ମୟୁରଭଞ୍ଜ: ଶବ ସଂସ୍କାର ପାଇଁ ଯାଇଥିଲେ, ନିଜେ ଶବ ହୋଇଗଲେ

ବଜ୍ରାଘାତ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୬

ଭୁବନେଶ୍ୱର: ପଡ଼ୋଶୀର ଶବ ସଂସ୍କାର ପାଇଁ ଯାଇଥିବା ୨ ଜଣ ଲୋକ ନିଜେ ଶବ ହୋଇଯାଇଛନ୍ତି। ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଛୋଟରାୟପୁର ଗାଁରେ ଆଜି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ଅପରାହ୍ନରେ ଗାଁ ଲୋକମାନେ ଶବକୁ ମଶାଣୀ ନେଉଥିଲେ। ଏହି ସମୟରେ ଆକସ୍ମିକ ଭାବରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା ଓ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ହିଁ ଗାଁର କୁଅାଁର ସୋରେନ୍‌ ଓ ବାସେନ ମାଝୀ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଗୁଅାଁର ଓ ବାସେନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ବଜ୍ରାଘାତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗୋଡିପୋଖରୀ ନିକଟରେ ବଜ୍ରାଘାତରେ ବାଇକରେ ଆସୁଥିବା ଦୁଇ ଜଣ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ମୃତକ ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମପଞ୍ଚାୟତର ସିଲିଟିଆ ଗ୍ରାମର ମହେଶ୍ୱର ମହାନ୍ତ ଏବଂ ତାଙ୍କ ସ୍ତ୍ରୀ ଯଶୋଦା ମହାନ୍ତ ବୋଲି ଜଣା ପଡ଼ିଥିଲା। ଯଶୋଦା ସିଲିଟିଆ ଗ୍ରାମର ଅଙ୍ଗନୱାଡି କର୍ମୀ ଥିଲେ। ନୟାଗଡ଼ ବ୍ଲକ ଅନ୍ତର୍ଗତ ସରପଡ଼ା ଗ୍ରାମରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି(୬୮)ଙ୍କ ମୃତ୍ୟୁ ଘଟିଥିଲା। ସେହିଭଳି ମାର୍ଚ୍ଚ ୩୦ରେ ରାଜ୍ୟରେ କାଳବୈଶାଖୀ ବଜ୍ରାଘାତର ପ୍ରଥମ ଶିକାର ହୋଇଥିଲେ ଜଣେ ଆଦିବାସୀ ମହିଳା। ‘ଗୁଡ଼ ଫ୍ରାଇଡେ’ ପ୍ରାର୍ଥନା ସାରି ସାଥୀ ମହିଳାଙ୍କ ସହିତ ଯୋଡ଼ାଦେଇ ପାହାଡ଼ ଆଡ଼କୁ ବୁଲି ଯାଇଥିବା ନିଦ୍ରାବତୀ ମଲିକ(୨୮) ବଜ୍ରପାତର ଶିକାର ହୋଇଥିଲେ। ଗଜପତି ଜିଲ୍ଲା ମୋହନାସ୍ଥିତ ଆଇଟିଡିଏ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ସିସିଏ ରୂପେ କାର୍ଯ୍ୟ କରନ୍ତି ନିଦ୍ରାବତୀ। ମୋହନା ଠାରୁ ୨ କିଲୋମିଟର ଦୂରରେ ଥିବା ନିଜ ଗାଁ ‘ମଲ୍ଲିପଦର’କୁ ‘ଗୁଡ଼ ଫ୍ରାଇଡେ’ ପାଳନ ପାଇଁ ଯାଇଥିଲେ।

ସମ୍ବନ୍ଧିତ ଖବର