ଦେଶରେ ଓଡ଼ିଶା ହେବ ସର୍ବପ୍ରଥମ ରାଜ୍ୟ : ୫ ମାସରେ ଆଲୋକିତ ହେବ ସବୁ ସହରାଞ୍ଚଳ

୭ ବର୍ଷ ଧରି ରକ୍ଷଣ‌ାବେକ୍ଷଣ କରିବ କେନ୍ଦ୍ରୀୟ ସଂସ୍ଥା, ନୂଆ, ପୁରୁଣା ସବୁ ସଡ଼କରେ ଜଳିବ ଏଲ୍‌ଇଡି ବତୀ, ୨ଟି ମଞ୍ଜୁରିପ୍ରାପ୍ତ ପ୍ରସ୍ତାବ ବାବଦରେ ଖର୍ଚ ହେବ ୬୭୪ କୋଟି

ଭୁବନେଶ୍ବର : ସହରାଞ୍ଚଳରେ ପାରମ୍ପରିକ ସଡ଼କ ଆଲୋକୀକରଣ ବଦଳିବ। ଲାଗିବ ଶକ୍ତି ସଂଚୟ ସଂପନ୍ନ ଏଲ୍‌ଇଡି ଆଲୋକ। ପୁରୁଣା ସଡ଼କର ଭଙ୍ଗା ଦଦରା ବତୀଖୁଣ୍ଟ, ଆର୍ଥିଂ ଓ ସୁଇଚ୍‌ ବନ୍ଦ ହେଉନଥିବା ଭଳି ଅନ୍ୟାନ୍ୟ ପୁରୁଣା ସମସ୍ୟା ଆଦିରେ ପରିବର୍ତନ ଆସିବ। ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ଟି ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ମଞ୍ଜୁରି ଦେଇଛନ୍ତି। ଏ ବାବଦରେ ମୋଟ ୬୭୪.୬୩ କୋଟିର ବ୍ୟୟବରାଦ କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ପାଞ୍ଚ ମାସରେ ରାଜ୍ୟର ସମସ୍ତ ସହରାଞ୍ଚଳ ଆଲୋକମାଳାରେ ଉଦ୍‌ଭାସିତ ହେବ। ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶା ହେବ ଦେଶର ସର୍ବପ୍ରଥମ ରାଜ୍ୟ।

ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଯେ ରାଜ୍ୟର ସମସ୍ତ ସହରାଞ୍ଚଳରେ ପୁରୁଣା ଲାଇଟ୍‌ ବ୍ୟବସ୍ଥା ବଦଳାଇ ଏଲ୍‌ଇଡି ଲାଇଟ୍‌ ଲଗାଯିବ। ଯେଉଁଠି ବତୀଖୁଣ୍ଟ ଖରାପ ହୋଇପଡ଼ିଛି, ଆର୍ଥି କାମ କରୁନି, ଅନ୍ୟାନ୍ୟ ଅସୁବିଧା ରହିଛି, ସେଗୁଡ଼ିକୁ ପୂର୍ଣ୍ଣମାତ୍ରାରେ ବଦଳାଯିବ। ୫ ମାସରେ ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ। କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ଏସବୁ କାର୍ଯ୍ୟର ରକ୍ଷଣାବେକ୍ଷଣ ନିମନ୍ତେ ନଗର ଉନ୍ନୟନ ବିଭାଗରେ ଆବଶ୍ୟକ ସଂଖ୍ୟକ ବୈଦ୍ୟୁତିକ ଇଞ୍ଜିନିୟରିଂ କର୍ମଚାରୀଙ୍କର ଘୋର ଅଭାବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଇଇଏସ୍‌ଏଲ୍‌ ନାମକ ସରକାରୀ ଉଦ୍ୟୋଗକୁ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯିବ। ଏହି ସଂସ୍ଥା ୭ ବର୍ଷ ପାଇଁ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ସବୁ ସହରାଞ୍ଚଳର ସଡ଼କ ଆଲୋକିତ ହୋଇପାରିବ। ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି ଶ୍ରୀ ପାଢ଼ୀ କହିଥିଲେ।

ନୂଆ ସଡ଼କ ଆଲୋକୀକରଣ ପାଇଁ ୩ଟି କମ୍ପାନି ଯଥା: କ୍ରମ୍ପଟନ୍‌ ଆଣ୍ଡ ଗ୍ରିଭ୍‌ସ, ସୂର୍ଯ୍ୟ ରୋଶନୀ ଓ ଆକାଂକ୍ଷା ପାୱାରଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ୫ ମାସରେ ସେହି କମ୍ପାନିମାନେ ରାଜ୍ୟର ସବୁ ସହରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ ଲଗାଇବେ। ଏଲ୍‌ଇଡି ଲାଇଟ୍‌ ଓ ରକ୍ଷଣାବେକ୍ଷଣ ନେଇ ୨ଟି ପ୍ରକଳ୍ପ ବାବଦରେ ମୋଟ ୬୭୪.୬୩ କୋଟି ଖର୍ଚ ହେବ। ଏଥିମଧ୍ୟରୁ ସିଂହଭାଗ ରାଜ୍ୟ ସରକାର ବହନ କରିବେ। ରକ୍ଷଣାବେକ୍ଷଣ ବାବଦରେ ସଂପୃକ୍ତ ପୌର ସଂସ୍ଥାଗୁଡ଼ିକ ବହନ କରିବେ ୬୭.୧୨ କୋଟି। ସୂଚନାଯୋଗ୍ୟ ଯେ ରାଜ୍ୟରେ ୪୭ଟି ପୌରପାଳିକା, ୬୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୬ଟି ମହାନଗର ନିଗମ ରହିଛି। ଆଲୋକୀକରଣ ହେବା ଫଳରେ ସଡ଼କଗୁଡ଼ିକ ନିରାପଦ ଓ ସୁରକ୍ଷିତ ହୋଇପାରିବ ବୋଲି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଥିଲେ।

ସମ୍ବନ୍ଧିତ ଖବର