ଓଡ଼ିଶାରେ ଲିଚୁର ଯାଞ୍ଚ ହେବ

ଭୁବନେଶ୍ବର: ବିହାରରେ ସଂକ୍ରମିତ ଲିଚୁ ଫଳ ଖାଇବା ଯୋଗୁଁ ଆକ୍ୟୁଟ୍ ଏନସେଫାଲାଇଟିସ ରୋଗରେ ଆକ୍ରାନ୍ତ ହୋଇଛି େବାଲି କୁହାଯାଉଛି। ୧୩୪ ଜଣ ପିଲାଙ୍କର ମୃତ୍ୟୁ ହେଲାଣି। ଏହି ଘଟଣା ପରେ ଏବେ ଓଡ଼ିଶା ସରକାର ଚେତିଛନ୍ତି। ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବଜାରରେ ବିକ୍ରି ହେଉଥିବା ଲିଚୁ ଫଳରେ ବିଷାକ୍ତ ରାସାୟନିକ ପଦାର୍ଥ ଅଛି କି ନାହିଁ, ତାକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା କମିସନରଙ୍କୁ ଲିଚୁ ଫଳର ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଲିଚୁ ଫଳ ଯାଞ୍ଚ ପରେ ନିର୍ଦ୍ଦିଷ୍ଟ ରାସାୟନିକ ବିଷାକ୍ତ ପଦାର୍ଥ ମିଳିବା

ନେଇ ପ୍ରମାଣ ମିଳେ ତା ହେଲେ ମଣିଷ ଶରୀର ଉପରେ ତାର କୁପ୍ରଭାବ କଣ ପଡ଼ୁଛି ତାକୁ ରିପୋର୍ଟ କରିବାକୁ ମଧ୍ୟ କମିସନରଙ୍କୁ ମନ୍ତ୍ରୀ କହିଛନ୍ତି। ଆସନ୍ତାକାଲିଠାରୁ ସଚିବାଳୟରେ ଦୁଇ ଦିନିଆ ସିଡିଏମଓମାନଙ୍କର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଥିବାରୁ ଏନସେଫାଲାଇଟିସ ରୋଗକୁ ନେଇ ସରକାରଙ୍କ ଚିନ୍ତା ଗୁରୁତ୍ବ ବହନ କରୁଛି। ତେବେ ଏହି ଏଇଏସ ରୋଗ ବାସ୍ତବରେ ଲିଚୁ ଫଳ ଖାଇବା ଯୋଗୁଁ ହେଉଛି ତାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏଇଏସ ଭୂତାଣୁ ଜନିତ ରୋଗ। ବିଶେଷଜ୍ଞଙ୍କ ମତରେ ଲିଚୁ ଫଳରେ ପ୍ରଚୁର ଭିଟାମିନ ସି ରହିଛି। ଏହାସହିତ ଫ୍ରୁକଟୋସ ନାମକ ଶର୍କରା ସହିତ ପ୍ରଚୁର ପରିମାଣରେ ଜଳୀୟ ଅଂଶର ମାତ୍ରା ରହିଛି। ଅସ୍ବାସ୍ଥ୍ୟକର ପରିବେଶରେ ଥିବା ଲିଚୁକୁ ଖାଇଲେ ଶରୀରରେ ବିଷାକ୍ତ ପ୍ରକ୍ରିୟା ସୃଷ୍ଟି ହୋଇ ମଣିଷ ମୃତ୍ୟୁମୁଖରେ ପଡ଼ିଥାଏ। ଲିଚୁ ଗଛରେ ଥିବାବେଳେ ଚଢ଼େଇମାନଙ୍କ ଦ୍ବାରା ସଂକ୍ରମିତ ହୋଇଥିଲେ ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି। ଏହାସହିତ ଖାଲିପେଟରେ ସଂକ୍ରମିତ ଲିଚୁ ଖାଇଲେ ଅଧିକ ପ୍ରାଣଘାତି ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ପ୍ରକାଶଥାଉକି, ପ୍ରାୟ ୩ ବର୍ଷ ତଳେ ରାଜ୍ୟର ମାଲକାନଗିରି ଜିଲ୍ଲାରେ ଜାପାନୀ ଏନସେଫାଲାଇଟିସ ଜ୍ବରରେ ଆକ୍ରାନ୍ତ ହୋଇ ଶତାଧିକ ଶିଶୁ ପ୍ରାଣ ହରାଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ବିଭାଗ ଏହି ରୋଗର କାରଣ ମଶାଯୋଗୁଁ ହେଉଥିବା ନେଇ ସନ୍ଦେହ କରିଥିଲା। ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେବା ପରେ ପ୍ରଫେସର ଜାକବ ଜନ୍ ଓ ତାଙ୍କ ପ୍ରତିନିଧି ଦଳ ମାଲକାନଗିରିରେ ଏନସେଫାଲାଇଟିସର କାରଣ ଯାଞ୍ଚ କରିବା ପରେ ବିଷାକ୍ତ ଚାକୁଣ୍ଡା ମଞ୍ଜି ଖାଇବା ଯୋଗୁଁ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ପ୍ରକଟ କରିଥିଲେ। ଶେଷପର୍ଯ୍ୟନ୍ତ ରୋଗର କାରଣ ପ୍ରମାଣ ହୋଇପାରିନଥିଲା।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ବିହାର ଘଟଣାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଖାଦ୍ୟ ସୁରକ୍ଷା କମିସନର ଲିଚୁ ଯୋଗୁଁ ମସ୍ତିଷ୍କ ଜ୍ବର ବ୍ୟାପୁଛି କି ନାହିଁ ସେ ସମ୍ପର୍କରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)କୁ ଏକ ରିପୋର୍ଟ ମାଗିଛନ୍ତି। ନିକଟରେ ବିହାର ଖାଦ୍ୟ ସୁରକ୍ଷା କମିସନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେଠାରେ ଲିଚୁକୁ ନେଇ ଏଇଏସ ବ୍ୟାପିବା ଘଟଣା ସ୍ପଷ୍ଟ ହୋଇନଥିବା ବିହାର କର୍ତ୍ତୃପକ୍ଷ ଜଣାଇଥିଲେ।

ସମ୍ବନ୍ଧିତ ଖବର