ଏସିଡ୍ ଆକ୍ରମଣ, ଦୁଷ୍କର୍ମ ଓ ଅନ୍ୟ ଅପରାଧିକ ଘଟଣାର ଶିକାର ୨୮ ପୀଡ଼ିତଙ୍କୁ ସହାୟତା

ଆଇନସେବା ପ୍ରାଧିକରଣର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

କଟକ : କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅସହାୟ ଓ ଗରିବ ଲୋକମାନଙ୍କୁ ମାଗଣାରେ ଆଇନ ସେବା ଯୋଗାଇ ଦିଆଯାଉଥିବା ବେଳେ ଏସିଡ ଆକ୍ରମଣ, ଦୁଷ୍କର୍ମ ଓ ଅନ୍ୟ ଅପରାଧିକ ମାମଲାର ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ୨୦୧୮ ବର୍ଷରେ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶା ପୀଡ଼ିତ ସହାୟତା ଯୋଜନା-୨୦୧୭ରେ ୨୮ଜଣଙ୍କୁ ୨୪ଲକ୍ଷ ୨୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଦୁଷ୍କର୍ମର ଶିକାର ହୋଇଥିବା ସର୍ବାଧିକ ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଧର୍ଷଣର ଶିକାର ୧୫ଜଣଙ୍କୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ୧୮ଲକ୍ଷ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ଏସିଡ ଆକ୍ରମଣର ଶିକାର ହୋଇଥିବା ୮ଜଣଙ୍କୁ ୨ଲକ୍ଷ ୨୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ୩ଲକ୍ଷ ୯୫ହଜାର ଟଙ୍କା କ୍ଷତିପୂରଣ ଆକାରରେ ପ୍ରଦାନ କରାଯାଇଛି। ଏଭଳି ୫ଟି ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ପୀଡିତା ସହାୟତା ଯୋଜନା ଅନୁସାରେ ଜିଲ୍ଲା ଆଇନସେବା ପ୍ରଧିକରଣ ପକ୍ଷରୁ ଦୁଷ୍କର୍ମର ଶିକାର ହୋଇଥିବା ଶିଶୁ, ନାବାଳିକା, ମହିଳା, ଏସିଡ ଆକ୍ରଅଣର ଶିକାର ହୋଇଥିବା ବ୍ୟକ୍ତି, ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ସାଲେପୁରର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତ ପରିବାରକୁ ୭ ଦିନ ଭିତରେ ଆଇନସେବା ପ୍ରାଧିକରଣ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କଟକ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା ପୀଡିତାଙ୍କୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପ୍ରାଧିକରଣ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଜେଲରେ ଥିବା କଏଦୀଙ୍କୁ ସେମାନଙ୍କ ଆଇନଗତ ଅଧିକାର ସଂପର୍କରେ ଅବଗତ କରାଯାଉଛି। ଏଥି ପାଇଁ ପ୍ରାଧିକରଣ ପକ୍ଷରୁ ନିୟୋଜିତ ଆଇନଜୀବୀ ଓ ସ୍ବେଚ୍ଛାସେବୀ ଜେଲକୁ ଯାଇ କଏଦୀମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସ‌େଚତନ କରିବା ସହିତ ଆଇନଗତ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା କଟକ ଜିଲ୍ଲା ଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ଦିଗ ଦର୍ଶନରେ ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

ସମ୍ବନ୍ଧିତ ଖବର