ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବିଜେଡିର ବରିଷ୍ଠ ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର:  ଆଜି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ  ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ଏହି ଆସନରୁ ୫ ଥର ବିଧାୟକ ହୋଇ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ବ ତୁଲାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିବ କି ନା ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ। ସେ ବିଜେଡିରେ ଅଛନ୍ତି ଏବଂ ଦଳର ଉପସଭାପତି ବୋଲି କହିବାକୁ ଭୁଲି ନଥିଲେ। ରଘୁନାଥ ମହାନ୍ତିଙ୍କୁ  ବିଜେଡି ଏଥର ବାଲେଶ୍ୱର ଜିଲ୍ଲାର  ବସ୍ତା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତା ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହେବାକୁ ଥିବାବେଳେ ବସ୍ତା ଆସନକୁ ବିଜେଡି ସୁପ୍ରିମୋ ଝୁଲାଇ ରଖିଛନ୍ତି । ତେବେ କ’ଣ ପୁଣି ରଘୁନାଥଙ୍କ ଏଠାରୁ ଟିକେଟ୍ ମିଳିବା ପାଇଁ ପଦବିରୁ ଇସ୍ତଫା ଦେଇଛନ୍ତି କି ରଘୁନାଥ ? ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରିଛି । ଅନ୍ୟପଟେ ବଳକାଥିବା ୩ ଲୋକସଭା ଏବଂ ୨୮ଟି ବିଧାସଭା ପ୍ରାର୍ଥୀ ତାଲିକା ଆଜି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ସମ୍ବନ୍ଧିତ ଖବର