେମାନଙ୍କ ପରିବାରକୁ ଆମ ଘରେ ଏଲ୍ଇଡି ଯୋଜନାରେ ସାମିଲ କରାଯିବା ସହିତ ଆଜି ସୁଦ୍ଧା ଉପଭୋକ୍ତା ପରିବାର ଓ ସୁଲଭ ମୂଲର ଦୋକନମାନଙ୍କ ଠାରେ ୧୨ ହଜାର ଏଲ୍ଇଡି ବଲବ ଯୋଗାଣ କରାଯାଇଛି। ଅବଶିଷ୍ଟ ଥିବା ୫୦୦ ପରିବାରମାନଙ୍କୁ ବଲବ ଯୋଗାଣ କରାଯିବ। ମାତ୍ର ନିର୍ବାଚନ ଘୋଷଣା କରାଯାଇଥିବାରୁ ଆଦର୍ଶ ଆଚରଣ ବିଧି ଉଠିବା ପରେ ଅବଶିଷ୍ଟ ପରିବାରକୁ ବଲବ ଯୋଗାଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ଗରଦପୁର ବ୍ଲକରେ ଯୋଗାଣ ବିଭାଗ ସୂତ୍ରରୁ ଜଣାଯାଇଛି ଯେ, ଏହି ବ୍ଲକ ଅଞ୍ଚଳରେ ଜାତୀୟ ଖାଦ୍ୟ ନିରାପତ୍ତ ଯୋଜନା ଓ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୨୩ହଜାର ୭୪୬ ପରିବାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ ହଜାର୨ ଶହ ପରିବାରଗୁଡିକୁ ଆଜି ସୁଦ୍ଧା ଏଲ୍ଇଡି ଯୋଗାଣ କରାଯାଇଛି। ଅବଶିଷ୍ଟ ପରିବାରଗୁଡିକୁ କେବେ ବଲବ ଯୋଗାଣ କରାଯିବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର